ଦୋ’ଛକିରେ ପ୍ରାର୍ଥୀଙ୍କ ପ୍ରଚାର: ଥମୁନି ବିଦ୍ରୋହୀଙ୍କ ସ୍ବର, ଜୟଦେବ ନିର୍ବାଚନମଣ୍ଡଳୀ

ବାଲିଅନ୍ତା: ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୟଦେବ ନିର୍ବାଚନମଣ୍ଡଳୀରେ ଟିକେଟ ବଣ୍ଟନ ଅସନ୍ତୋଷକୁ ନେଇ ବିଭିନ୍ନ ଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଥିବା ଦ୍ବନ୍ଦ୍ବ ଓ ଗୋଷ୍ଠୀକନ୍ଦଳ ଏଯାଏ ଥମୁନି। ଆବେଦନପତ୍ରରେ ତ୍ରୁଟି ଯୋଗୁଁ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ିଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ କଂଗ୍ରେସ ନିର୍ବାଚନ ଲଢ଼େଇରୁ ଏକରକମ ବାଦ୍‌ ପଡ଼ିଛି। ହେଲେ କଂଗ୍ରେସରୁ ଟିକେଟ ନପାଇ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ରାଘବ ଚନ୍ଦ୍ର ସେଠୀଙ୍କୁ ସୁକାନ୍ତ ସମର୍ଥନ ଜଣାଇବେ କି ନାହିଁ, ସେନେଇ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି। ତାଙ୍କ ପ୍ରାର୍ଥିତ୍ବକୁ ଦଳ ସମର୍ଥନ ଦେବ ବୋଲି ଶ୍ରୀ ସେଠୀ ଦାବି କରୁଥିବା ବେଳେ ସୁକାନ୍ତ ମେଣ୍ଟ ସମର୍ଥିତ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ବ୍ୟକ୍ତିଗତ ଭାବେ ସମର୍ଥନ କରି ପ୍ରଚାର କରିବେ ବୋଲି କହିଛନ୍ତି। ଯଦି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ସେଠୀଙ୍କୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦିଅନ୍ତି ତେବେ ସେ ପାଳନ କରିବେ ବୋଲି କହିଛନ୍ତି।

ଏଭଳି ଦୋଦୁଲ୍ୟମାନ ସ୍ଥିତିରେ କଂଗ୍ରେସ କର୍ମୀମାନେ ବିଜେପି, ବିଜେଡି ପ୍ରାର୍ଥୀ ଅବା ଆମ ସଂଗଠନ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ୨୦୧୪ ନିର୍ବାଚନକୁ ଅନୁକରଣ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବେଣୁଧର ଭୋଇଙ୍କୁ ମିଳିଥିବା ୨୮୬୮୬ଖଣ୍ଡ ଭୋଟ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ଜିତିବା ଓ ହାରିବାରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେଣୁ ସବୁ ଦଳ ଓ ସଂଗଠନର ନେତାଙ୍କଠୁ ଆରମ୍ଭ କରି କର୍ମୀ ଓ ସମର୍ଥକମାନେ ସମସ୍ତେ ଦୋଛକିରେ ଅଛନ୍ତି। ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଓ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପକ୍ଷରୁ ଏଯାଏଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ ହୋଇପାରିନି। ଏ ସଂପର୍କରେ ଜାଣିବା ପାଇଁ ଶ୍ରୀ ଢ଼ାଲିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନି। ହେଲେ ତାଙ୍କର ନିର୍ବାଚନୀ ଶିବିରରୁ ମିଳିଥିବା ସୂଚନାନୁସାରେ ଶ୍ରୀ ଢାଲି ନାମାଙ୍କନପତ୍ର ଦାଖଲ କରିବା ପରେ ମାଲକାନାଗିରି ଓ ଚିତ୍ରକୋଣ୍ଡା ଆଦି ନିର୍ବାଚନମଣ୍ଡଳୀ ପ୍ରଚାରରେ ଯାଇଛନ୍ତି। ସେଠାରୁ ୧୦ତାରିଖ ସଂଧ୍ୟାରେ ଫେରିଲେ ୧୧ତାରିଖରୁ ନିଜ ପାଇଁ ଜୋରଦାର ପ୍ରଚାର କରିବେ। କିନ୍ତୁ ନିର୍ବାଚନ ପରିଚାଳନାର ମଙ୍ଗ ଧରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗତଜୀବନ ସାହୁ ଓ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ବିଭିନ୍ନ ପଞ୍ଚାୟତରେ ଢାଲିଙ୍କ ପାଇଁ ପ୍ରଚାର ଆରମ୍ଭ ହୋଇଛି। ପୂରଣପଧାନ ପଞ୍ଚାୟତରେ ଆଜି ଶତାଧିକ କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଣାକ୍ରମରେ ଏଥର ବିଜେଡି ଟିକେଟ ପାଇନଥିବା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶ୍ରୀ ଢ଼ାଲିଙ୍କୁ ସମର୍ଥନ କରି ପ୍ରଚାରରେ ସାମିଲ ହେବେ କି ନାହିଁ ଜଣାପଡ଼ିନି। ତାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନି। ସେହିପରି ତାଙ୍କର ଆଉ କେତେଜଣ ବିଶ୍ବସ୍ତ ଅନୁଗତ ଜିଲ୍ଲା ପରିଷଦ ଓ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ଢ଼ାଲିଙ୍କ ଶିବିରରେ ଦେଖିବାକୁ ମିଳୁନଥିବାରୁ ସେମାନେ ତାଙ୍କ ସପକ୍ଷରେ ପ୍ରଚାର କରିବେ କି ଅନ୍ୟ କୌଣସି ରଣନୀତି ଆପଣାଇବେ ତାହା ବି ଜଣାପଡ଼ୁନି। ଅନ୍ୟପକ୍ଷରେ ଶଶିଙ୍କ ସହ ଥିବା ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ସଭାପତି, ଏକାଧିକ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଢାଲିଙ୍କ ଶିବିରରେ ସାମିଲ ହୋଇ ପ୍ରଚାର ଚଳାଇଛନ୍ତି।

ଅପରପକ୍ଷେ ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରଚାର ଓ ରୋଡ୍‌ ସୋ’ ବହୁ ଦିନ ଆଗରୁ ଜମିଲାଣି। ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ଶନିବାର ବାଲିପାଟଣା ବ୍ଲକର ମାର୍ଥାପୁର, ଆଲୋଇ, ନରିଶୋ, ଦେଉଳି, ଭାପୁର, ଆମୋଣାକୁଦ ଓ ବନମାଳିପୁର ଅଞ୍ଚଳରେ ରୋଡ୍‌ ସୋ’ କରିଛନ୍ତି। ଏହାପରେ ବାଲିଅନ୍ତା ବ୍ଲକର ବେଣ୍ଟପୁର, ବ୍ରାହ୍ମଣଷଡ଼ଙ୍ଗୀ, ସୁଧଷଡ଼ଙ୍ଗୀ, ବ୍ରାହ୍ମଣସୁଆଁଲୋ, ଲୁଣା, ଅଞ୍ଜିରା ଓ ବୁଦ୍ଧିପଡ଼ା-ବାଳକାଟି ମୁଖ୍ୟ ରାସ୍ତାରେ ରୋଡ୍‌ ସୋ’ କରିଥିଲେ। ତାଙ୍କ ସହ ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଦିଲ୍ଲୀପ ସ୍ବାଇଁ ଓ ସୁବାସ ଜେନାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତାମାନେ ପ୍ରଚାର କରିଥିଲେ। ତେବେ ଗତ ନିର୍ବାଚନରେ ୨୦ହଜାରରୁ ଅଧିକ ଭୋଟ ପାଇ ଏଥର ଦଳୀୟ ଟିକେଟ ପାଇ ନଥିବା ବସନ୍ତ ନାୟକ ଓ ତାଙ୍କ ସମର୍ଥକ ଗୋଷ୍ଠୀ ବି ଥତମତ ଅବସ୍ଥାରେ ଅଛନ୍ତି। ଜୟଦେବ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ‘ଆମ ସଂଗଠନ’ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ନବ କିଶୋର ମଲ୍ଲିକ। ଦୁଇଦିନ ମଧ୍ୟରେ ସଂଗଠନରେ ୨୦୦୦ରୁ ଅଧିକ ସମର୍ଥକ, ଟିକେଟ୍‌ ଆଶାୟୀ ଥିବା କେତେକ ପ୍ରାର୍ଥୀ ଗଡ଼ଶ୍ରୀରାମପୁରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷ ଚନ୍ଦନ ପାତ୍ରଙ୍କୁ ସମର୍ଥନ ଦେଇଛନ୍ତି। ଏହି ଅବସରରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଓ ବାଲିପାଟଣା ବ୍ଲକ ଅଧ୍ୟକ୍ଷା ଚୌଧୁରୀ ମନୀଷା ଦାଶ ବି ସା‌ମିଲ ଥିଲେ। ଚିହ୍ନ ନ ଆସୁଣୁ ଆଜି ପୂର୍ବାହ୍ନରେ ନବ ଜୟଦେବ ପୀଠରେ ମୁଣ୍ଡିଆ ମାରି ଜୟଦେବ ପଞ୍ଚାୟତର ଦେଉଳି, ଉପରସାହି, ମହୁଖଣ୍ଡା, ପ୍ରତାପରୁଦ୍ରପୁର ଆଦି ଗ୍ରାମରେ ପ୍ରଚାର କରିଥିଲେ। ଘରକୁ ଘର ବୁଲି ସେ ଲୋକଙ୍କୁ ମୁଣ୍ଡିଆ ମାରି ଭୋଟ ଭିକ୍ଷା କରିଥିଲେ। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କାର୍ଯ୍ୟ ସରିବା ପରେ ସବୁ ପ୍ରାର୍ଥୀଙ୍କ ପ୍ରଚାର ଅଧିକ ସରଗରମ ହେବ।

ସମ୍ବନ୍ଧିତ ଖବର