ଅସହାୟ ରେକର୍ଡଧ‌ାରୀ, ୩ ମିନିଟ୍‌ରେ କହୁଣୀରେ ୨୦୦ ପଇଡ ଭ‌ାଂଗି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଥିଲେ

କାନ୍ଥରେ ଝୁଲୁଥିବା ସାର୍ଟିଫିକେଟ୍‌ ଦେଖି ଲୁହ ଝରାଉଛନ୍ତି, ଅଣ୍ଡା ବିକି ଘର ଚଳାଉଛି ପୁଅ

ଭୁବନେଶ୍ବର: ଦିନେ ସେଇ ହାତର ଚମତ୍କାରିତା ଦେଖିବାକୁ ଲମ୍ବା ଲାଇନ୍‌ ଲାଗୁଥିଲା। ଆଜି କିନ୍ତୁ ସେ ହାତ ଅଚଳ। ରେକର୍ଡ ରଚିବା ପରେ ତାଙ୍କୁ ଲୋକେ କାନ୍ଧରେ ବସାଇ ଗାଁ ବୁଲାଇଥିଲେ। କିନ୍ତୁ ନିଃସହାୟ ହୋଇଯିବା ‌ପରେ କେହି ଆସୁନାହାନ୍ତି। ୩ ମିନିଟ୍‌ ୧୬ ସେକେଣ୍ଡ୍‌ରେ ୨ଶହ ପଇଡ଼ କହୁଣିରେ ଭାଙ୍ଗି ଦିନେ ରାଜ୍ୟ ପାଇଁ ବିରଳ ରେକର୍ଡ ରଚିଥିବା ସେକ୍‌ ଜାକିରଙ୍କୁ ପକ୍ଷାଘାତ ଗ୍ରାସିବା ପରେ ଦୁଇବର୍ଷ ହେବ ସେ ଶଯ୍ୟାଶାୟୀ। ମାତ୍ର ସେଦିନ ସଗ‌ର୍ବେ ଛାତି ଫୁଲେଇ ଜାକିର୍‌ଙ୍କ ରେକର୍ଡ କଥା ଗଣମାଧ୍ୟମରେ ବଖାଣୁଥିବା ରାଜନୀତିଜ୍ଞମାନେ ତାଙ୍କୁ ଆହା ପଦେ କହିବାକୁ ବି ଆଗେଇ ଆସିନାହାନ୍ତି। କରୋନା ପରେ ତାଙ୍କ ଅବସ୍ଥା ଆହୁରି ସଙ୍ଗିନ ହୋଇପଡ଼ିଛି। ଖଟିଆରେ ପଡ଼ି ରହିଥିବା ସ୍ବାଭିମାନୀ ଜାକିର୍‌ ଯେ‌ବେ ଭଙ୍ଗା କାନ୍ଥ ଉପରେ ନିଜର ସେଇ ରେକର୍ଡ ସାର୍ଟିଫିକେଟ୍‌ଟାକୁ ଦେଖୁଛନ୍ତି, ତାଙ୍କ ଆଖିରୁ ନିଗିଡ଼ି ଆସୁଛି ଅଭିମାନର ଅଶ୍ରୁଧାର।

ପିପିଲି ପୌରାଞ୍ଚଳର ୯ନମ୍ବର ୱାର୍ଡର ବାସିନ୍ଦା ଜାକିର୍‌ଙ୍କର କହୁଣିରେ ପଇଡ଼ ଫଟାଇବା ନିଶା ପାଲଟି ଯାଇଥିଲା। ତାଙ୍କର ଏହି ନିଶା ଦେଖି ଓଡ଼ିଶା ରାଜ୍ୟ ଜୁଡୋ ସଂଘ ପକ୍ଷରୁ ଏକ ରେକର୍ଡ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରରେ ବ୍ୟବସ୍ଥା କରାଯାଇଥିଲା। ୨୦୦୮ ମସିହାରେ ମାତ୍ର ୩ ମିନିଟ୍‌ ୧୬ ‌ସେକେଣ୍ଡରେ ୨ଶହ ପଇଡ଼ ଭାଙ୍ଗି ସେ ଲିମ୍‌କା ରେକର୍ଡ ରଚିଲେ। ରେକର୍ଡ କରିବା ପରେ ସମଗ୍ର ରାଜ୍ୟ ତାଙ୍କର ଏ କୌଶଳକୁ ବାଃ ବାଃ କରିଥିଲା। ମାତ୍ର ଦୁଇବର୍ଷ ତଳେ ଧୀରେଧୀ‌‌ରେ ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହେବାକୁ ଲାଗିଲା। ପକ୍ଷାଘାତ ରୋଗ ଗ୍ରାସିବା ପରେ ତାଙ୍କ ପରିବାରକୁ ମାଡ଼ି ଆସିଥିଲା କଳା ବାଦଲ। ଡାଲା ଅଟୋ ଚଳାଇ ପରିବାରର ଗୁଜରାଣ ମେଣ୍ଟାଉଥିବା ଜାକିର୍ ଡାକ୍ତରଖାନାରେ କିଛିଦିନର ଚିକିତ୍ସା ପରେ ଏବେ ଘରେ ଶଯ୍ୟାଶାୟୀ। ଭଙ୍ଗା ଘରେ ୮ ପ୍ରାଣୀ ପରିବାର ଚଳୁଛନ୍ତି। ଜାକିର୍‌ଙ୍କ ଭାଇ ଓ ତାଙ୍କ ପରିବାର ମଧ୍ୟ ଏକାଠି ରହୁଛନ୍ତି। ଜାକିର୍‌ଙ୍କ ଭାଇ ଜାକିର୍‌ଙ୍କ ପରିବାରକୁ ଚଳାଇବାରେ ସାହାଯ୍ୟ କରୁଛନ୍ତି। ତେବେ ଅଭାବ ଅନଟନ ଯୋଗୁଁ ସ୍କୁଲ୍‌ରେ ପଢ଼ୁଥିବା ଜାକିର୍‌ଙ୍କ ପୁଅ ସେକ୍‌ ଜାଭେଦ୍‌ ବି ଏବେ ରୋଜଗାରକୁ ଓହ୍ଲାଇଛି। ସ୍କୁଲ୍‌ ସାରି ସେ ଅଣ୍ଡା ବିକ୍ରି କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜାକିର୍‌ଙ୍କ ଏପରି ଅବସ୍ଥା ସତ୍ତ୍ବେ ତାଙ୍କ ପାଖେ ରାସନ କାର୍ଡ ଖଣ୍ଡେ ନାହିଁ। ଇନ୍ଦିରା ଆବାସରେ ତାଙ୍କ ଘର ପାଇଁ ସହାୟତା ଆସିଛି। ମାତ୍ର କୌଣସି କାରଣରୁ ଟଙ୍କା ପାଇପାରି ନ ଥିବାରୁ ଘର କରି ପାରି ନାହାନ୍ତି। ଜାକିର୍‌ଙ୍କ ପତ୍ନୀ ସଞ୍ଜିତା ବିବି କୁହନ୍ତି, ଯେବେ ସେ ପଇଡ଼ ଭାଙ୍ଗି ରେକର୍ଡ କଲେ ବହୁତ ଲୋକ ଛିଡ଼ା ହୋଇ ତାଳିମାରି ତାଙ୍କୁ କାନ୍ଧେଇ ବୁଲାଇଥିଲେ। ଆଜି କିନ୍ତୁ ଖରାପ ସମୟରେ ପାଖରେ କେହି ନାହାନ୍ତି। ରାସନ କାର୍ଡ ପାଇଁ ବହୁତ ଦିନ ହେଲାଣି ଆବେଦନ କରିଛୁ। ମାତ୍ର ତାହା ମିଳୁନାହିଁ। ଏନେଇ ପିପିଲିର ଯୋଗାଣ ନିରୀକ୍ଷକ ଦୀପ୍ତିରଂଜନ ଇନ୍ଦ୍ରସିଂହ କହିଛନ୍ତି, ଜାକିର୍‌ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଯଦି ସେ ପାଇବାକୁ ହକଦାର ହେବେ ତେବେ ତାଙ୍କୁ ଦିଆଯିବ।

ସମ୍ବନ୍ଧିତ ଖବର