ସକାଳରୁ ରାତି, ଅସଂଯତ ପାର୍କ

ଭୁବନେଶ୍ବର: ମଧୁସୂଦନ ପାର୍କ ଭିତରେ ଅସଂଯତ ଯୁବକ ଯୁବତୀଙ୍କ ଭିଡ଼ ଯୋଗୁଁ ଏଠାକୁ ବୁଲିଯିବା ପାଇଁ ମହିଳା ଓ ପିଲାମାନେ ସଂକୋଚ ପ୍ରକାଶ କରୁଛନ୍ତି। ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ଯୁବକ ଯୁବତୀଙ୍କ ଗହଳି। ସେମାନଙ୍କ ମଧ୍ୟରୁ କେତେଜଣ ପାର୍କଟିକୁ ନିଜର ବେଡରୁମ ଭଳି ବ୍ୟବହାର କରୁଛନ୍ତି। ଏହା ଯେତିକି ନିନ୍ଦନୀୟ, ଏହାକୁ ଦେଖି ନଦେଖିବା ଭଳି ଏଡ଼ାଇ ଯିବା ସୁରକ୍ଷା କର୍ମୀଙ୍କ ଆଚରଣ ମଧ୍ୟ ସେତିକି ସନ୍ଦେହଜନକ।

ବିଡିଏ ଦ୍ବାରା ପରିଚାଳିତ ଏହି ପାର୍କରେ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ୭ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ମାତ୍ର ସେମାନେ ବି ଯେମିତି ଏହା ଏକ ନିତିଦିନିଆ ସମସ୍ୟା ଭାବିନେଇ ଏସବୁ ପ୍ରତି ଆଖି ବୁଜି ଦେଇଛନ୍ତି। ଏହି ଉଦ୍ୟାନର ବିଶେଷତ୍ବ ହେଉଛି ଏହା ରାଜଧାନୀର କିଛି ହାତ ଗଣତି ବଡ଼ ପାର୍କ ମଧ୍ୟରେ ଅନ୍ୟତମ। ଏଠାରେ ପିଲାଙ୍କ ଖେଳ ଜୋନ୍‌ଠୁ ନେଇ ସ୍କେଟିଂ ଅଞ୍ଚଳ, ଯୋଗ ମଣ୍ଡପ, ୩ କିଲୋମିଟର ରାଉଣ୍ଡ ଟ୍ରାକ, ମୁକ୍ତାକାଶ ବ୍ୟାୟାମଶାଳା ଆଦି ଥିବାରୁ ପିଲାଙ୍କଠୁ ନେଇ ପ୍ରାୟ ସବୁବର୍ଗର ଲୋକଙ୍କ ଆଗମନ ହୁଏ। ମାତ୍ର ପାର୍କ ମଧ୍ୟରେ ପ୍ରେମୀ ଯୁଗଳଙ୍କ ଏଭଳି ଅଶୋଭନୀୟ କାର୍ଯ୍ୟକାଳପ ଯୋଗୁଁ ପିଲାଛୁଆଙ୍କ ସହ ପରିବାର ଲୋକେ ଆସିବାକୁ ଇଚ୍ଛା କରୁନାହାନ୍ତି। ମାନସିକ ସନ୍ତୁଳନ ପାଇଁ ଲୋକେ ସେଠାକୁ ଯାଉଥିଲେ ହେଁ ସବୁ ସନ୍ତୁଳନ ପାର୍କକୁ ପ୍ରବେଶ ମାତ୍ରେ ବିଗିଡ଼ି ଯାଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରେମୀ ଯୁଗଳଙ୍କ ଏପରି ଆଚରଣର ଫାଇଦା ଉଠାଇବାକୁ ବି କିଛି ଦୁର୍ବୃତ୍ତ ପାର୍କରେ ଘୂରି ବୁଲୁଛନ୍ତି। ଅନ୍ତରଙ୍ଗ ମୁହୂର୍ତର ଫଟୋ ଉତ୍ତୋଳନ କରି ଧମକ ଚମକ ଦେଉଛନ୍ତି। ଏପରି କି ବ୍ଲାକମେଲିଂ କରୁଛନ୍ତି। ନିକଟରେ ଏମିତି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହା ସେମାନଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି କରୁଛି। ତେଣୁ ଅନ୍ତତଃ ପାର୍କରେ ନିୟୋଜିତ ସୁରକ୍ଷାକର୍ମୀମାନେ ଏଥିପ୍ରତି ସଜାଗ ହେବା ଉଚିତ୍‌। ବିଡିଏ କର୍ତୃପକ୍ଷ ମଧ୍ୟ ଏ ଦିଗରେ ଯତ୍ନବାନ ହେବା ସହ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର