ଧର୍ମ ଅର୍ଜନର ଶ୍ରେଷ୍ଠ ଦିନ ‘ପଞ୍ଚୁକ’ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ

ଭୁବନେଶ୍ବର: ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର। ଭକ୍ତିଭାବରେ ତଲ୍ଲୀନ ହେଉଛି ତନ ଓ ମନ। ଶୁକ୍ରବାର କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ପଞ୍ଚୁକ ଆରମ୍ଭ ହୋଇଯାଇଛି। ଯେଉଁମାନେ କାର୍ତିକ ମାସ ସାରା ବ୍ରତ ପାଳନ କରି ନାହାନ୍ତି, ସେମାନେ ଆଜିଠୁ ୫ ଦିନ ପାଇଁ ଏହି ବ୍ରତ ଆରମ୍ଭ କରିଛନ୍ତି। ଏହି ଅବସରରେ ରାଜଧାନୀରେ ଥିବା ବିଭିନ୍ନ ଦେବଦେବୀ ପୀଠଗୁଡ଼ିକରେ ସ୍ବତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଛି। ବିଶେଷକରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଆରମ୍ଭ ହୋଇଛି। ଆଜି ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ସେହିପରି ଦ୍ବିତୀୟ ଦିନ (ଶନିବାର) ଗରୁଡ଼ ଦ୍ବାଦଶୀରେ ବାଙ୍କଚୂଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜ ରାଜେଶ୍ବର ବେଶରେ ସୁନା ବେଶ ହୋଇ ‌ଦର୍ଶନ ଦେବେ। ଏନେଇ ଇସ୍କନ୍‌, ଜାଗମରା, ବରମୁଣ୍ଡା, ଆର୍‌ସିଏମ୍‌, କିସ୍‌ ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ମହାପ୍ରଭୁଙ୍କର ଏହି ଅତି ରମଣୀୟ ବେଶ ଦର୍ଶନ କଲେ ବୈକୁଣ୍ଠପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ଏନେଇ ଜାଗମରା ଜଗନ୍ନାଥ ମନ୍ଦିରର ପୂଜକ ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, କାର୍ତିକ ମାସ ସାରା ବ୍ରତ ପାଳନ କରି ନ ଥିବା ଲୋକେ ଅର୍ଥାତ ଦୁଃଖୀ, ରୋଗୀ, ଭୋଗୀମାନେ ହିଁ ଏହି ୫ ଦିନ ବ୍ରତ ପାଳନ କଲେ କାର୍ତିକ ମାସର ପୁଣ୍ୟପ୍ରାପ୍ତ ହୋଇଥାଆନ୍ତି। ଏଥିପାଇଁ ଲୋକେ ଆମିଷ ପରିହାର, ବ୍ରହ୍ମଚର୍ଯ୍ୟ ପାଳନ ସହ ୫ଟି ବିକାରରୁ ଦୂରେଇ ରହିବାର ବିଧି ରହିଛି। ବିଶ୍ବାସ ଅଛି ଯେ ବଗ ମଧ୍ୟ ଏହି ୫ ଦିନ ଆମିଷ ଛାଡ଼ି ଦିଏ। ସେ ଏକଥା ମଧ୍ୟ କହିଛନ୍ତି, କାର୍ତିକ ପଞ୍ଚୁକକୁ ଭୀଷ୍ମପଞ୍ଚକ ମଧ୍ୟ କୁହାଯାଏ। ଭୀଷ୍ମ ଶରଶଯ୍ୟାରେ ଥାଇ ଯେବେ ଜଳ ମାଗିଥିଲେ, ଅର୍ଜୁନ ତୀର ମୁନରେ ମାଟି ବିଦ୍ଧ କରି ଜଳ ପାନ କରାଇଥିଲେ। ସେତେବେଳେ ମହାପ୍ରଭୁ ଶ୍ରୀକୃଷ୍ଣ କହିଥିଲେ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ ପରେ ଯଦି ଭୀଷ୍ମଙ୍କ ଉଦ୍ଦେଶ୍ୟରେ ପୁନଃ ଜଳ ଅର୍ପଣ କରାଯାଏ, ତେବେ ତାକୁ ଭଗବାନଙ୍କ ସାନ୍ନିଧ୍ୟ ପ୍ରାପ୍ତି ହେବ। ଭୀଷ୍ମ ଆଜନ୍ମ ବ୍ରହ୍ମଚାରୀ ଥିବା ସହ ସତ୍ୟ ବ୍ରତ ପାଳନ ପାଇଁ ସଂସାରରେ ଥାଇ ମଧ୍ୟ ସଂସାରଠାରୁ ଦୂରରେ ଥିବାରୁ ତାଙ୍କୁ ଏହି ପଞ୍ଚକରେ ଜଳ ଅର୍ପଣ କଲେ ଭଗବାନଙ୍କ ସାନ୍ନିଧ୍ୟ ମିଳେ ବୋଲି ବିଶ୍ବାସ ରହିଛି।

ଏକାମ୍ର କ୍ଷେତ୍ର ଚଳଚଞ୍ଚଳ
ପୁରୁଣା ଭୁବନେଶ୍ୱର: ପଞ୍ଚୁକ ପାଇଁ ଏକାମ୍ର କ୍ଷେତ୍ରରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ହବିଷ୍ୟାଳିମାନେ ରାଧାକୃଷ୍ଣଙ୍କ ପୂଜା ପରେ ସ୍ବତନ୍ତ୍ର ଭାବେ ଲକ୍ଷ୍ମୀ ପୂଜା କରୁଛନ୍ତି। ପଞ୍ଚୁକ ପାଞ୍ଚଦିନ ଅବଢ଼ାର ଚାହିଦା ବେଶି ରହିଥିବାରୁ ଆବଶ୍ୟକ ପରିମାଣର ଅବଢ଼ା ଯୋଗାଇ ଦେବା ପାଇଁ ସେବାୟତମାନେ ପ୍ରସ୍ତୁତିରେ ଲାଗିଛନ୍ତି। ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିରରେ ଅବଢ଼ା ଯଥେଷ୍ଟ ପରିମାଣରେ ଉପଲବ୍ଧ ହେବ ବୋଲି ସୁଆର ସେବାୟତମାନେ କହିଛନ୍ତି। ଏଥିସହ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ସନ୍ଧ୍ୟାରେ ଅଧିକ ଭିଡ଼ ଜମୁଥିବାରୁ ଅଧିକ ପୁଲିସ୍‌ ମୁତୟନ କରାଯାଇଛି ‌ବୋଲି ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ସେହିପରି କାର୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଭୋର୍‌ ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ସାଢ଼େ ୩ଟାରୁ ମନ୍ଦିର ପହଡ଼ ଖୋଲାଯିବା ସହ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସ‌ୁଯୋଗ ମିଳିବ।

ସମ୍ବନ୍ଧିତ ଖବର