ଅଗଣାରୁ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର: ଧରମ ଭାଇ ସନା ଥାନାରେ ଅଟକ

ବାଲିପାଟଣା: ଆଜି ସ୍ଥାନୀୟ ପଦ୍ମପୁର ଗାଁର ଅଲିଭା ମହାନ୍ତି ଓରଫ୍‌ ମାମୁନି(୩୫)ଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ଅଗଣାରୁ ଉଦ୍ଧାର କରାଯାଇଛି। ଗ୍ରାମବାସୀମାନେ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଇବା ପରେ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୫୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। କିରାସିନି ଢ଼ାଳିବା ପରେ ତାଙ୍କ ଦେହରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ସେ ନିଜେ ଦେହରେ କିରାସିନି ଢାଳି ନିଆଁ ଲଗାଇଛନ୍ତି କି ସେତେବ‌େଳେ ଘରେ ଉପସ୍ଥିତ ଥିବା ଧରମ ଭାଇ ଏହି କାଣ୍ଡ ଭିଆଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଧରମ ଭାଇ ସନାତନ ସ୍ବାଇଁ ଓରଫ୍ ସନାକୁ ଗ୍ରାମବାସୀମାନେ ଅଟକ ରଖି ବାଲିପାଟଣା ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସ ସନାକୁ ଥାନାରେ ଅଟକ ରଖି ଅଧିକ ଛାନ୍‌ଭିନ୍ ଚଳାଇଛି।

ପଡ଼ୋଶୀମାନଙ୍କ ସୂଚନାରୁ ଆଜି ସକାଳେ ସନାତନ ଓ ମାମୁନି ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଲାଗିଥିଲା। ହଠାତ୍ ମାମୁନିଙ୍କ ଚିତ୍କାର ଶୁଭିଥିଲା। ଏମିତିକି ସନାତନ ମଧ୍ୟ ପାଟି କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ମାମୁନିଙ୍କ ଘର ଅଗଣାରୁ ପ୍ରଚୁର ଧୂଆଁ ବାହାରୁଥିବା ବେଳେ ବିକଳ ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ସେତେବେଳକୁ ମାମୁନି ଜଳନ୍ତା ଅବସ୍ଥାରେ ଅଗଣାରେ ଛଟପଟ ହେଉଥିଲେ ଓ ସନାତନ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ। ଗ୍ରାମବାସୀମାନେ ମାମୁନିଙ୍କ ଦେହରୁ ନିଆଁ ଲିଭାଇବା ସହ ତୁରନ୍ତ ଆମ୍ବୁଲାନ୍‌ସକୁ ଡକାଇଥିଲେ। ଗାଁ ଲୋକେ ମାମୁନିକୁ ଆମ୍ବୁଲାନ୍‌ସରେ ଭର୍ତ୍ତି କଲାବେଳେ ସନାତନ ସେଠାରୁ ଚମ୍ପଟ ମାରିବାକୁ ବସିଥିଲା। ମାତ୍ର ଗ୍ରାମବାସୀମାନେ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିବା ପରେ ଗାଁ ଦାଣ୍ଡରେ ବାନ୍ଧି ପକାଇଥିଲେ। ଖବର ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ସନାକୁ ଧରି ଥାନାକୁ ନେଇଥିଲା। ପୁଲିସର ଏକ ଟିମ୍‌ କଟକ ବଡ଼ ମେଡିକାଲକୁ ଯାଇ ମାମୁନିଙ୍କଠାରୁ ବୟାନ ରେକର୍ଡ କରିଥିଲେ। ଅନ୍ୟ ଏକ ଟିମ୍‌ ଘଟଣାସ୍ଥଳରୁ ମାମୁନିଙ୍କ ଦରପୋଡ଼ା ପୋଷାକ, ମଙ୍ଗଳସୂତ୍ର ଓ କିରାସିନି ଜେରିକେନ୍ ଆଦି ଜବତ କରିଛି।

ସୂଚନାନୁସାରେ ମାମୁନିଙ୍କ ସ୍ବାମୀ ବିଜୟ ମାଣିଆ ୨ ବର୍ଷ ହେଲା ଜେଲ୍‌ରେ ଅଛନ୍ତି। ଗଞ୍ଜେଇ କାରବାର ଅଭିଯୋଗରେ ସେ ଜେଲ୍‌ ଯାଇଛନ୍ତି। ତେଣୁ ୨ ଛୋଟ ଛୋଟ ପିଲାଙ୍କୁ ଧରି ମାମୁନି ରହୁଛନ୍ତି। ଗାଁ ମୁଣ୍ଡରେ ଥିବା ବିଜୟଙ୍କ ଛୋଟ ଚା ପାନ ଦୋକାନରୁ ଯେତିକି ରୋଜଗାର ହେଉଛି, ସେତିକିରେ ତାଙ୍କ ପରିବାର ଚଳୁଛି। ଏହା ଭିତରେ ନିଆଳି ଥାନା ପଦତିରା ଗାଁର ସନା ସହ ତାଙ୍କ ସମ୍ପର୍କ ଗଢ଼ିଉଠିଥିଲା। ଫୋନ୍‌ ମିସ୍‌ କଲ୍‌ରୁ ଆରମ୍ଭ ହୋଇଥିବା ସମ୍ପର୍କ ଧୀରେଧୀରେ ଅଧିକ ନିବିଡ଼ ହୋଇଥିଲା। ସନା ତାଙ୍କ ଘରକୁ ନିୟମିତ ଯା’ଆସ କରୁଥିଲେ। ସନା ବିବାହିତ ଓ ତାଙ୍କର ମଧ୍ୟ ୨ଟି ପିଲା ଅଛନ୍ତି। ମାମୁନି ତାଙ୍କୁ ଧରମ ଭାଇ କରିଛନ୍ତି ବୋଲି ଗାଁ ଲୋକଙ୍କୁ କହୁଥିଲେ। କେବଳ ସେତିକି ନୁହେଁ, ବାଲିପାଟଣା ଥାନା ପଚିଶଖଣ୍ଡ ଗାଁର ଅକ୍ରୁର ଦାସ ମଧ୍ୟ ଧରମ ବାପା ହିସାବରେ ମାମୁନିଙ୍କ ଘରକୁ ନିୟମିତ ଆସୁଥିଲେ। ଆଜି ସକାଳେ ସନା ମାମୁନିଙ୍କ ଘରକୁ ଆସିବା ପରେ କୌଣସି କାରଣରୁ ସେମାନଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହି ଅଭାବନୀୟ କାଣ୍ଡ ବାବଦରେ ଧରମ ବାପା ଅକ୍ରୁର ଦାସଙ୍କୁ ସବୁ ଜଣା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ଅକ୍ରୁରଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର