ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ତିନି ଦିନ ଧରି ଚାଲିଥିବା ଦ୍ବାଦଶ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ଏକକ ଭାରତନାଟ୍ୟମ୍‌ ଭଗବାନ କୃଷ୍ଣଙ୍କ ଉପରେ ଆଧାରିତ ନବରସ ମୋହନା ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଏହି ନୃତ୍ୟର ପରିକଳ୍ପନା କରିଥିଲେ ରାମା ବୈଦ୍ୟନାଥନ୍‌। ପରେ ଦଳଗତ ଭାବେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ମାଲେସିଆ ସୂତ୍ର ଡ୍ୟାନ୍ସ ଥିଏଟର୍‌ର ଶିଳ୍ପୀ ଗୀତିକାଶ୍ରୀ ଭିକିନେଶ୍ବରନ୍‌, ତନ୍‌ ମୈ ଓ ହରେନ୍‌ ଲୋଗନାଥନ୍‌। ମଙ୍ଗଳାଚରଣରେ ବକ୍ରତୁଣ୍ଡ ମହାକାୟ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ ପଦ୍ମଶ୍ରୀ ରାମଲି ଇବ୍ରାହିମ୍‌। ପରିକଳ୍ପନା କରିଥିଲେ ଗୁରୁ ଦେବପ୍ରସାଦ ଦା‌ସ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାୟୀ ନୃତ୍ୟ ପରିବେଷିତ ହେଇଥିଲା। ଏହାର ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପାଲିତ ଓ ବାଦ୍ୟ ସଂଯୋଜନା ଗୁରୁ ଧନେଶ୍ବର ସ୍ବାଇଁ କରିଥିଲେ। ଶେଷରେ ଅଷ୍ଟଶମ୍ଭୁ ନୃତ୍ୟ ଦକ୍ଷିଣା କବି ଭେଙ୍କଟମୁଖୀ ରଚନା ଓ ଦେବପ୍ରସାଦଙ୍କ ପରିକଳ୍ପନାରେ ପରିବେଷିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ନାଲକୋ ମହିଳା ସମିତିର ସଭାନେତ୍ରୀ ପ୍ରୀତି ରାୟ ଓ ମାଲେସିଆ ସୂତ୍ର ଫାଉଣ୍ଡେସନ୍‌ର ସଭାପତି ରାମଲି ଇବ୍ରାହିମ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ରଞ୍ଜନା ଗୌହର, ଗୁରୁ ରମା ବୈଦ୍ୟନାଥନ୍‌, ଜାପାନର ବାଲେ ନୃତ୍ୟଗୁରୁ ସୁମିନା ଓକାଡା ଓ ଅନିତା ଶର୍ମାଙ୍କୁ ଦ୍ବାଦଶ ନାଲକୋ ଗୁରୁ ଦେବ ପ୍ରସାଦ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ୪ଜଣ ଶିଳ୍ପୀଙ୍କୁ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଦୁଇଜଣ ଯୁବ ନୃତ୍ୟଶିଳ୍ପୀ ଗୀତିକାଶ୍ରୀ ଶଶିକୁମାର ଓ ଚିଶାତୋ ମ୍ୟୁରାଙ୍କୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ତ୍ରିଧାରାର କାର୍ଯ୍ୟକା‌ରୀ ସଭାପତି ସୀମାଞ୍ଚଳ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉତ୍ସବକୁ ପରିଚାଳନା କରିଥିଲେ ଅନୁଷ୍ଠାନର ନିର୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା, ସଂଯୋଜିକା ରୀନା ପଣ୍ଡା। ସହଯୋଗ କରିଥିଲେ ଦୀପ୍ତି ମିଶ୍ର, ଆଞ୍ଚଲ ପାଣ୍ଡେ, ଦେବୀପ୍ରସାଦ ମିଶ୍ର ଓ ଆଶୁତୋଷ ପଣ୍ଡା ପ୍ରମୁଖ।

ସମ୍ବନ୍ଧିତ ଖବର