ଆରମ୍ଭ ହେଲା ‘ମୋ ସାଇକେଲ୍‌’ : ଏଣିକି ଭଡ଼ାରେ ମିଳିବ ସାଇକେଲ୍‌, ଅଧଘଣ୍ଟାକୁ ୫ ଟଙ୍କା

ସଦସ୍ୟ ହେଲେ ଅଧଘଣ୍ଟା ମାଗଣା, ସଦସ୍ୟତା ଫି’ ୧୦୦ ଓ ୧୪୯ଟଙ୍କା

ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ‘ମୋ ସାଇକେଲ୍‌’ ବ୍ୟବସ୍ଥା ଆରମ୍ଭ ହୋଇଛି। ରାଜଧାନୀବାସୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା, ବାୟୁ ପ୍ରଦୂଷଣ କମାଇବାକୁ ଲକ୍ଷ୍ୟ ରଖି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଛକରେ ପତାକା ଦେଖାଇ ଏହି ‌ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୨ହଜାର ସାଇକେଲ୍‌ ଗଡ଼ିବାକୁ ଥିବାବେଳେ ଆଜି ୧୪୦୦ ସାଇେକଲ୍‌ ବିମାନବନ୍ଦର ଛକରୁ ବାହାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା।

କେବଳ ଅନଲାଇନ୍‌ରେ ସାଇକେଲ୍ ବୁକିଂ ସୁବିଧା ଥିବାବେଳେ ଏଥିପାଇଁ କ୍ରୁଟ୍ ପକ୍ଷରୁ ‘ମୋ ସାଇକେଲ୍‌’ ଆପ୍ କରାଯାଇଛି। ପ୍ଲେ ଷ୍ଟୋରକୁ ଯାଇ com.crut.mocycle ଲେଖିଲେ ମୋ ସାଇକେଲ୍‌ ଆପ୍ ଆସିବ। ଏହାକୁ ଇନଷ୍ଟଲ୍ କରି ସାଇକେଲ୍‌ ବୁକିଂ କରିହେବ। ସେହିପରି ସାଇକେଲ୍‌ ଯୋଗାଉଥିବା ତିନିଟି ସଂସ୍ଥା ହେକ୍ସି ବାଇକ୍, ୟାନା ଓ ୟୁଲୁ ଆପ୍ ଡାଉନଲୋଡ୍ କରି ବି ଲୋକମାନେ ସାଇକେଲ୍ ବୁକିଂ କରିପାରି‌େବ। ମୋବାଇଲ୍‌ରେ ବୁକିଂ କରିବା ପରେ ସାଇକେଲ୍‌ ଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ୍ କରି ସାଇକେଲ୍‌ ଲକ୍ ଖୋଲି ହେବ। ସାଇକେଲ୍ ଜିପିଏସ୍‌ ଦ୍ବାରା ଚାଲୁଥିବାରୁ ଯେତିକି ସମୟ ପାଇଁ ବୁକିଂ ହୋଇଥିବ ସେତିକି ସମୟ ଚାଲିବା ପରେ ଆପେଆପେ ଅଟକିଯିବ।

ରାଜଧାନୀରେ ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍ ଚଳାଇବେ ସେଥିପାଇଁ ପ୍ରତି ଅଧ ଘଣ୍ଟାକୁ ଭଡ଼ା ୫ ଟଙ୍କା ରଖାଯାଇଛି। କିନ୍ତୁ ପ୍ରଥମ ୫ଦିନ ସମସ୍ତଙ୍କ ପାଇଁ ମାଗଣାରେ ସାଇକେଲ୍ ଉପଲବ୍ଧ ହେବ। ଏହାପରେ ଭଡ଼ା ଦେବାକୁ ପଡ଼ିବ। ଯଦି କେହି ଏହି ସଂସ୍ଥାରେ ସଦସ୍ୟ ଭାବେ ପଞ୍ଜୀକୃତ ହେବେ ତେବେ ତାଙ୍କୁ ପ୍ରତିଦିନ ମାଗଣାରେ ଅଧଘଣ୍ଟା ସାଇକେଲ୍ ଚଳାଇବାର ସୁବିଧା ମିଳିବାକୁଥିବାବେଳେ ଅଣସଦସ୍ୟଙ୍କ ପାଇଁ ଫି’ ଦେଇ ସାଇକେଲ୍ ଚଳାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୨୦ଟି ସ୍ଥାନରେ ପ୍ରାୟ ୧୪୦୦ ସାଇକେଲ୍‌ ଉପଲବ୍ଧ ହେଉଛି। ଡିସେମ୍ବର ୧ରୁ ୨୦୦୦ ସାଇକେଲ୍ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗଡ଼ିବାକୁ ଥିବା ୨୦୦୦ ସାଇକେଲ୍‌ରୁ ହେକ୍ସି ବାଇକ୍ ୧୦୦୦ଟି ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍‌ ଯୋଗାଇଛନ୍ତି। ସାଇକେଲ୍ ଚାଳକଙ୍କ ଯାତାୟାତରେ ଯେପରି କିଛି ସମସ୍ୟା ନଉପୁଜିବ ସେଥିପାଇଁ ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍ ବି ନିର୍ମାଣ ହୋଇଛି। ଏହା ଉପରେ ଯେପରି ବେଆଇନ ଗାଡ଼ି ପାର୍କିଂ ନହେବ ସେଥିପାଇଁ ଏଠାରେ ନୋ ପାର୍କିଂ ଖୁଣ୍ଟ ଲଗାଯାଇଛି। ତିନିଟି ସଂସ୍ଥା ସାଇକେଲ୍ ଯୋଗାଇ ଥିବାବେଳେ ପୃଥକ ପୃଥକ ମେମ୍ବରସିପ୍ କାର୍ଡ ଉପଲବ୍ଧ ହେଉଛି। ଏଥିରେ ୟାନା ଓ ହେକ୍ସି ସଂସ୍ଥାର ମେମ୍ବରସିପ୍ ଫି’ ମାସକୁ ୧୦୦ଟଙ୍କା ରଖାଯାଇଛି। ଏଥିରେ ସାଇକେଲ୍ ଚଳାଇଲେ ପ୍ରଥମ ଅଧ ଘଣ୍ଟା ମାଗଣା ହେବ। ଏହାପରେ ପ୍ରତି ଅଧଘଣ୍ଟା ପାଇଁ ୫ଟଙ୍କା ଫି’ ଦେବାକୁ ପଡ଼ିବ। ଏହା ମୋ ସାଇକେଲ୍‌ ଆପ୍‌ରେ ଥିବା ୱାଲେଟ୍‌ରୁ କଟିବ। ଏଥିରେ ସର୍ବନିମ୍ନ ଦେୟ ୫ଟଙ୍କା ରଖାଯାଇଛି।

