ବାପୁଜୀନଗର ମାର୍କେଟରେ ୱାନ୍‌-ୱେ ପାଇଁ ପ୍ରସ୍ତାବ

ଭୁବନେଶ୍ବର : ବାପୁଜୀନଗର ମାର୍କେଟ ଭିତରେ ଥିବା ଦୁଇଟି ରାସ୍ତା ଓ ୮ଟି ଗଳି ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଯାତାୟାତ ହେଉଛି। ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ପାର୍କିଂ ପାଇଁ ବ୍ୟବସ୍ଥା ନ ଥିବାରୁ ଗ୍ରାହକମାନେ ରାସ୍ତା ଉପ‌ରେ ଗାଡ଼ି ରଖୁଛନ୍ତି। ଯେଉଁଥିପାଇଁ ମାର୍କେଟ ଭିତରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତାହାକୁ ଦୂର କରିବା ଲାଗି ବଜାର ଭିତରେ ୱାନ-ୱେ ଟ୍ରାଫିକ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ବାପୁଜୀନଗରରେ ଥିବା ଦୁଇଟି ମୁଖ୍ୟ ରାସ୍ତା, ୮ଟି ଗଳି ମଧ୍ୟରେ ୱାନ-ୱେ ଯାତାୟାତ ବ୍ୟବସ୍ଥା ସହ ରାସ୍ତାର ଗୋଟିଏ ପାର୍ଶ୍ୱରେ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ବାପୁଜୀନଗର ନାଗରିକ କମିଟି ଓ ବାପୁଜୀନଗର ଚାମ୍ବର ଅଫ୍ କମର୍ସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଫୋରମ ଫର ସ୍ମାର୍ଟ ସିଟିଜେନର ଆବାହକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ବାପୁଜୀନଗରରେ ପାର୍କିଂ ପାଇଁ ଥିବା ୩୯ ହଜାର ବର୍ଗଫୁଟ ସ୍ଥାନକୁ ସଦୁପ‌ଯୋଗ କରାଯିବ। ପ୍ରତି ଲେନ୍ ପଛପାର୍ଶ୍ବରେ ଥିବା ସଂରକ୍ଷିତ ଜାଗାକୁ ବ୍ୟବସାୟୀମାନଙ୍କ ନିଜସ୍ବ ପାର୍କିଂ ପାଇଁ ବ୍ୟବହାର କରିବା, ଉଠାଦୋକାନୀମାନଙ୍କୁ ଯୋଗୁଁ ଉପୁଜିଥିବା ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ନେବା, ମାଉସୀ ମା’ ଓଭରବ୍ରିଜ୍‌ ପାର୍ଶ୍ବ‌ରେ ଥିବା ଜମିକୁ ଉପଯୋଗ କରି ଟ୍ରାଫିକ୍ ସମସ୍ୟାକୁ ଦୂର କରିବାକୁ ପ୍ରସ୍ତାବ ଦିଆଯାଇଛି। ମାଉସୀ ମା’ ଓଭରବ୍ରିଜ୍‌ର ସମ୍ପ୍ରସାରଣ କରାଗଲେ ସେଠାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟାକୁ କେତେକାଂଶରେ ଦୂର କରିଯାଇପାରିବ ବୋଲି ମତପ୍ରକାଶ ପାଇଛି।

ବାପୁଜୀ ନଗର ମାର୍କେଟ୍‌‌‌‌‌ରେ ସୃଷ୍ଟି ସମସ୍ୟା ବିଷୟରେ ଫୋରମ ଖୁବ୍‌ଶୀଘ୍ର ଭୁବନେଶ୍ୱର-କଟକ କମିସନରେଟ୍‌ ପୁଲିସ ସହ ଆଲୋଚନା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ବୈଠକରେ ବାପୁଜୀନଗର ଚାମ୍ବର ଅଫ୍ କମର୍ସର ସଭାପତି ମିହିର ମହମ୍ମଦ କଲମ, ବାପୁଜୀ ନଗର ନାଗରିକ କମିଟିର ସମ୍ପାଦକ ଦୁଷ୍ମନ୍ତ କୁମାର ସାହୁ, ପୂର୍ବତନ ସୂଚନା କମିସନର ତଥା ସମାଜସେବୀ ଜଗଦାନନ୍ଦ, ପୂର୍ବତନ ଇଏସ୍ଆଇ କମିସନର ବିମଳ ଚନ୍ଦ୍ର ସାହୁ, ସମାଜସେବୀ ମକବୁଲ୍ ଅଲ୍ଲୀଙ୍କ ସମେତ ବିଡିଏ ଓ କମିସନରେଟ୍ ପୁଲିସର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର