ଓଡ଼ିଆ ଜାତି ପାଇଁ ମଧୁବାବୁ ଚିରସ୍ମରଣୀୟ

ଓଡ଼ିଶା ରାଜ୍ୟ ପ୍ରାଶାସନିକ ନ୍ୟାୟାଧିକରଣ ଓକିଲ ସଂଘ: ମଧୁ ବାବୁ ଓଡ଼ିଆ ଜାତି ଓ ଭାଷା ପାଇଁ ଯାହା କରିଯାଇଛନ୍ତି, ତାହା ଚିରସ୍ମରଣୀୟ ବୋଲି ହାଇକୋର୍ଟର ବିଚାରପତି ପ୍ରମଥ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରାଶାସନିକ ନ୍ୟାୟାଧିକରଣ ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏପରି କହିଛନ୍ତି। ସଂଘର ସଭାପତି ଅନନ୍ତ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ପ୍ରାଶାସନିକ ନ୍ୟାୟା‌ଧିକରଣର କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ପୁରୋହିତ ଯୋଗଦେଇ ମଧୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ସଂଘର ଉପସଭାପତି ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ଦୀପକ କୁମାର ମନ୍ଥନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପରମାନନ୍ଦ ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବହୁ ବରିଷ୍ଠ ଆଇନଜୀବୀ ସାମିଲ ଥିଲେ।

କିସ୍‌: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି କିସ୍‌’ ଅନୁଷ୍ଠାନ ପରିସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ମହାପୁରୁଷ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ କିଟ୍ ଓ କିସ୍‌’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ। କିସ୍’‌ର ପରିଚାଳନା ଅଧିକାରୀ ସଂପାଦକ ଆର୍.ଏନ୍ ଦାଶ, ସିଇଓ ପ୍ରଶାନ୍ତ ରାଉତରାୟ, ସିଓଓ ସୂର୍ଯ୍ୟମଣି ମହାନ୍ତି, ଡିସିଇଓ ପ୍ରମୋଦ ପାତ୍ର ଓ ଡିଓ ବସନ୍ତ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରେ ଅତିଥିମାନେ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ।

ଏକାମ୍ର ଜନଜାଗରଣ ମଞ୍ଚ: ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ନନ୍ଦକିଶୋର ନଗର ମୋତିଲାଲ ଭବନଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

କଳିଙ୍ଗ ସିନେ ଆର୍ଟସ୍‌: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସ୍ବାଭିମାନ ଦିବସ ଅବସରରେ ଇନଫୋସିଟି ଥାନା ନିକଟ ଅଳଶୁଆ ଗ୍ରାମରେ ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମାଜିକ ଅନୁ‌ଷ୍ଠାନ କଳିଙ୍ଗ ସିନେ ‌ଆର୍ଟସ୍ ପକ୍ଷରୁ ଗ୍ରାମରେ ବସବାସ କରୁଥିବା ପଛୁଆ ବର୍ଗ ଗରିବ ପିଲାମାନଙ୍କୁ ଖାଦ୍ୟ, ପାଠ୍ୟ ଉପକରଣ ଓ ସଚେତନାତ୍ମକ ପୁସ୍ତକ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମର ପ୍ରାୟ ୨୦ରୁ ଅଧିକ ଛୋଟପିଲା ଓ ସେମାନଙ୍କ ଅଭିଭାବକ ସାମିଲ ହୋଇଥିଲେ। ପିଲାଙ୍କୁ ଭଲ ମଣିଷ କରିବା, ନାରୀ ସମ୍ମାନ ଓ ଝିଅଙ୍କୁ ପାଠ ପଢ଼ାଇବା ନେଇ ଅନୁଷ୍ଠାନର ସଭ୍ୟମାନଙ୍କୁ ସଚେତନ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ବିଦ୍ୟାଧର ବାରିକ ଉପସ୍ଥିତ ଥିଲେ। ସଭ୍ୟ ସୁମନ୍ତ ଭୋଇ ଓ ରାଜୁ ଦାସ ମିଷ୍ଟାନ୍ନ ବଣ୍ଟନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର