ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଭାଗ ନେବେନି ସ୍କୁଲ, କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏଥର ସ୍ବାଧୀନତା ଦିବସ ଉପଲକ୍ଷେ ରାଜଧାନୀରେ ରାଜ୍ୟସ୍ତରୀୟ ପରେଡ୍ ହେବନି। ହେବ ରାଷ୍ଟ୍ରୀୟ ସାଲୁଟ୍‌। ତାହା ପୁଣି ନିରାଡ଼ମ୍ବର। ପୂର୍ବରୁ ଗାନ୍ଧୀ ମାର୍ଗ (ଲୋୟର ପିଏମ୍‌ଜିରେ) ରାଜ୍ୟସ୍ତରୀୟ ପରେଡ୍‌ ହେଉଥିବା ବେଳେ ଏଥର ଏହାକୁ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଗତ ଥର ସ୍ବାଧୀନତା ଦିବସ ପରେଡ୍‌ରେ ୪୪ଟି ଟ୍ରୁପ୍ ଭାଗ ନେଇଥିବା ବେଳେ ଏଥର ରାଷ୍ଟ୍ରୀୟ ସାଲୁଟ୍‌ କାର୍ଯ୍ୟକ୍ରମରେ ମାତ୍ର ୪ଟି ଟ୍ରୁପ୍ ଭାଗ ନେବେ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି। ରାଜ୍ୟ ସରକାର ରାଷ୍ଟ୍ରୀୟ ସାଲୁଟ୍ କାର୍ଯ୍ୟକ୍ରମ ଆୟୋଜନ କରି ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ପରେଡ୍‌ରେ ଭାଗ ନେବାରୁ ବଞ୍ଚିତ କରିଛନ୍ତି। ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବା ପାଇଁ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଏଥର କିନ୍ତୁ ଅପେକ୍ଷାର ଅନ୍ତ ଆସନ୍ତା ଜାନୁଆରି ୨୬ରେ ହେବ।

ରାଜ୍ୟ ସରକାରଙ୍କର ଏହି ବିଚତ୍ର ନିଷ୍ପତ୍ତି ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରତିବର୍ଷ ଗାନ୍ଧୀ ମାର୍ଗରେ ହେଉଥିବା ସ୍ବାଧୀନତା ଦିବସ ପରେଡ୍‌ରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରନ୍ତି। ଏହି ପରେଡ୍‌ରେ ୧୨୦ ବାଟାଲିଅନ, ସିଆରପିଏଫ୍‌, ଓଡ଼ିଶା ପୁଲିସ, ଏନ୍‌ସିସି, ଅଗ୍ନିଶମ ବିଭାଗ, ବିଭିନ୍ନ ସ୍କୁଲ, କଲେଜ, ରେଡକ୍ରସ୍, ଏନ୍‌ଡିଆରଏଫ୍, ଡେୟାର ଡେଭିଲ୍‌ସର ଛାତ୍ରଛାତ୍ରୀମାନେ ଭାଗ ନିଅନ୍ତି। ଏହିଭଳି ୪୦ରୁ ଅଧିକ ଟ୍ରୁପ୍ ସବୁ ବର୍ଷ ଭାଗ ନିଅନ୍ତି। କିନ୍ତୁ ଏଥର ମାତ୍ର ୪ଟି ଟ୍ରୁପ୍‌ ପରେଡ୍‌ କରିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ, ତେଲେଙ୍ଗାନା ପୁଲିସ, ଓଡ଼ିଶା ପୁଲିସ ଓ ଟେରିଟୋରିଆଲ୍ ଆର୍ମି। ହଠାତ୍ ରାଜ୍ୟ ସରକାର ରାଜ୍ୟସ୍ତରୀୟ ପରେଡ୍‌କୁ ବନ୍ଦ କରି କାହିଁକି ରାଷ୍ଟ୍ରୀୟ ସାଲୁଟ୍ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଲେ ତାହା ବୁଝାପଡ଼ୁନଥିବାବେଳେ ପୁଲିସ କମିସନର ଯୁକ୍ତି ବାଢ଼ିଛନ୍ତି ଯେ, ଓଡ଼ିଶା କେବଳ ରାଷ୍ଟ୍ରୀୟ ସାଲୁଟ୍ କାର୍ଯ୍ୟକ୍ରମ କରୁନି। ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ ଏବଂ ବିହାରରେ ସ୍ବାଧୀନତା ଦିବସ

ଅବସରରେ ରାଷ୍ଟ୍ରୀୟ ସାଲୁଟ୍ କାର୍ଯ୍ୟକ୍ରମ ହୁଏ। ସାଧାରଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ପରେଡ୍ ହୁଏ। ବାକି ରାଜ୍ୟ ଭଳି ଆମେ ବି ସ୍ବାଧୀନତା ଦିବସ ପାଳିବାକୁ ନିଷ୍ପତ୍ତି ନେଇଛୁ। ରାଜ୍ୟ ସରକାର ରାଷ୍ଟ୍ରୀୟ ସାଲୁଟ୍‌ କାର୍ଯ୍ୟକ୍ରମ ଆୟୋଜନ କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ପରେଡ୍‌ କାର୍ଯ୍ୟକ୍ରମରୁ ବାଦ୍ ଦେବା ଦ୍ବାରା ଦୀର୍ଘ ବର୍ଷ ହେଲା ଚାଲି ଆସୁଥିବା ଏହି ପରମ୍ପରାର ଅନ୍ତ ଘଟିଛି। ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଏବେ ସୁଦ୍ଧା ବି ସେମାନେ ପରେଡ୍‌ରେ ଭାଗ ନେବେ କି ନାହିଁ ଜଣାଯାଇନି ବୋଲି ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ ପ୍ରଥମ କରି ଆୟୋଜନ ହେବାକୁ ଥିବା ରାଷ୍ଟ୍ରୀୟ ସାଲୁଟ୍ କାର୍ଯ୍ୟକ୍ରମ‌ରେ ମୁଖ୍ୟମନ୍ତ୍ରୀ ପରେଡ୍ ଅଭିବାଦନ ଗ୍ରହଣ କରିବାକୁ ଥିବାବେଳେ ୧୨ହଜାର ଲୋକ ଯେପରି ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ ସେଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ବ୍ୟବସ୍ଥା କରାଯାଉଛି। ପଡ଼ିଆର ଏକ ନମ୍ବର ଗେଟ୍‌ରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଆସିବାକୁ ଥିବାବେଳେ ଦୁଇ ନମ୍ବର ଗେଟ୍‌ ଦେଇ ଦର୍ଶକମାନେ ପଡ଼ିଆକୁ ଆସିବେ। ଏକାମ୍ର ହାଟ ପାର୍ଶ୍ବ ପଡ଼ିଆରେ ଗାଡ଼ି ପାର୍କିଂ କରିବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର