ହାଣ୍ଡିଭଙ୍ଗା ଯାତକୁ ନେଇ ଅନିଶ୍ଚିତତା : ଦିନ ତମାମ ଉପାସରେ କପିଳନାଥ, ଆସିଲେନି ପାଳିଆ ମଲିଆ ସେବାୟତ

ଭୁବନେଶ୍ୱର : ଆଜି ମହାପ୍ରଭୁ କପିଳନାଥଙ୍କୁ ଦିନ ତମାମ ଉପାସରେ ରହିବାକୁ ପଡ଼ିଛି। ମନ୍ଦିରକୁ ପାଳିଆ ମଲିଆ ସେବାୟତ ନଆସିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଜିଲ୍ଲା ପ୍ରଶାସନ ଦିନସାରା ମନ୍ଦିର ନିକଟରେ ଅପେକ୍ଷା କଲେ ମଧ୍ୟ ଶେଷରେ ନିରାଶ ହୋଇଛି। ତେଣୁ ଶନିବାର ହେବାକୁ ଥିବା ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତର ଅବ୍ୟବହିତ ପୂର୍ବରୁ କପିଳେଶ୍ବର ମହାପ୍ରଭୁ ଉପାସ ରହିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ୬ ବର୍ଷ ହେଲା ବନ୍ଦ ହୋଇଯାଇଥିବା ହାଣ୍ଡିଭଙ୍ଗା ଯାତ ପରମ୍ପରା ପୁଣି ଫେରିବ ବୋଲି ଯେଉଁ ଆଶା କରାଯାଉଥିଲା, ସେଥିରେ ଭଟ୍ଟା ପଡ଼ିଛି ବୋଲି ଆଶଙ୍କା କରାଯାଉଛି।

ଆଜି ସକାଳୁ ଜିଲ୍ଲା ପ୍ରଶାସନ କପିଳେଶ୍ବର ମନ୍ଦିରରେ ପହଞ୍ଚିବା ବେଳକୁ ମନ୍ଦିରରେ ତାଲା ଝୁଲୁଥିଲା। ସକାଳ ପ୍ରାୟ ୮ଟାରୁ ତାଲା ପଡ଼ିଥିଲା ଓ ନିକଟରେ ଚାବି ଝୁଲୁଥିଲା। ପାଳିଆ ମଲିଆ ସେବାୟତ କାର୍ଯ୍ୟରେ ଯୋଗ ନ ଦେବାରୁ ମନ୍ଦିରର ତାଲା ଖୋଲା ହୋଇନଥିଲା। ଉପଜିଲ୍ଲାପାଳ ତଥା କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ ସାହୁ ପାଳିଆ ସେବାୟତଙ୍କୁ ଅପେକ୍ଷା କରିକରି ଅପରାହ୍ନରେ ଫେରିଥିଲେ। ସେ ପାଳିଆ ମଲିଆ ସେବାୟତଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ କାର୍ଯ୍ୟରେ ଯୋଗ ଦେଇନଥିଲେ ବୋଲି କହିଥିଲେ। ଏହାପରେ ଉପଜିଲ୍ଲାପାଳ ଶ୍ରୀ ସାହୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ବିଏମ୍‌ସି ଡେପୁଟି କମିସନର ଅବନୀକାନ୍ତ ପଟ୍ଟନାୟକ ଓ ଦେବୋତ୍ତର ବିଭାଗ ଡେପୁଟି କମିସନରଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟରେ ଯୋଗ ଦେଇନଥିବା ସେବାୟତଙ୍କୁ ଦେବୋତ୍ତର ବିଭାଗ ୨୪ ଓ ୩୨ ଧାରାରେ କାରଣ ଦର୍ଶାଅ ନୋଟିସ୍‌ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି। ସେହିଭଳି ନୀତି ସୁରୁଖୁରୁରେ ହେବା ପାଇଁ ଆବଶ୍ୟକ ସ୍ଥଳେ ଥାନାରେ ଏତଲା ଦିଆଯିବ ବୋଲି ସୂଚନା ମିଳିଛି। ଆଜିର ନୀତି ବିଭ୍ରାଟ ପାଇଁ ଠାକୁର ଭୋକରେ ରହିଥିବାରୁ ଶନିବାର ହାଣ୍ଡିଭଙ୍ଗା ଯାତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କିନ୍ତୁ ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇଥିଲା। କପିଳେଶ୍ବର ମନ୍ଦିରରେ ଶନିବାର ସକାଳୁ ନୀତି ସୁରୁଖୁରରେ ହେବାକୁ ଅପେକ୍ଷା କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର