ସୁଧୁରିଲାନି ଲିଙ୍ଗରାଜ ମନ୍ଦିର ପାଣି ଗଳିବା ସମସ୍ୟା: ୬୦ଲକ୍ଷ କୁଆଡ଼େ ଭାସିଗଲା?

କେମିତି ଅଛନ୍ତି ସିଦ୍ଧି ବିନାୟକ?

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭାରତୀୟ ପୁରାତତ୍ତ୍ବ ବିଭାଗ (ଏଏସ୍ଆଇ)ର ଲଗାତାର ଅଣଦେଖା ଜାରି ରହିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ମନ୍ଦିରରେ ପାଣି ଗଳିବା ପ୍ରସଙ୍ଗକୁ ଏଏସ୍‌ଆଇ ଆଦୌ ଗୁରୁତ୍ବ ଦେଉନାହିଁ। କିଛିମାସ ପୂର୍ବରୁ ଏଏସ୍‌ଆଇ ପକ୍ଷରୁ ମନ୍ଦିର ସୁରକ୍ଷା ପାଇଁ କିଛି ମରାମତି କାମ କରାଯାଇଥିଲା। ପାଣି ଗଳିବା ସମସ୍ୟାର ସମାଧାନ ସହ ଚଟାଣ କାମ ପାଇଁ ୬୦ ଲକ୍ଷ ଖର୍ଚ୍ଚ କରା ଯାଇଥିଲା। କିନ୍ତୁ ସେସବୁ ଗୋଟିଏ ବର୍ଷାକୁ ମଧ୍ୟ ଅଟକାଇ ପାରିଲାନି, ମନ୍ଦିରରେ ଏବେବି ପାଣି ଗଳି ଚାଲିଛି। ଏଥିରୁ ଠିକାଦାରଙ୍କ କାମ କେତେ ନିମ୍ନମାନର ତାହା ପ୍ରମାଣିତ ହୋଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଟଙ୍କା ଖର୍ଚ୍ଚ ପରେ ସମସ୍ୟା ସମାଧାନ ହୋଇ ନଥିଲେ ହେଁ ଏଏସ୍ଆଇ ଆଦୌ ଚିନ୍ତିତ ଥିବାଭଳି ମନେ ହେଉନାହିଁ। ଏ ଦିଗରେ ଏଯାଏ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ମାନସମନ୍ଥନ ମଧ୍ର ହୋଇନାହିଁ।
ଉଲ୍ଲେଖନୀୟ ଯେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ଘଟଣାର ଅନୁଧ୍ୟାନ ପାଇଁ ଏଏସ୍ଆଇର ଦିଲ୍ଲୀ ମୁଖ୍ୟାଳୟରୁ ଏକାଧିକ ଅଧିକାରୀ ଆସିଛନ୍ତି।

ଏଏସ୍ଆଇ (ସଂରକ୍ଷଣ) ନିର୍ଦେଶକ ଭିମା ଅଜମିର ଗତ ଅଗଷ୍ଟ ୨୧ରେ ପାଣି ଗଳୁଥିବା ସ୍ଥାନକୁ ବୁଲି ଦେଖିଥିଲେ। ୨୦୨୧ ଡିସେମ୍ବର ୨୮ତାରିଖରେ ଏଏସ୍ଆଇ ଅତିରିକ୍ତ ଡିଜି ଡ. ଆଲୋକ ତ୍ରିପାଠୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା ଅନୁଧ୍ୟାନ କରିଥିଲେ। ଏହି ମାମଲା ସହିତ ମନ୍ଦିରରେ ଲାଗି ରହିଥିବା ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତତ୍କାଳୀନ ଏଏସ୍ଆଇ ମଣ୍ଡଳ ଅଧିକ୍ଷକ ଅରୁଣ ମଲିକଙ୍କ ସହ ଆଲୋଚନା କରି ଶ୍ରୀଲିଙ୍ଗରାଜ ମରାମତି ପାଇଁ ସେ ୧କୋଟି ୨୦ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। ତେବେ ଠିକାଦାର କେବଳ ୬୦ଲକ୍ଷ ଟଙ୍କାର କାମ କରିଥିଲେ। ବାକି ୬୦ଲକ୍ଷ ଫେରି ଯାଇଛି ବୋଲି ଏଏସ୍ଆଇ ପକ୍ଷରୁ ସଫେଇ ଦିଆଯାଇଛି। ପ୍ରଶ୍ନ ଉଠୁଛି, ୬୦ଲକ୍ଷ ଟଙ୍କା‌ ବ୍ୟୟରେ ମନ୍ଦିରର ପାଣି ଗଳିବା ସମସ୍ୟା କାହିଁକି ସମାଧାନ ହୋଇପାରିଲାନି? ଏନେଇ ଏଏସ୍ଆଇର ପକ୍ଷରୁ ଠିକାଦାରଙ୍କୁ ଉତ୍ତର ମଗା ଯାଇଛି କି? ୬୦ଲକ୍ଷ ଟଙ୍କା କେଉଁଠି ଖର୍ଚ୍ଚ ହେଲା, ତାହାର ହିସାବ ଦେବାକୁ ସେବାୟତ ଦାବି କରିଛନ୍ତି।

କେମିତି ଅଛନ୍ତି ସିଦ୍ଧି ବିନାୟକ?

ବର୍ତ୍ତମ‌ାନ ସବୁଆଡ଼େ ଶ୍ରୀଗଣେଷ ପୂଜା ଉତ୍ସବ ଜାକଜମକରେ ପାଳିତ ହେଉଥିବା‌ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଥିବା ପ୍ରାଚୀନ ସିଦ୍ଧି ବିନାୟକ ମନ୍ଦିରର ସ୍ଥିତି କେମିତି ଅଛି, ସମସ୍ତେ ଜାଣିବା ଉଚିତ। ସାମାନ୍ୟ ବର୍ଷା ହେଲେ ସିଦ୍ଧି ବିନାୟକ ମନ୍ଦିରରେ ମଧ୍ୟ ପାଣି ଗଳୁଛି। ଏବେ ସବୁ ଆଡ଼େ ଗଣେଶ ପୂଜା ଚାଲିଥିବା ବେଳେ ପୁରାତନ ସିଦ୍ଧି ବିନାୟକ ମନ୍ଦିର ଅବସ୍ଥା କହିଲେ ନସରେ। ବିଭିନ୍ନ ସମୟରେ ଏ ମନ୍ଦିରର କାନ୍ଥ କରେଣ୍ଟ୍‌ ମାରୁଛି। ଏଏସ୍ଆଇ ପକ୍ଷରୁ ନିୟମିତ ଅନୁଧ୍ୟାନ କରାଯାଉ ନଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଦୁଇବର୍ଷ ହେଲା ଅସରାଏ ବର୍ଷା ହେଲେ ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଛି। ମନ୍ଦିରର ଗର୍ଭଗୃହରେ ପାଣି ଧାର ଚାଲୁଛି। ନିୟମିତ ପାଣି ଗଳୁଥିବାରୁ ମନ୍ଦିରଟି ଦିନକୁ ଦିନ ଦୁର୍ବଳ ହେଉଛି। ସିଦ୍ଧି ବିନାୟକ ମନ୍ଦିରର ପୂଜକ ରିତୁ ମକଦ୍ଦମ କହନ୍ତି, ସାମାନ୍ୟ ବର୍ଷା ହେଲେ ମନ୍ଦିରରୁ ପାଣି ଗଳୁଛି। କାନ୍ଥ ଜକେଇ କରେଣ୍ଟ୍‌ ମାରୁଛି। ଏନେଇ ଏଏସ୍‌ଆଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର