ଫୋନ୍‌-ଇନ୍‌-ପ୍ଲିଜ୍‌: ଜୀବନ ଆଗ, ନିର୍ବାଚନ ପଛ

ଗତ କିଛି ଦିନ ହେଲା ରାଜ୍ୟ ଓ ଦେଶରେ କରୋନା ଆକ୍ରାଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏ ପରିସ୍ଥିତିରେ ଦେଶବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ନିର୍ବାଚନ ଆୟୋଗ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଲେଣି। ଓଡ଼ିଶା ସରକାର ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିନ୍ତୁ ନିର୍ବାଚନ ଅନୁଷ୍ଠିତ ହେଲେ କରୋନା ବ୍ୟାପିଯିବ। ଯାହାକୁ ସରାକର ପରେ ଚେଷ୍ଟା କଲେ ମଧ୍ୟ ନିୟନ୍ତ୍ରଣ କରିପାରିବେ ନାହିଁ। ତେଣୁ ନିର୍ବାଚନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଉ ବୋଲି ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘କରୋନା ବ୍ୟାପୁଛି; ଏବେ ନିର୍ବାଚନ କରିବା କଥା କି?’ରେ ଅଧିକାଂଶ ପାଠକ ଏଭଳି ମତ ଦେଇଛନ୍ତି।

ଗତ କିଛି ଦିନ ହେବ, ରାଜ୍ୟ ଓ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହା ଦେଶ ପାଇଁ ଏକ ଜଟିଳ ପରିସ୍ଥିତି। ତେଣୁ କିଛି ମାସ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯିବା ହିଁ ସମସ୍ତଙ୍କ ପାଇଁ ଶ୍ରେୟସ୍କର ହେବ।
ଶ୍ରୀଧର ବଳିୟାସିଂହ, ବରମୁଣ୍ଡା, ଭୁବନେଶ୍ବର
ବାପି ଜେନା, ପୁରୀ

ବର୍ତ୍ତମାନ ସମୟରେ ନିର୍ବାଚନ ବିଷୟରେ ଚିନ୍ତା କରାଯିବା ମୂର୍ଖତାର ପରିଚୟ। ଦ୍ବିତୀୟ ଲହରରେ କରୋନା ଭୟାବହତା ସମସ୍ତେ ଦେଖିସାରିଛନ୍ତି। ତେଣୁ ନିର୍ବାଚନ କରାଯିବା ଭୀଷଣ ନରସଂହାରକୁ ଆମନ୍ତ୍ରଣ କରାଯିବା ସହ ସମାନ। ତେଣୁ ଏ ପରିସ୍ଥିତିରେ ନିର୍ବାଚନ ନ ହେଉ।
ଆହ୍ବାନ ପାଇକରାୟ, ୟୁନିଟ୍‌-୩, ଭୁବନେଶ୍ବର

ଏବେ ନିର୍ବାଚନ କରିବାର ଆଦୌ ଆବଶ୍ୟକତା ନାହିଁ। ତେବ‌େ ଯଦି ନିର୍ବାଚନ କରିବାରେ ସରକାରଙ୍କ ଏତେ ଇଚ୍ଛା, ତେବେ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ସୁରୁଖୁରରେ କରାଯାଉ। ପ୍ରାର୍ଥୀମାନେ ବି ଅନ୍‌ଲାଇନ୍‌ରେ ନିର୍ବାଚନ ପ୍ରଚାର କରନ୍ତୁ।
ଡ. ଶଙ୍କର ଡି ମିଶ୍ର, ଭୁବନେଶ୍ବର

ଏ ସମୟରେ ନିର୍ବାଚନ କଲେ ରାଜ୍ୟକୁ ଘୋର ବିପଦ ମାଡ଼ି ଆସିବ। ସରକାର ଶତଚେଷ୍ଟା କଲେ ମଧ୍ୟ ନରସଂହାରକୁ ଅଟକାଇପାରିବେ ନାହିଁ। ତେଣୁ ଏବେ ନିର୍ବାଚନ କଥା ଚିନ୍ତା କରାନଯାଉ।
ଡା. ଦୀନନାଥ ଦାସ, ଲକ୍ଷ୍ମୀସାଗର, ଭୁବନେଶ୍ବର
ଦେବାଶିଷ ସାହୁ, ଭୁବନେଶ୍ବର

ବର୍ତ୍ତମାନ ଡେଲ୍ଟା ସହ ଓମିକ୍ରନ୍‌; ଉଭୟ ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ସରକାର ଅନ୍ତତଃ ପକ୍ଷେ ତିନି ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ। ନଚେତ ସ୍ଥିତିକୁ ଆୟତ୍ତ କରିବା ସରକାରଙ୍କ ପକ୍ଷେ ସମ୍ଭବ ହେବ ନାହିଁ।
ଅକ୍ଷୟ ନାୟକ, ବରିଷ୍ଠ ସାମ୍ବାଦିକ, ନିମାପଡ଼ା, ପୁରୀ
ପବିତ୍ର କୁମାର ସାହୁ, ଶୈଳଶ୍ରୀ ବିହାର, ଭୁବନେଶ୍ବର

ଜୀବନ ଆଗ, ନିର୍ବାଚନ ପଛ। ନିର୍ବାଚନ କିଛି ଦିନ ପାଇଁ ସ୍ଥଗିତ ରଖାଗଲେ, କିଛି ଅସୁବିଧା ହେବ ନାହିଁ। କିନ୍ତୁ ସରକାର ଯଦି ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ନଦେଇ ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦିଅନ୍ତି, ଅଯଥାରେ ଗୁଡ଼ାଏ ଲୋକ ମରିବେ। ଏଥିପାଇଁ ସରକାର ଓ ନେତାମାନେ ହିଁ ଦାୟୀ ରହିବେ।
ରାମଚନ୍ଦ୍ର ସାହୁ, ଜାଗମରା, ଭୁବନେଶ୍ବର
ଗଙ୍ଗାଧର ରଥ, ବଡ଼ଗଡ଼

ବର୍ତ୍ତମାନ ସମୟରେ ଯଦି କରୋନର ବ୍ୟାପିବା ଯୋଗୁଁ ଶିକ୍ଷାନୁଷ୍ଠାନ, ମେଳା, ମହୋତ୍ସବ ଆଦି ବନ୍ଦ ହୋଇପାରୁଛି, ତେବେ ନିର୍ବାଚନ କାହିଁକି ବନ୍ଦ କରାଯାଇ ପାରିବ ନାହିଁ। କଟକଣା ଲଗାଇ ସାଧାରଣ ଲୋକଙ୍କ ଜୀବନଜୀବିକାକୁ ସରକାର ପ୍ରଭାବିତ କରିପାରୁଛନ୍ତି। କିନ୍ତୁ ନିର୍ବାଚନ ପାଇଁ କାହିଁକି ଏତେ ଆଗ୍ରହ ପ୍ରକାଶ କରୁଛନ୍ତି? ବର୍ତ୍ତମାନ ନିର୍ବାଚନ କରିବା ଜନବିରୋଧୀ।
ହେମନ୍ତ ପାଣ୍ଡେ, ୟୁନିଟ୍‌-୮, ଭୁବନେଶ୍ବର

ଏବେ ନିର୍ବାଚନ ହେଲେ, ନିର୍ବାଚନୀ ପ୍ରଚାର ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିବ। ନିର୍ବାଚନ ସରିଲା ପରେ ଲକ୍‌ଡ଼ାଉନ୍‌ ସଟ୍‌ଡ଼ାଉନ୍‌ ଘୋଷଣା କରିଦେବେ। ଫଳରେ କ୍ଷମତାକୁ ଆସି ଲୋକଙ୍କୁ ସହାୟତା କରିବା ଆଳରେ ନେତାମାନେ ରାଜକୋଷକୁ ଲୁଟ୍‌ କରିବାରେ ସକ୍ଷମ ହେବେ। ତେଣୁ କରୋନର ପ୍ରକୋପ କମିବା ଯାଏ ନିର୍ବାଚନ ବନ୍ଦ ରହୁ।
ଦୀପ୍ତିରଞ୍ଜନ ସାହୁ, ପୁରୀ

ଭାରତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିସାରିଲେଣି। ଏଥିରୁ ଯାହା ଅନୁମାନ କରାଯାଉଛି, ଆମ ରାଜ୍ୟରେ ମଧ୍ୟ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରାଯିବ। ସରକାର ନିର୍ବାଚନ କରନ୍ତୁ, କିନ୍ତୁ କୋଭିଡ଼ କଟକଣାକୁ କଡ଼ାକଡ଼ି କରି କଲେ ଲୋକଙ୍କ ପାଇଁ ଭଲ ହେବ।
ପ୍ରଦୀପ୍ତ ମହାନ୍ତି, ନୟାଗଡ଼
ଭାଗୀରଥି ଦାଶ, ସତ୍ୟବିହାର, ଭୁବନେଶ୍ବର

କରୋନା ତିନି ବର୍ଷ ଧରି ହଇରାଣ କରୁଛି ଏବଂ କେବେ ଯିବ, ତା’ ମଧ୍ୟ କେହି କହିପାରିବେ ନାହିଁ। ତେଣୁ କରୋନା ଆଳରେ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ବା ବିଳମ୍ବ କରାନଯାଉ। ଯେମିତି ନିର୍ବାଚନ ହେବା କଥା, ସେମିତି କରାଯାଉ।
ଶ୍ରୀବାସ ମହାନ୍ତି, ଆଇନଜୀବୀ, ଭୁବନେଶ୍ବର
ରବୀନ୍ଦ୍ର ନନ୍ଦ, ଶିଶୁପାଳଗଡ଼

