ରାଜଧାନୀରେ ପୁଞ୍ଜି ନି‌େବଶ ପାଇଁ ନୂଆ ତରିକା: ଟାର୍ଗେଟ୍‌ରେ ସ୍ମାର୍ଟ ସିଟିର ପିପିପି ପ୍ରକଳ୍ପ

ବିଏମ୍‌ସିର ଗଣ୍ଡାଗଣ୍ଡା ପିପିପି ପ୍ରକଳ୍ପ ଏମ୍‌ଓୟୁରେ ସୀମିତ

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରରେ ପିପିପି ମୋଡ୍‌ରେ ହେବାକୁ ଥିବା ୨୫୬୩କୋଟିର ପ୍ରକଳ୍ପ ମଧ୍ୟରୁ ଏବେବି ୧୬୮୫‌ କୋଟିର ପ୍ରକଳ୍ପ ପାଇଁ ଅର୍ଥ ଯୋଗାଡ଼ ହୋଇପାରି ନଥିବାରୁ କର୍ତ୍ତୃପକ୍ଷଙ୍କୁ ଚିନ୍ତା ଘାରିଛି। ରେଳ ଷ୍ଟେସନ୍ ମଲ୍ଟିମୋଡାଲ୍‌ ହବ୍‌ ପାଇଁ ଗଠନ ହୋଇଥିବା ସ୍ପେସାଲ ପରପୋଜ୍ ଭେଇକିଲ୍‌(ଏସ୍‌ପିଭି) ଅର୍ଥ ଯୋଗାଡ଼ କରିବାରେ ଫେଲ୍‌ ମାରିବା ଏବଂ ଉଦ୍ୟୋଗୀମାନେ ପିପିପି ମୋଡ୍‌ରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ଦେଖାଉ ନଥିବା ଜାତୀୟ ସ୍ତରରେ ହୋଇଥିବା ସର୍ଭେରେ ଜଣାପଡ଼ିବା ପରେ ଏବେ ରାଜଧାନୀରେ କିପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂଆ ଯୋଜନା ଆରମ୍ଭ ହୋଇଛି। କିପରି ଅଧିକରୁ ଅଧିକ ଉଦ୍ୟୋଗୀ ଭୁବନେଶ୍ବରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ହେବେ, ଭୁବନେଶ୍ବରରେ ଅଧିକ ପୁଞ୍ଜିନିବେଶ ହେବ, ପୁଞ୍ଜି ଖଟାଇବାକୁ ଥିବା ଉଦ୍ୟୋଗୀଙ୍କ ଯୋଜନାରେ ଯେପରି କୌଣସି ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଇନଭେଷ୍ଟମେଣ୍ଟ ପ୍ରୋମୋସନ ଆଣ୍ଡ ଫେସିଲେସନ୍ ସେଲ୍‌ ଖୋଲାଯାଇଛି। ଏହି ସେଲ୍‌ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ସମେତ ରାଜଧାନୀର ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ଯୋଗାଡ଼ କରିବ ‌େବାଲି ନିଷ୍ପତ୍ତି ହୋଇଛି।

ନିବେଶକାରୀଙ୍କୁ ଆକର୍ଷଣ କରିବାକୁ ଗଠନ ହେଲା ଇନଭେଷ୍ଟମେଣ୍ଟ ପ୍ରୋମୋସନ ଆଣ୍ଡ ଫେସିଲେସନ୍ ସେଲ୍‌

ଏଥିପାଇଁ ବିଏମ୍‌ସି କମିସନର ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିବାବେଳେ ଏଥିରେ ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ ଇ‌ନଭେଷ୍ଟମେଣ୍ଟ ପ୍ରୋମୋସନ୍‌ (ବିନିଯୋଗ ପ୍ରୋତ୍ସାହନ)ର ନୋଡାଲ ଅଫିସର ଏବଂ ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କୁ ଓ ପ୍ରବୀର ଖିଲାର ଇନଭେଷ୍ଟର ଫେସିଲେସନ୍ ଆଣ୍ଡ ଇଜ୍‌ ଅଫ୍ ଡୁଇଙ୍ଗ୍‌ ବିଜିନେସ୍‌ର ନୋଡାଲ ଅଫିସର ଅଛନ୍ତି। ଶ୍ରୀ ମିଶ୍ର ବିନିଯୋଗକାରୀଙ୍କ ସୁଗମ ବ୍ୟବସ୍ଥା ନିମନ୍ତେ ଏବଂ ଶ୍ରୀ ଖିଲାର ବାଣିଜ୍ୟକୁ ସହଜ କରିବା ନିମନ୍ତେ କାର୍ଯ୍ୟ କରିବେ। ଏହାସହ ଇପିକଲ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏବଂ ସହରରେ ଥିବା ଅନ୍ୟାନ୍ୟ ରାଜ୍ୟସ୍ତରୀୟ ଓ ବିଭାଗର ସମନ୍ବୟରେ କାର୍ଯ୍ୟ କରିବେ। ମିଳିଥିବା ସୂଚନା ଅନୁଯାୟୀ, ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍‌ରେ ୮୪୫କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ପୁଞ୍ଜି ନିବେଶକାରୀ ଯୋଗାଡ଼ କରିପାରିଲେନି। ସେହିପରି ମିସନ୍‌ ଆବାସରେ ଶାନ୍ତିନଗର, ବାପୁଜୀଗନର, ଖାରବେଳ ନଗର ଓ ସହିଦନଗରରେ ପ୍ରାୟ ୧୦ହଜାର ଘର ନିର୍ମାଣ ହେବାକୁ ଥିବାବେଳେ ୮୪୦କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଅଛି। ଏଥିପାଇଁ ବି ନିବେଶକାରୀ ମିଳୁନାହାନ୍ତି। ସ୍ମାର୍ଟ ସିଟି ଯୋଜନାକୁ ୩ ବର୍ଷ ବିତି ଯାଇଥିଲେ ବି ପିପିପି ମୋଡ୍‌ରେ ହେବାକୁ ଥିବା ଦୁଇଟି ପ୍ରମୁଖ ତଥା ବଡ଼ ପ୍ରକଳ୍ପ ପାଇଁ ପୁଞ୍ଜିନିବେଶକାରୀ ଯୋଗାଡ଼ ନହୋଇପାରିବା କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଭୁବନେଶ୍ବରରେ ପ୍ରକଳ୍ପ କରିବାକୁ ହେଲେ ବିଏମ୍‌ସିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ବିଏମ୍‌ସିରେ ଇନଭେଷ୍ଟମେଣ୍ଟ ପ୍ରମୋସନ୍‌ ଏବଂ ଫେସିଲେସନ୍ ସେଲ୍‌ ଖୋଲି ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ଲୋକଙ୍କୁ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ବିଏମ୍‌ସି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସକ୍ଷମ ହୋଇପାରୁ ନଥିବାବେଳେ ଏବେ ପୁଞ୍ଜିନିବେଶକାରୀଙ୍କୁ ଯୋଗାଡ଼ କରିବା ଦାୟିତ୍ବ ଦିଆଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ପିପିପି ମୋଡ୍‌ରେ ଗାଡ଼କଣରେ ଏକ ହସ୍ପିଟାଲ ନିର୍ମାଣ କରିବାକୁ ତିନି ଥର ଏମ୍‌ଓୟୁ ସ୍ବାକ୍ଷର କରିଥିଲେ ବି ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିଲାନି। ସେହିପରି ଗାଡ଼କଣରେ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ହୋଇଥିଲେ ବି ଏହାକୁ ଦେଢ଼ ବର୍ଷ ହେଲା କାର୍ଯ୍ୟକ୍ଷମ କରାଯାଇପାରୁନି। ପ୍ଲାଷ୍ଟିକ ବର୍ଜ୍ୟ ବିଶୋଧନ ପାଇଁ ୟୁଏନ୍‌ଡିପି ସହ ଚୁକ୍ତି ହୋଇଥିଲେ ବି ଏହା କାର୍ଯ୍ୟକାରୀ ହୋଇପାରିନି। ଏହିପରି ଗଣ୍ଡାଗଣ୍ଡା ପିପିପି ପ୍ରକଳ୍ପ ବିଏମ୍‌ସିରେ ଏମ୍‌ଓୟୁ ସ୍ତରରେ ରହିଯାଇଛି। ଯେଉଁ ସଂସ୍ଥା ପିପିପି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଫେଲ୍‌ ମାରିଛି ସେ କିପରି ଅର୍ଥ ଯୋଗାଡ଼ କରିବ ସେନେଇ ଏବେ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କଲେଣି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବର ଏବେ ପୂର୍ବ ଭାରତର କ୍ରୀଡ଼ା ରାଜଧାନୀ ପାଲଟିଛି। ଶିକ୍ଷା ହବ୍, ଆଇଟି ହବ୍ ପାଲଟିଛି। ମନ୍ଦିରମାଳିନୀ ଭୁବନେଶ୍ବରରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ପର୍ଯ୍ୟାପ୍ତ ସୁଯୋଗ ଅଛି। ଏହାର କେବଳ ପ୍ରଚାର ପ୍ରସାର କରିବା ସହ ନିବେଶକାରୀଙ୍କୁ ମନାଇବା ଆବଶ୍ୟକ ଅଛି। ଆମେ ଏଥିରୁ ସଫଳ ହେବୁ ।

ସମ୍ବନ୍ଧିତ ଖବର