ଭୁବନେଶ୍ୱର: ବିଶ୍ୱର ମୋଟ ଜନସଂଖ୍ୟାର ୫୬.୨% ଲୋକ ସହରାଞ୍ଚଳରେ ବସବାସ କରୁଛନ୍ତି। ୨୦୫୦ ସୁଦ୍ଧା ଏହା ୬୮%ରେ ପହଞ୍ଚିବ ବୋଲି ଜାତିସଂଘ ଆକଳନ କରିଛି। ଫଳରେ ସହରାଞ୍ଚଳଗୁଡ଼ିକ କ୍ରମଶଃ ବର୍ଦ୍ଧିତ ଚାପର ସମ୍ମୁଖୀନ ହୋଇ ଚାଲିଛନ୍ତି। ଏଥିଯୋଗୁଁ ପ୍ରଦୂଷଣ, ଯାନବାହନର ବର୍ଦ୍ଧିତ ଟ୍ରାଫିକ୍, ଗହଳିପୂର୍ଣ୍ଣ ଜନବସତି, ବୃହତ୍ କଂକ୍ରିଟ୍ ସଂରଚନା ଏବଂ ସବୁଜିମାର ହ୍ରାସ ଆଦି କାରକ ଦ୍ୱାରା ସହରର ପରିବେଶୀୟ ଗୁଣାତ୍ମକ ମାନରେ ଅବକ୍ଷୟ ଘଟୁଛି। ତେଣୁ ସହରାଞ୍ଚଳରେ ଉତ୍ତମମାନର ଭୂଭାଗ ଦୃଶ୍ୟ (ଲ୍ୟାଣ୍ଡସ୍କେପ୍) ବା ପ୍ରାକୃତିକତା ସୃଷ୍ଟି କରିବା ଆଜି ସମୟର ଆବଶ୍ୟକତା ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଙ୍ଗଲ, ମନୋରଞ୍ଜନ ପାର୍କ, ପ୍ରକୃତି କେନ୍ଦ୍ର ଏବଂ ଅନ୍ୟାନ୍ୟ ସବୁଜ କ୍ଷେତ୍ରର ସୃଷ୍ଟି ସହରାଞ୍ଚଳର ଭୂଦୃଶ୍ୟ ପୁନରୁଦ୍ଧାର ଏବଂ ସଂରକ୍ଷଣରେ ସହାୟତା କରେ। ସହରଗୁଡ଼ିକରେ ଉନ୍ନତ ଭୂଦୃଶ୍ୟର ବିକାଶ ଅଙ୍ଗାରକାମ୍ଳ ଶୋଷଣ, ପ୍ରଦୂଷଣ ନିୟନ୍ତ୍ରଣ ଓ ବାୟୁର ସ୍ୱଚ୍ଛତା ବୃଦ୍ଧି କରିଥାଏ। ଅତଏବ୍, ନୂତନ ସହର ପ୍ରତିଷ୍ଠା କିମ୍ବା ବର୍ତ୍ତମାନର ସହରଗୁଡ଼ିକର ସମ୍ପ୍ରସାରଣ କରିବା ସମୟରେ ବିଶେଷଜ୍ଞ ସ୍ଥପତିମାନଙ୍କ ଦ୍ୱାରା ଉପଯୁକ୍ତ ଯୋଜନା ମାଧ୍ୟମରେ ଭୂଦୃଶ୍ୟ ବିକାଶ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଏହା ମଧ୍ୟ ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକର ସମାଧାନ ପନ୍ଥା ପ୍ରଦାନ କରିପାରିବ। ଓଡ଼ିଶା ପରିବେଶ ସମିତି (ଓଇଏସ୍) ଆନୁକୂଲ୍ୟରେ ଆୟୋଜିତ ‘ପରିବେଶ ଦୃଷ୍ଟିକୋଣରୁ ସହରାଞ୍ଚଳ ଲ୍ୟାଣ୍ଡସ୍କେପ୍’ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି।
ଓଇଏସ୍ର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ବିଶ୍ୱବିଦ୍ୟାଳୟର ଫ୍ଲୋରିକଲଚର୍ ଏବଂ ଲ୍ୟାଣ୍ଡସ୍କେପିଂ ବିଭାଗର ମୁଖ୍ୟ ପ୍ରଫେସର୍ ଶଶିକଳା ବେଉରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରଫେସର ବେଉରା କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ସହରାଞ୍ଚଳର ଭୂଭାଗ ଦୃଶ୍ୟକୁ ଉନ୍ନତ କରିବା ଗୁରୁତ୍ବପୂର୍ଣ୍ଣ। ଏହା କେବଳ ଆକର୍ଷଣୀୟ, ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବ ନାହିଁ, ବରଂ ସହରର କଂକ୍ରିଟ୍ ଜଙ୍ଗଲରେ ମଧ୍ୟ ପ୍ରାକୃତିକତା ପ୍ରଦାନ କରିବ। ରାସ୍ତା ପାର୍ଶ୍ୱରେ ଏବଂ ସର୍ବସାଧାରଣ ପାର୍କରେ ବୃକ୍ଷର ସବୁଜିମା ଏବଂ ରଙ୍ଗିନ୍ ଫୁଲର ସୌନ୍ଦର୍ଯ୍ୟ ମନୋରଞ୍ଜନ ଏବଂ ମାନସିକ ଚାପରୁ ମୁକ୍ତିର ଉତ୍ସ ରୂପେ କାର୍ଯ୍ୟ କରିବ। ତେଣୁ ସହରାଞ୍ଚଳରେ ଉପଯୁକ୍ତ ଭୂଦୃଶ୍ୟ ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ।
ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଉପସଭାପତି ଡ. ଲାଲା ଏକେ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୀବନ ମହାପାତ୍ର, ଡ. ବିଜୟ କେତନ ପଟ୍ଟନାୟକ, ପ୍ରଫେସର୍ ରାଜେନ୍ଦ୍ର ସୁବୁଦ୍ଧି, ପ୍ରଫେସର୍ ଜୟନ୍ତ ରାଉତରାୟ, ପ୍ରଫେସର ପି.ଏନ୍. ଜଗଦେବ ଏବଂ ପ୍ରଫେସର ବି.ଏସ୍. ପାତ୍ର ଯୋଗଦେଇ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଯୁଗ୍ମ ସମ୍ପାଦକ ଇଂ ମନୋରଂଜନ ମିଶ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ବହୁ ପରିବେଶବିତ୍, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।