କରୋନା ବ୍ୟାପୁଛି। ଗତବର୍ଷ ନିର୍ବାଚନ ବେଳେ କରୋନାରେ ଅଧିକ ଧନଜୀବନ ନଷ୍ଟ ହୋଇଥିଲା। ତେଣୁ ବେଳ ହୁଁ ସାବଧାନ ହୋଇଯିବା ଆବଶ୍ୟକ। ଆଉ କିଛି ଦିନ ପରେ ନିର୍ବାଚନ ହେଲେ ଭଲ।
ନୀଳମଣି ମିଶ୍ର, ସୁନ୍ଦରପଦା

‌ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ସରକାର ନିର୍ବାଚନ କଥା ଭାବିବା ଆଶ୍ଚର୍ଯ୍ୟ ଓ ଲଜ୍ଜାଜନକ।
ଦୀପ୍ତିରଞ୍ଜନ ସାହୁ, ଅବକାଶ ଲେନ୍‌, ପୁରୀ

ଏଭଳି ସମୟରେ ନିର୍ବାଚନ କରିବା କଦାପି ଠିକ୍ ହେବ ନାହିଁ। କାରଣ ସାମାଜିକ ଦୂରତା ରକ୍ଷା ହୋଇପାରିବ ନାହିଁ। ତେଣୁ ନିର୍ବାଚନ ସ୍ଥଗିତ ରଖାଯିବା ଉଚିତ।
ସେକ୍ ୟାକୁବ, ଗୋପ, ପୁରୀ

ସୁପ୍ରିମ୍‌ କୋର୍ଟ ଏଥିରେ ହସ୍ତକ୍ଷେପ କରି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ନିର୍ବାଚନକୁ ବର୍ତ୍ତମାନ ସ୍ଥଗିତ ରଖିବା ପାଇଁ ସରକାରଙ୍କୁ ଆଦେଶ ଦିଅନ୍ତୁ।
ଅଶୋକ କୁମାର ଆଢ଼୍ୟ, ପୁରୀ

ବର୍ତ୍ତମାନ ସମୟରେ ନିର୍ବାଚନକୁ ସ୍ଥଗିତ ରଖାଯିବା ଆବଶ୍ୟକ।
ପ୍ରକାଶ ରାଉତ, ଶରତ କୁମାର ଦାସ, ଭୁବନେଶ୍ୱର
ଶ୍ରୀଧର ବଳିଆରସିଂହ, ବରମୁଣ୍ଡା
ଉତ୍କଳ କେଶରୀ ଦାସ, କେନ୍ଦ୍ରାପଡ଼ା
ପ୍ରତାପ ଚନ୍ଦ୍ର ଲେଙ୍କା, ବଡ଼ଗଡ଼, ଦିବ୍ୟ ଲୋଚନ ଭାରିମଲ୍ଲ,ଖୋର୍ଦ୍ଧା

କରୋନା କଟକଣା ମଧ୍ୟରେ ନିର୍ବାଚନ କରାଯାଉ।
ଲକ୍ଷ୍ମୀଧର ପେଣ୍ଠୋଇ, ନୟାଗଡ଼

ନିର୍ବାଚନକୁ ଅନ୍ତତଃପକ୍ଷେ ୩ ମାସ ଘୁଞ୍ଚାଇଦେବା ଉଚିତ। ଦୀର୍ଘ ୩ବର୍ଷ ହେଲା ପୌର ନିର୍ବାଚନ ହୋଇନାହିଁ। ଏହାଦ୍ବାରା ପୌରାଞ୍ଚଳରେ କିଛି କ୍ଷତି ହୋଇଛି କି? ନିର୍ବାଚନ ସମୟରେ କେହି ବି କରୋନା କଟକଣା ମାନିବେନି। ତେଣୁ ନିର୍ବାଚନ ଘୁଞ୍ଚାଇବାକୁ ଉଚିତ।
ଅକ୍ଷୟ କୁମାର ନାୟକ, ନିମାପଡ଼ା, ପୁରୀ

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତରବର ହୋଇ ନିର୍ବାଚନ କରିବା ଆଦୌ ଠିକ୍‌ ହେବନି।
ସୁଧାକର ଦାସ, ଖୋର୍ଦ୍ଧା

ଜାନୁଆରିରେ କରୋନା ଶୀର୍ଷରେ ପହଞ୍ଚିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ମାତ୍ର ରାଜନୈତିକ ଦଳମାନେ ନିଜକୁ ସୁହାଇଲା ଭଳି ନିଷ୍ପତ୍ତି ନେଉଛନ୍ତି। ପ୍ରତ୍ୟେକ ଭୋଟ୍‌ ଅପେକ୍ଷା ପ୍ରତ୍ୟେକ ଜୀବନ ମୂଲ୍ୟବାନ।
ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ

ସମ୍ବନ୍ଧିତ ଖବର