ଝାରପଡ଼ା ଦୁର୍ଗାପୂଜା : ଡିସ୍‌ନି ଲ୍ୟାଣ୍ଡ ପାର୍କରେ ଦର୍ଶନ ଦେବେ ମା’

ଝାରପଡ଼ା ଦୁର୍ଗାପୂଜା କମିଟି ଚଳିତ ବର୍ଷ ୯ମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ପୂଜାରେ ପ୍ୟାରିସ୍‌ର ‘ଡିସ୍‌ନି ଲ୍ୟାଣ୍ଡ ପାର୍କ’ ଦେଖିବାକୁ ମଳିବ। ତୋରଣରେ ଏହି କଳାକୃତି ଭେଟିଦେବା ପାଇଁ ପ୍ରସ୍ତୁତି ଚାଲିଛି। ଦେଢ଼ମାସ ଧରି ପଶ୍ଚିମବଙ୍ଗର କାରିଗର ପ୍ରତାପ ଚନ୍ଦ୍ର ଗିରି ଓ ସାଥୀମାନେ ଏହି ତୋରଣ ନିର୍ମାଣରେ ନିୟୋଜିତ ହୋଇଛନ୍ତି। ପ୍ରତିଷ୍ଠିତ କାରିଗର ସନ୍ତୋଷ ବେହେରା ମା’ ଦୁର୍ଗାଙ୍କର ୧୨ ଫୁଟ ଉଚ୍ଚର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ୨୦ ଫୁଟ ଉଚ୍ଚାର ବୁଲେନ୍‌ ଓ ସୁନେଲି ମେଢ଼ ପ୍ରସ୍ତୁତ କରୁଛନ୍ତି ବିଶ୍ବଜିତ ଦାସ। ଏଥର ନୂଆକରି ମା’ଙ୍କ ମୁଣ୍ଡରେ ରୁପା ମୁକୁଟ ଶୋଭା ପାଇବାକୁ ଯାଉଥିବା ବେଳେ ପାର୍ଶ୍ବ ଦେବଦେବୀ ମଧ୍ୟ ରୁପା ଅଳଙ୍କାରରେ ସଜେଇହେବେ।

ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ରାଜ୍ୟର ନାମୀ କଳାକାର ଭଜନ ସହ ମେଲୋଡି ପରିବେଷଣ କରିବେ। ଷ୍ଟାର ନାଇଟ୍‌ ମଧ୍ୟ ଭକ୍ତଙ୍କର ଆକର୍ଷଣ ସାଜିବ। ତା’ ସାଙ୍ଗକୁ ଦଶମୀ ତିଥିରେ ସନ୍ଧ୍ୟା ୭ଟା ବେ‌ଳେ ୪୦ ଫୁଟ୍‌ ଉଚ୍ଚର ରାବଣ ପୋଡ଼ି ଓ ଆତସବାଜି କାର୍ଯ୍ୟକ୍ରମ ଆୟୋଜିତ ହେବ। ଆଲୋକ ସଜ୍ଜାରେ ଏଥର ନିଆରାପଣ ବାରି ହୋଇ ପଡ଼ିବ। ୫ଟି ଆଲୁଅ ତୋରଣରେ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥା ସହ ଏଲ୍‌ଇଡି ଓ ମେକାନିକାଲ ଷ୍ଟ୍ରକ୍‌ଚର‌ରେ ଝଲସିବ ବିଭିନ୍ନ ଦୃଶ୍ୟ। ଅକ୍ଟୋବର ୯ ତାରିଖରେ ଭସାଣି ହେବ। ରାଜ୍ୟର କୋଣ ଅନୁକୋଣରୁ ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ଦେଖିବାକୁ ମିଳିବ।

୨୦ ସିସିଟିଭି ଜଗିବ
ପୂଜା ମଣ୍ଡପରେ ଅପରାଧିକ କାର୍ଯ୍ୟକଳାପ ତଥା ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ଏଠାରେ ୨୦ଟି ସିସିଟିଭି କ୍ୟାମେରା ଖଞ୍ଜା ଯାଉଛି। ୩ଟି ଭିଡିଓ କ୍ୟାମେରା ଓ ଜିମି କ୍ୟାମେରା ଦ୍ବାରା ଏଲ୍‌ଇଡି ମାଧ୍ୟମରେ ଏହି ପୂଜାର ସିଧା ପ୍ରସାରଣ ମଧ୍ୟ ହେବାକୁ ଯାଉଛି। ୩ ଶହ ସ୍ବେଚ୍ଛାସେବୀ କେବଳ ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାରେ ପୁଲିସକୁ ସହଯୋଗ କରିବେ। ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି।
ଶିଖର ଚନ୍ଦ୍ର ଜେନା, ସଭାପତି

ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମ ଥର ପାଇଁ ଆମେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଛୁ। ହୁଇଲ୍‌ ଚେୟାର ମାଧ୍ୟମରେ ସ୍ବେଚ୍ଛାସେବୀମାନେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରିବେ।
ଧରଣୀଧର ଜେନା, ସମ୍ପାଦକ

ଲାଗିବ ମୀନାବଜାର
ପୂଜାରେ ସାମିଲ ହେବାକୁ ଆସୁଥିବା ପ୍ରତ୍ୟେକଙ୍କ ପାଇଁ ଆମୋଦ ପ୍ରମୋଦ ବ୍ୟବସ୍ଥା କରାଯାଇଛି। ମୀନାବଜାର ସହ ଦୋଳି ଓ ଅସ୍ଥାୟୀ ବଜାରର ଖୋଲାଯିବ। ଆଶୁ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ରହିବ।
ଶ୍ରୀଧର ଜେନା, ଆବାହକ

ସମ୍ବନ୍ଧିତ ଖବର