ସୁରଙ୍କ ଗଡ଼ରେ ନୂଆମୁହଁ: ଜଟଣୀରେ ନୂଆ-ପୁରୁଣା ଲଢ଼େଇ

ସିଦ୍ଧାର୍ଥଙ୍କ ଭୂମିକା ଉପରେ ନଜର

ଜଟଣୀ: ଜଟଣୀ ବିଧାନସଭା ଆସନରୁ ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା ପରେ ଏବେ ରାଜନୀତି ଅଧିକ ସରଗରମ ହୋଇଉଠିଛି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସ ଜଟଣୀ ବିଧାନସଭା ଆସନରୁ ସନ୍ତୋଷ ଜେନାଙ୍କ ନାମ ଘୋଷଣା ପରେ ଆରମ୍ଭ ହୋଇଛି ଅସଲ ରାଜନୀତି। ଜଟଣୀକୁ କଂଗ୍ରେସ ଗଡ଼ ବା ‘ସୁରଗଡ଼’ କୁହାଯାଉଥିବା ବେଳେ ଏଥର କିନ୍ତୁ ଦଳରୁ ନୂଆମୁହଁ ଦେଖିବାକୁ ମିଳିଛି। ବିଜେଡିରୁ ବିଭୂତି ବଳବନ୍ତରାୟ, ବିଜେପିରୁ ବିଶ୍ୱରଞ୍ଜନ ବଡ଼ଜେନା ପୂର୍ବରୁ ପ୍ରତିଦ୍ବନ୍ଦିତା କରିଆସୁଥିବା ବେଳେ ଏଥର କଂଗ୍ରେସରୁ ନୂତନ ଭାବେ ସନ୍ତୋଷ ଜେନା ମଇଦାନକୁ ଓହ୍ଲାଇଛନ୍ତି। ଫଳରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି।

ସୁରଙ୍କ ସାନ ପୁଅ ମନ୍ମଥ ବିଜେଡିରେ ମିଶିବା ପରେ ଜଟଣୀ କଂଗ୍ରେସ ଗୋଳିଆ ହୋଇଯାଇଛି। ତାଙ୍କ ସମର୍ଥକମାନେ ବିଜେଡିରେ ମିଶିଯାଇଥିବା ବେଳେ ବହୁ ପୁରୁଣା ଛାମୁଆ ନେତା ବା କର୍ମୀ କଂଗ୍ରେସରୁ ଟିକେଟ ଆଶାରେ ରହି ନିରାଶ ହୋଇଛନ୍ତି। ଖୋଦ୍ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଟିକେଟ ଆଶାରେ ଥିଲେ। କିନ୍ତୁ ଦଳ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ଫଳରେ ଆଶାୟୀ ପ୍ରାର୍ଥୀମାନେ କ୍ଷୁବ୍ଧ ହୋଇଛନ୍ତି। ସନ୍ତୋଷଙ୍କୁ ସେମାନେ ସମର୍ଥନ କରିବେ ନା ଦଳ ବଦଳାଇବେ ତାହାକୁ ନେଇ ବିଚାରବିମର୍ଶ ଚାଲିଛି। ଆଗକୁ ଯଦି ପୁରୁଣା ନେତାମାନେ ସନ୍ତୋଷଙ୍କୁ ସମର୍ଥନ ନ କରନ୍ତି ତାହେଲେ ତାଙ୍କ ପାଇଁ ବଡ଼ ଆହ୍ୱାନ ହେଉଛି ସେ ନୂଆ କର୍ମୀ ଓ ନୂଆ ଚେହେରାଙ୍କୁ ଧରି ମଇଦାନରେ ବୁଲିବେ। ତେବେ ଅସନ୍ତୁଷ୍ଟଙ୍କୁ ସନ୍ତୋଷ କିପରି ମନାଇବେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ନିଜେ କଂଗ୍ରେସ ଟିକେଟ ଲବିରେ ଥାଇ ନିରାଶ ହୋଇଛନ୍ତି। କଂଗ୍ରେସରୁ ଟିକେଟ ନମିଳିଲେ, ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ପୂର୍ବରୁ କହିଥିଲେ। ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ତାଙ୍କ ଆଭିମୁଖ୍ୟ ସେ ସ୍ପଷ୍ଟ କରିନାହାନ୍ତି। କଂଗ୍ରେସର ଅନ୍ୟତମ ଆଶାୟୀ ତଥା ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ କହିଛନ୍ତି, କଂଗ୍ରେସରୁ ସନ୍ତୋଷଙ୍କୁ ପ୍ରାର୍ଥୀ କରିବାରେ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥଙ୍କର ହିଁ ବଡ଼ ଭୂମିକା ରହିଛି। ସେ ଦଳର କୌଣସି କର୍ମୀ କି ପତାକା ଧରି ନଥିଲେ। ଦଳର ହାଇକମାଣ୍ଡ ମନଇଚ୍ଛା ନିଷ୍ପତ୍ତି ନେଇଗଲେ। ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଜଣାଇଛୁ। କଂଗ୍ରେସ ମୁଖ୍ୟାଳୟରୁ ୪ଦିନ ସମୟ ନିଆଯାଇଛି। ତାହା ପରେ ଯାହା ନିଷ୍ପତ୍ତି ନିଆଯିବ। କଂଗ୍ରେସକୁ ଭଲ ପାଉଥିଲି ଆଗକୁ ମଧ୍ୟ। ଦଳ ଯାହା ନିଷ୍ପତ୍ତି ନେଇଛି ତାହାକୁ ଗ୍ରହଣ କରୁଛି। କିନ୍ତୁ ଦଳରେ ୪୦ବର୍ଷ ରହି ସଂଗଠନ କରିବା ପରେ ମଧ୍ୟ ଦୁଇ ତିନି ଦିନରେ ଦଳ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉଛି। ସେହିପରି ଜଟଣୀ ନଗର କଂଗ୍ରେସର ସଭାପତି ତଥା ଆଶାୟୀ ପ୍ରାର୍ଥୀ ଥିବା ଅଶୋକ ମଙ୍ଗରାଜ ନିଜର ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର