ଦୋଷୀକୁ ଫାଶୀ ହେଲେ ମୋ ଝିଅକୁ ନ୍ୟାୟ ମିଳିବ: ମିନତି

ଭୁବନେଶ୍ବର : ମୋ ଝିଅ ପୁଷ୍ପଲତାକୁ ସଞ୍ଜୟ ନିର୍ଯାତନା ଦେଉଥିଲା। ଖର୍ଚ୍ଚ କରିବାକୁ ଟଙ୍କା ଦେଉ ନ ଥିଲା। ଶେଷରେ ମୋ ଝିଅକୁ ମାରିଦେଲା। ଏମିତି ମାରିଲା ଯେ ଶରୀରରୁ ମୁଣ୍ଡକୁ ଅଲଗା କରିଦେଲା। ଦୋଷୀକୁ ଫାଶୀ ଦଣ୍ଡ ହେଲେ ମୋ ଝିଅକୁ ନ୍ୟାୟ ମିଳିବ। ଆଜି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଏମିତି ପ୍ରତିକ୍ରିୟା ରଖିଛନ୍ତି ମୃତ ପୁଷ୍ପଲତାଙ୍କ ମା’ ମିନତି ପାତ୍ର।

ମିନତି ନିଜ ଝିଅ ପୁଷ୍ପଲତାକୁ ବି ଦୋଷ ଦେଇଛନ୍ତି। ସେ କହିଛନ୍ତି, ଝିଅ ପୁଷ୍ପଲତା ସହ ଗଞ୍ଜାମର ଶରତ ରାଉଳଙ୍କ ବିବାହ ହୋଇଥିଲା। କିନ୍ତୁ ଦୁଇ ବର୍ଷ ପରେ ରୋଗରେ ପଡ଼ି ପ୍ରାଣ ହରାଇଲେ ଶରତ। ତାଙ୍କ ଘରେ ସେତେବେଳେ ଭଡ଼ାରେ ରହୁଥିବା ସଞ୍ଜୟ ବିବାହିତ ଥିଲା। ତା’ର ପତ୍ନୀ ଓ ଗୋଟିଏ ପୁଅ ବି ଥିଲା। ହେଲେ ସ୍ବାମୀ ଚାଲିଯିବା ପରେ ଧୀରେ ଧୀରେ ସଞ୍ଜୟ ସହ ଝିଅ ପୁଷ୍ପଲତାର ସମ୍ପର୍କ ଗଢି ଉଠିଥିଲା। ଉଭୟ ଘରୁ ଚାଲି ଯାଇଥିଲେ। କିନ୍ତୁ ସଞ୍ଜୟ ସବୁବେଳେ ତା’କୁ ନିର୍ଯାତନା ଦେଉଥିଲା। ଏପରିକି ଠିକ୍ ଭାବେ ଖାଇବାକୁ ଦଉ ନ ଥିଲା। ଝିଅ ଏ କଥା ମୋ ଆଗରେ କହେ। ଡିସେମ୍ବର ମାସରେ ସେ ଆଉ ଗୋଟିଏ ବିବାହ କରିବ ବୋଲି କହୁଥିଲା। କିନ୍ତୁ ମୁଁ ମନା କରିବା ସହ କହିଥିଲି ଜଣଙ୍କ ସାଙ୍ଗରେ ତ ରହୁଛୁ, ଆଉ କାହିଁକି ବାହା ହବୁ? କିନ୍ତୁ ସେ ମୋ କଥା ଶୁଣି ନ ଥିଲା। ଆଉ ଏମିତି ଅଘଟଣ ଘଟିଗଲା। ଝିଅ ଦୁଇଟା ବାପା ଛେଉଣ୍ଡ ହୋଇଥିଲେ, ଏବେ ମା ଛେଉଣ୍ଡ ବି ହୋଇଗଲେ।

କେବଳ ସେତିକି ନୁହେଁ; ଝିଅ ପୁଷ୍ପଲତା ଆଉ ଥରେ ପ୍ରୀତିରଞ୍ଜନକୁ ବିବାହ କରିବା ଏବଂ ସେଠାରୁ ପୁଣି ଚାଲି ଆସିବା ଘଟଣାକୁ ସେ ନାପସନ୍ଦ କରିଥିଲେ ମିନତି। ଝିଅର ଏଭଳି ଗୁଣ ଯୋଗୁ ସେ ତାକୁ ଘରେ ଅନେକ ସମୟରେ ପୂରାନ୍ତି ନାହିଁ ବୋଲି ମଧ୍ୟ କହିଥିଲେ।

ଶାଲ୍‌, ନାଇଟିରୁ ଚିହ୍ନିଲି
ଝିଅ ସହ ନିୟମିତ ଯୋଗାଯୋଗରେ ଥିଲି। ୩ ତାରିଖ ଅପରାହ୍ନରେ ଫୋନ୍ କରିଥିଲି; କିନ୍ତୁ ମୋବାଇଲ ସୁଇଚ୍ଅଫ୍ ରହିଥିଲା। ପରଦିନ ପୁଣି ଫୋନ୍ କରିଥିଲି ସୁଇଚ୍ଅଫ୍ ଦେଖାଇଥିଲା। ସଞ୍ଜୟ ଫୋନକୁ ମଧ୍ୟ କଲ୍ କରିଥିଲି। କିନ୍ତୁ ତାହା ମଧ୍ୟ ସୁଇଚ୍ଅଫ୍ ରହିଥିଲା। ସଞ୍ଜୟ ମୋବାଇଲ ଫୋନ୍ ସବୁବେଳେ ଅନ୍ ରହୁଥିଲେ ମଧ୍ୟ ଦୁଇ ଦିନ ଧରି ସୁଇଚ୍ଅଫ୍ ଦେଖାଇବାରୁ ମନରେ ସନ୍ଦେହ ବଢ଼ିଥିଲା। ଫୁଲେଶ୍ବରୀ ବସ୍ତିକୁ ଯାଇ ଦେଖିଲା ବେଳକୁ ଘର ତାଲା ପଡିଥିଲା। ଝିଅ ବ୍ୟବହାର କରୁଥିବା ସ୍କୁଟି ମଧ୍ୟ ନ ଥିଲା। ପାଖ ପଡ଼ୋଶୀଙ୍କୁ ପଚାରିଥିଲେ ବି କେହି କିଛି କହିପାରି ନ ଥିଲେ। ଶେଷରେ ଗଣମାଧ୍ୟମରୁ ମୁଣ୍ଡବିହୀନ ଶବ ପିନ୍ଧିଥିବା ନାଇଟି, ପାଖରେ ପଡ଼ିଥିବା ଶାଲ୍ ଓ ହାତରେ ଥିବା ଟାଟୁ ଦେଖିବା ପରେ ମନକୁ ପାପ ଛୁଇଁଥିଲା। କାରଣ ଏହି ନାଇଟି ମୁଁ ତାକୁ କିଣି ଦେଇଥିଲି। ୮ ତାରିଖରେ ପୁଲିସକୁ ଫୋନ୍ କରି ଜଣାଇଥିଲି। ଆଉ ମୃତଦେହ ଦେଖିବା ପରେ ଏହା ଝିଅର ସ୍ପଷ୍ଟ ହୋଇଯାଇଥିଲି ବୋଲି କହିଛନ୍ତି ପୁଷ୍ପଲତାଙ୍କ ମା ମିନତି।

ପ୍ରୀତିରଞ୍ଜନଙ୍କ ସହ ବିବାହ ପରେ ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିଲା ସଞ୍ଜୟ
ପୁଷ୍ପଲତା ପ୍ରୀତିରଞ୍ଜନଙ୍କୁ ବିବାହ କଥା ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ସଞ୍ଜୟ। ଏପରିକି ପୁଷ୍ପଲତାଙ୍କର କିଛି ଅଶ୍ଳୀଳ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରେ ଭାଇରାଲ୍ କରିଥିଲା। ସଞ୍ଜୟ ଦୀର୍ଘ ବର୍ଷ ଧରି ଏକାଠି ରହିବା ପରେ ମଧ୍ୟ ପୁଷ୍ପଲତାଙ୍କୁ ବିବାହ କରୁ ନ ଥିଲା। ନୂଆ ବିବାହକୁ ମଧ୍ୟ ଗ୍ରହଣ କରିପାରୁ ନ ଥିଲା। ଯାହା ଫଳରେ ଫଟୋ ଭାଇରାଲ୍ କରି ସେ ପୁଷ୍ପଲାତକୁ ବ୍ଲାକମେଲ୍ କରୁଥିଲା। ଏହି ଘଟଣା ପରେ ପୁଷ୍ପଲତା ପୁଣିଥରେ ସଞ୍ଜୟ ପାଖକୁ ଫେରି ଆସିଥିଲେ ବୋଲି କହିଛନ୍ତି ତାଙ୍କ ମା ମିନତି।

ସମ୍ବନ୍ଧିତ ଖବର