ସେହିପରି ୟୁଲୁର ମେମ୍ବରସିପ୍ ନେଲେ ଦିନକ ମଧ୍ୟରେ ଯେତେ ସମୟ ସାଇକେଲ୍‌ ଚଳାଇଲେ ବି ଅଧଘଣ୍ଟା ମାଗଣା ‌ହିସାବ କରାଯିବ। ତା’ପରେ ଅଧଘଣ୍ଟାକୁ ୫ଟଙ୍କା ଫି’ ଆଦାୟ ହେବ। ଏଥିରେ ସର୍ବନିମ୍ନ ଦେୟ ୫ଟଙ୍କା ରଖାଯାଇଛି। ଏହାର ‌େମମ୍ବରସିପ୍ ଫି’ ମାସକୁ ୧୪୯ଟଙ୍କା ରଖାଯାଇଛି।

ଏହାସହ ‌େଲାକ ଚାହିଁଲେ ଦିନକ ପାଇଁ, ସପ୍ତାହକ ପାଇଁ, ମାସିକିଆ କିମ୍ବା ୬ମାସିଆ ବୁକିଂ କରିପାରିବେ। ଏଥିପାଇଁ ଆଗୁଆ ଅର୍ଥ ଦେବାକୁ ପଡ଼ିବ।

କେବଳ ଏତିକି ନୁହେଁ ଯଦି ଆପଣ ସାଇକେଲ୍ ଚଳାଇବା ସମୟରେ କୌଣସି ତ୍ରୁଟି ଦେଖାଦେଲା ତେବେ ସେହିଠାରେ ହିଁ ସାଇକେଲ୍ ଛାଡ଼ି ପଳାଇବେ। ଏଥିପାଇଁ କେବଳ ସଂସ୍ଥାକୁ ଗୋଟିଏ କଲ୍‌ କରିବାକୁ ପଡ଼ିବ। ଏହାପରେ ସଂସ୍ଥାର ମେକାନିକ୍ ସାଇକେଲ୍ ସଜାଡ଼ି ନେଇଯିବେ। ଅନ୍ୟ ସମୟରେ ବି ସାଇକେଲ୍ ଯେ କୌଣସି ସ୍ଥାନରେ ଛାଡ଼ି ଯାଇପାରିବେ। ତିନିଟି ସଂସ୍ଥାର କର୍ମଚାରୀ ଏହାକୁ ସଂଗ୍ରହ କରିନେବେ। ଏବେ ରାଜଧାନୀର ସମସ୍ତ ପ୍ରମୁଖ ସ୍ଥାନରେ ସାଇକେଲ୍ ଡକିଂ ସେଣ୍ଟର କରାଯାଇଛି। ଇନଫୋସିଟିରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଉପଲବ୍ଧ ହେବ।

ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍, ବିଏମ୍‌ସି କମିସନର କ୍ରିଷନ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଭୁବନେଶ୍ବରର ଦୁଇ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ପ୍ରମୁଖ ଶତା‌ଧିକ ସାଇକେଲ୍‌ ଆରୋହୀଙ୍କ ସହ ସାଇକେଲ୍‌ ଚଳାଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ।

ସମ୍ବନ୍ଧିତ ଖବର