ବିଏମ୍‌ସି ଅଫିସ ଘେରାଉ କରିବ ଉଠାଦୋକାନୀ ବ୍ୟବସାୟୀ ସଂଘ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ଉଠା ଦୋକାନ ଭଙ୍ଗା ଅଭିଯାନ ପ୍ରତିବାଦରେ ଆସନ୍ତା ଗୁରୁବାର ଦିନ ଭୁବନେଶ୍ୱର ଉଠା ଦୋକାନୀ ସଂଘ ପକ୍ଷରୁ ବିଏମ୍‌ସି ଅଫିସ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି। ଆଜି ଭଗବତୀ ଭବନଠାରେ ସଂଘର ସଭାପତି ସୁର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଠା ଦୋକାନୀମାନଙ୍କୁ ଥଇଥାନ ନକରି ଦୋକାନ ଭଙ୍ଗାଯାଇ ପାରିବ ନାହିଁ ବୋଲି ଆଇନ ପ୍ରଣୟନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯିବା ପରେ ବିଏମ୍‌ସି ପକ୍ଷରୁ ସର୍ଭେ କରାଯାଇ ଉଠାଦୋକାନୀମାନଙ୍କୁ କୁପନ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନି। ଏଭଳି ସ୍ଥିତିରେ ସେମାନଙ୍କ ଦୋକାନ ଭଙ୍ଗାଯିବା ସମ୍ପୂର୍ଣ୍ଣ ବେଆଇନ। ତେଣୁ ଏହି ଭଙ୍ଗା ଅଭିଯାନକୁ ବନ୍ଦ କରିବା ପାଇଁ ବିଏମ୍‌ସି ଘେରାଉ ହେବ ଏବଂ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର