ସରକାରୀ କଣ୍ଟ୍ରୋଲ୍‌ ଦୋକାନୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପାଞ୍ଚ ଦଫା ଦାବି ନେଇ ଆଜି ଓଡ଼ିଶା ସରକାରୀ କଣ୍ଟ୍ରୋଲ୍‌ ଦୋକାନୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଭାପତି ନଗେନ୍ଦ୍ର ଜେନାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସଂଘର ହଜାର ହଜାର ସଦସ୍ୟ ମାଷ୍ଟର କ୍ୟାଣ୍ଟିନ୍‌ରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ଆନ୍ଦୋଳନକାରୀମାନେ ସେଠାରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଧାରଣାରେ ବସି ନାରାବାଜି କରିବା ସହ ସଫଳତାର ସହ କାର୍ଯ୍ୟରତ ପ୍ରାଇଭେଟ୍‌ ରିଟେଲର୍‌ମାନଙ୍କୁ ସ୍ଥାୟୀ କରିବା, କିରାସିନି ବଣ୍ଟନ କ୍ଷେତ୍ରରେ ସର୍ଟେଜ୍‌, ଲିକେଜ କ୍ଷତି ପୂରଣ ସହ ପ୍ରକୃତ ପରିବହନ ଖର୍ଚ୍ଚ ପ୍ରଦାନ କରିବା, କମିସନ୍‌ ବୃଦ୍ଧି, ଘରଭଡ଼ା ଓ ବିଦ୍ୟୁତ ଶୁଳ୍କ ପ୍ରଦାନ କରିବା, ଖାଦ୍ୟ ନିରାପତ୍ତା ଆଇନ୍‌ ପରିସର ବାହାରେ ଥିବା ଖାଉଟିମାନଙ୍କ ସର୍ବନିମ୍ନ ଆବଶ୍ୟକତା ମୁତାବକ ଗହମ ଓ କିରାସିନି ଯୋଗାଇବା, ସମସ୍ତ ପରିବାରକୁ ଚିନି, ଖାଇବା ତେଲ କଣ୍ଟ୍ରୋଲ୍‌ ମାଧ୍ୟମରେ ଯୋଗାଇବା ଲାଗି ଦାବି କରିଥିଲେ। ପରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଯୋଗାଣ ସଚିବ ବୀରବିକ୍ରମ ଯାଦବଙ୍କୁ ଭେଟି ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ। ତେବେ ଦାବିଗୁଡ଼ିକୁ ବିଚାର କରାଯାଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ। ଦାବିଗୁଡ଼ିକୁ ପୂରଣ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର