ବିଏମ୍‌ସି ହସ୍ପିଟାଲ, ଛୁଟିରେ ନିଶ୍ଚେତକ ଡାକ୍ତର, ଓଟି ବନ୍ଦ

ପୁରୁଣା ଭୁବନେଶ୍ୱର: ରାଜଧାନୀର ସର୍ବପୁରାତନ ବିଏମ୍‌ସି ହସ୍ପିଟାଲର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ହସ୍ପିଟାଲରେ ଅପରେସନ୍‌ ଥିଏଟର (ଓଟି) ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହସ୍ପିଟାଲର ନିଶ୍ଚେତକ ଡାକ୍ତର ନଥିବାରୁ ଏପରି ଅବସ୍ଥା ହୋଇଛି। ପ୍ରକାଶଯୋଗ୍ୟ, ହସ୍ପିଟାଲରେ ବହୁ ବିଭାଗ ବନ୍ଦ ହୋଇଥିବା ବେଳେ ସର୍ଜରି, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭିନ୍ନ ଅପରେସନ୍‌ ଯୋଗୁଁ ରୋଗୀ ସେବା ପାଇପାରୁଥିଲେ। ହେଲେ ଏହି ସେବା ଏବେ ବନ୍ଦ ହୋଇଯାଇଛି। ଏଠାରେ ଥିବା ନିଶ୍ଚେତକ ଡାକ୍ତର ମାସେ ପାଇଁ ଛୁଟି ନେଇଥିବା କୁହାଯାଉଥିବା ବେଳେ ପ୍ରକୃତରେ ସେ ଆଉ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି। ପ୍ରତିଦିନ ୧୦ରୁ ୧୫ଟି ଅପରେସନ୍‌ କାର୍ଯ୍ୟ ହେଉଥିବା ବେଳେ ଏହା ବନ୍ଦ ହୋଇଯାଇଛି। ଯାହା ହସ୍ପିଟାଲର ସମସ୍ୟାକୁ ବହୁ ଗୁଣା ବୃଦ୍ଧି କରିଛି। ପୂର୍ବରୁ ହସ୍ପିଟାଲରେ ହୃଦ୍‌ରୋଗ ବିଭାଗ ଖୋଲିବାକୁ ୩ବର୍ଷ ହେଲା ପ୍ରଚାର କରିଥିଲେ ହେଁ ଏହାକୁ ଖୋଲି ପାରୁନାହାନ୍ତି। ହସ୍ପିଟାଲରେ ଏବେ ଏଣ୍ଡୋସ୍କୋପି ମେସିନ୍ ୭ବର୍ଷ ହେବ ଅଚଳ ହୋଇପଡ଼ିଛି। ସେହିପରି ଅଲଟ୍ରା ସାଉଣ୍ଡ୍ ବିଭାଗ ମେସିନ୍ ମଧ୍ୟ ୬ବର୍ଷ ହେବ ଖରାପ ହୋଇ ବିଭାଗଟି ବନ୍ଦ ରହିଛି।

ପ୍ରକାଶ ଥାଉକି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ୧୫ଦିନ ତଳେ ହସ୍ପିଟାଲ ପରିଦର୍ଶନ କରିଥିଲେ। କିନ୍ତୁ ସମସ୍ୟାର ସମାଧାନ ହୋଇପାରିନାହିଁ। ହସ୍ପିଟାଲ ସାମ୍ନାରୁ ଦୋକାନ ହଟାଇବା ପାଇଁ ଶ୍ରୀ ଚୌଧୁରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଫାଟକ ନିକଟରେ ଦୋକାନ ତୁରନ୍ତ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ। ସେହିପରି ମାଗଣା ଔଷଧ ବିତରଣ କେନ୍ଦ୍ରରେ ସ୍କାନର ମେସିନ ଲଗାଇବାକୁ ପରାମର୍ଶ ଦେଇଥିଲେ। ଡାକ୍ତରମାନେ ସରକାରୀ ଔଷଧ ବଦଳରେ ବାହାର ଔଷଧ ଲେଖିଲେ ଏହି ସ୍କାନର୍‌ ମେସିନ୍‌ ମାଧ୍ୟମରେ ଜଣାଯାଇପାରିବ। ଏଥିପାଇଁ ସ୍କାନର ମେସିନ ଲଗାଇବା ଉପରେ ଗୁରୁତ୍ବ ଦେଇଥିଲେ ମଧ୍ୟ ତାହା ଆଜିଯାଏ ଲାଗି ପାରିନାହିଁ। ସେହିପରି ଓଟିରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ। ଓଟି ରୁମର ଟେବୁଲ ଭାଙ୍ଗି ଯାଇଛି। ଏହା ପରିବର୍ତ୍ତନ ପାଇଁ କୁହାଯାଇଥିଲା। ନିଶ୍ଚେତକ ମେସିନ ୩୫ରୁ ୪୦ ବର୍ଷର ପୁରୁଣା ହୋଇପଡ଼ିଛି। ଏହାକୁ ପରିବର୍ତ୍ତନ କରାଯିବା ପାଇଁ କମିସନର୍‌ ଶ୍ରୀ ଚୌଧୁରୀ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଉକ୍ତ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ହସପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଗଣେଶ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ନିଶ୍ଚେତକ ଡାକ୍ତର ମାସେ ପାଇଁ ଛୁଟିରେ ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଠିକା ଭିତ୍ତିରେ ଜଣେ ନିଶ୍ଚେତକ ଡାକ୍ତର ଆଣିବା ପାଇଁ ଯୋଜନା କରାଯାଉଛି। ଅପରେସନ୍‌ ପିଛା କିଛି ଟଙ୍କା ନିର୍ଧାରଣ କରାଯାଇ ଜଣେ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ କମିସନରଙ୍କ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି। ତେବେ ବିଏମ୍‌ସି ହସ୍ପିଟାଲ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେପି ନେତା ଅମିୟ ଦାଶ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର