ପଶ୍ଚିମବଙ୍ଗରୁ ଆସିବ ୪ଟି ‘ଐରାବତ’

ଉଦ୍‌ଘାଟିତ ହେଲା ବନ୍ୟପ୍ରାଣୀ ମୁଖ୍ୟାଳୟ ‘ପ୍ରକୃତି ଭବନ’

ଭୁବନେଶ୍ବର: ତୃଣଭୋଜି ବନ୍ୟଜନ୍ତୁଙ୍କ ଉଦ୍ଧାର ଓ ସ୍ଥାନାନ୍ତର ପାଇଁ ଓଡ଼ିଶା ଜଙ୍ଗଲରେ ବ୍ୟବହାର ହେବ ରେସକ୍ୟୁ ଭ୍ୟାନ୍‌। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଏହି ଭ୍ୟାନ୍‌କୁ ଅଣାଯାଇଛି। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶରେ ଏହିପରି ଭ୍ୟାନ୍‌ କାର୍ଯ୍ୟ କରୁଛି। ଏଥିସହ ଉଭୟ ତୃଣଭୋଜି ଓ ମାଂସାସୀ ବନ୍ୟଜନ୍ତୁଙ୍କ ଉଦ୍ଧାର ଓ ସ୍ଥାନାନ୍ତର ପାଇଁ ଆଉ ୫ଟି ରେସ୍‌କ୍ୟୁ ଭ୍ୟାନ୍‌ ଅଣିବାକୁ ପ୍ରସ୍ତାବ ରହଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ‘ପ୍ରକୃତି ଭବନ’କୁ ଉଦ୍‌ଘାଟନ କରି ଶ୍ରୀ ରାଉତରାୟ କହିଲେ, ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ପଶ୍ଚିମବଙ୍ଗରୁ ୪ଟି ଭ୍ୟାନ୍‌ କିଣାଯିବାର ଯୋଜନା ରହିଛି। ‘ଐରା‌ବତ୍‌’ ନାମକ ଏହି ଭ୍ୟାନ୍‌ ଆସିବା ପରେ ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷକୁ ଅନେକ ମାତ୍ରାରେ ରୋକାଯାଇପାରିବ। ପ୍ରତି ଭ୍ୟାନ୍‌ ପିଛା ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଜଙ୍ଗଲରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁହାର ରୋକିବା ଦିଗରେ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ।

ତୃଣଭୋଜି ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଆସିବ ୫ଟି ରେସ୍‌କ୍ୟୁ ଭ୍ୟାନ୍‌
ଆର୍‌ପିଆର୍‌ସିଠାରେ, ନିର୍ମାଣ ହେବ ସହିଦ ସ୍ତମ୍ଭ

ଜାତୀୟ ରାଜପଥ-୧୬ ପାର୍ଶ୍ବ ସହିଦନଗରଠାରେ ୫ ହଜାର ବର୍ଗ ଫୁଟରେ ନିର୍ମାଣ ହୋଇଥିବା ପ୍ରକୃତି ଭବନ ୪ ମହଲା ବିଶିଷ୍ଟ ହୋଇଛି। ଏଥିରେ ଇଣ୍ଟରପ୍ରିଟେସନ ସେଣ୍ଟର, ପରିବେଶ ପର୍ଯ୍ୟଟନ ସେଲ୍‌, ସମ୍ମିଳନୀ କକ୍ଷ, ଭିଡିଓ କନ୍‌ଫରେନ୍ସିଂ ସୁବିଧା ସହ ଛୋଟ ସମ୍ମିଳନୀ କକ୍ଷ, ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ସୁବିଧା ଥିବା ରାଜ୍ୟ ବନ୍ୟପ୍ରାଣୀ ଅପରାଧ ସେଲ୍‌, ବନ୍ୟ ସମ୍ପଦ ଆଧାରିତ ୩ ହଜାର ପୁସ୍ତକ ସମ୍ବଳିତ ଏକ ଗ୍ରନ୍ଥାଗାର ରହିଛି। ୮.୬୧୫୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଭବନରେ ସିସିଟିଭି କ୍ୟାମେରା, ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହୋଇଛି। ଉଚ୍ଚକୋଟୀର ଭିତ୍ତିଭୂମି ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ଏହା ବନ୍ୟପ୍ରାଣୀ ଶାଖାକୁ ଅଧିକ କ୍ରିୟାଶୀଳ କରିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସର‌ରେ ବନ ବିଭାଗରେ କାର୍ଯ୍ୟ କରି ସହିଦ ହୋଇଥିବା କର୍ମୀଙ୍କ ଉଦ୍ଦେଶ୍ୟରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(ଆର୍‌ପିଆର୍‌ସି)ଠାରେ ନିର୍ମିତ ହେବାକୁ ଥିବା ସହିଦସ୍ତମ୍ଭର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିସହ ‘ଅରଣ୍ୟ ଭବନ’ଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟକୁ ମନ୍ତ୍ରୀ ‌ଲୋକାର୍ପିତ କରିଥିଲେ। ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ବାଇଁ, ପିସିସିଏଫ୍‌(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ, ପିସିସିଏଫ୍‌(କେନ୍ଦୁପତ୍ର) ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର