ରାଜଧାନୀ ରାଜପଥରେ ରାଜସ୍ଥାନ ବାଦାମ

ଭୁବନେଶ୍ବର: ଏବେ ରାଜଧାନୀର ରାଜରାସ୍ତା କଡ଼ରେ ପସରା ମେଲାଇ ବସିଛନ୍ତି ଅଣଓଡ଼ିଆ ବାଦାମ ବେପାରୀ। ଭଜା ବାଦାମ ବିକି ଦୈନିକ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ଏହି ବେପାରୀମାନେ ବିକୁଛନ୍ତି ରାଜସ୍ଥାନ ବାଦମ। ଖୋଲା ଆକାଶ ତଳେ ଦୋକାନ ଓ ସେଇଠି ବାଦାମ ଭଜା ଶାଳ। ବଡ଼ ଚୁଲିରେ ବଡ଼ କଡ଼େଇରେ ଭାଜି ଗରମାଗରମ ବାଦାମ ଗ୍ରାହକମାନଙ୍କୁ ପରଷି ଦେଉଛନ୍ତି। ଓଡ଼ିଶା ବଜାରରେ ରାଜସ୍ଥାନ ବାଦାମର ଚାହିଦା ବୃଦ୍ଧିକୁ ଆଖିରେ ରଖି ଏହି ଅଣଓଡ଼ିଆ ବେପାରୀମାନେ ଗତ କିଛି ବର୍ଷ ହେଲା ରାଜଧାନୀ ବଜାରକୁ କବ୍‌ଜା କରିନେଲେଣି।

ଉତ୍ତରପ୍ରଦେଶର ମୋରଦାବାଦ୍‌ରୁ ଆସିଛନ୍ତି ଶାରୁ ଖାନ୍‌, ଚମନ୍‌ ଖାନ୍‌, ବିଶାଲ୍‌ ଖାନ୍‌ ଓ କାମିନ୍‌ ଖାନ୍‌ଙ୍କ ଭଳି ଶହେରୁ ଅଧିକ ବାଦାମ ବେପାରୀ। ଖଣ୍ଡଗିରି ଅଂଚଳର ବିଭିନ୍ନ ବସ୍ତିରେ ଘର ଭଡ଼ା ନେଇ ରହୁଛନ୍ତି। ସେହିଭଳି କିଛି ପଟିଆ ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ବି ରହୁଛନ୍ତି। ସକାଳ ହେଲେ ବାଦାମ ବସ୍ତା, ଦଣ୍ଡି ପଲା, କଡ଼େଇ ଓ ଜାଳେଣୀ କାଠ ଆଦି ଧରି ସେମାନେ ବାହାରି ପଡ଼ୁଛନ୍ତି ରାଜଧାନୀର ରାଜରାସ୍ତା କଡ଼କୁ। ଜନଗହଳିପୂର୍ଣ୍ଣ ଛକରେ ବସୁନାହାନ୍ତି, ରାସ୍ତାକଡ଼ର ନିଛାଟିଆ ସ୍ଥାନ ଦେଖି ପସରା ମେଲାଉଛନ୍ତି। ସେଇଠି ଗାତ ଖୋଳି ଚୁଲି କରିଛନ୍ତି। କଞ୍ଚା ବାଦାମ ଗଦେଇ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। କିଛି କିଛି ଗ୍ରାହକ କଞ୍ଚା ବାଦାମ କିଣୁଥିବା ବେଳେ କେତେକ ଗ୍ରାହକ ଭଜା କିଣି ନେଉଛନ୍ତି। ଏବେ ଖଣ୍ଡଗିରି, ଜୟଦେବବିହାର, ବରମୁଣ୍ଡା, ସମ୍ ହସ୍ପିଟାଲ, ରାମମନ୍ଦିର ଛକ, ନାଲ୍‌କୋ ଛକ, ପଟିଆ ଛକ ଓ ୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏମିତି ବେପାରୀଙ୍କୁ ଦେଖିବାକୁ ମିଳୁଛି।

ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ବସୁଥିବା ବିଶାଲ୍‌ ଓ ତାଙ୍କ ସାଥୀ ଚମନ୍‌ଙ୍କ କହିବା କଥା ସେମାନେ ଦୈନିକ ୫୦ରୁ ୬୦ କିଲୋ ଭଜା ଓ କଞ୍ଚା ବାଦାମ ବିକୁଛନ୍ତି। କମ୍ ଗ୍ରାହକ କଞ୍ଚା ବାଦାମ କିଣୁଥିବା ବେଳେ ବେଶି ଲୋକ ଭଜା କିଣିବାକୁ ପସନ୍ଦ କରୁଛନ୍ତି। ୧ କିଲୋ କଞ୍ଚା ବାଦାମ ଭାଜିଲେ ୯୦୦ ଗ୍ରାମ ରହୁଛି। କଞ୍ଚା ବାଦାମ କିଲୋ ୧୨୦ ଟଙ୍କା ଓ ଭଜା କିଲୋ ୧୪୦ ଟଙ୍କା। କିନ୍ତୁ ଖୁଚୁରାରେ ଭଜା ବାଦାମ ଶହେ ଗ୍ରାମ୍‌କୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଖୁଚୁରା ବେପାରରେ ବେଶି ଲାଭ। ସେମାନଙ୍କ କହିବା କଥା, ଶୀତ ଦିନ ସରିବା ବେଳକୁ ଅର୍ଥାତ୍ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ବାଦାମ ବଜାରକୁ ଆସିବ। ସେତେବେଳେ ବେପାର କମିବ। ମାତ୍ର ରାଜସ୍ଥାନରେ ବାଦାମ ଅମଳ ଏହାର ଯଥେଷ୍ଟ ପୂର୍ବରୁ ହୋଇଥାଏ। ପ୍ରାୟ ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ରାଜସ୍ଥାନରେ ବାଦାମ ଅମଳ ହୋଇଥାଏ। ତେଣୁ ଓଡ଼ିଶା ବଜାରରେ ବାଦାମ ଭଜାର ଚାହିଦାକୁ ଦେଖି ସେମାନେ ଚାଲିଆସନ୍ତି। ୩ ମାସ ବେପାର କରି ପୁଣି ନିଜ ଘରକୁ ଫେରି ଯାଆନ୍ତି। ଓଡ଼ିଶାରେ ବାଦାମ ଅମଳ ହେବା ପରେ ପରେ ସେମାନେ ଏହି ବଜାର ଛାଡ଼ି ଫେରି ଯାଆନ୍ତି। ସେମାନଙ୍କ ସୂଚନାନୁସାରେ ଚଳିତ ବର୍ଷ ସେମାନେ ରାଜସ୍ଥାନରୁ ୨ ଟ୍ରକ୍‌ ବାଦାମ ମଗାଇଥିଲେ। ପାଖାପାଖି ଏକ ହଜାର କ୍ବିଣ୍ଟାଲ ବାଦାମ ମଗାଇଥିଲେ। ଏବେ ପ୍ରାୟ ୮୦ ଭାଗ ବାଦାମ ବିକ୍ରି ହୋଇଗଲାଣି। ଯେତିକି ଅଛି, ତାହା ବିକ୍ରି ହେବାକୁ ଆଉ ଅତି ବେଶିରେ ଦୁଇ ସପ୍ତାହ ଲାଗିବ। ଏହା ପରେ ସେମାନେ ନିଜ ରାଜ୍ୟକୁ ଫେରିଯିବେ। କିନ୍ତୁ ଶାରୁ ଖାନ୍‌ଙ୍କ କହିବା କଥା ସେ ଓଡ଼ିଶା ବାଦାମ କିଣି ବେପାର କରିବାକୁ ସ୍ଥିର କରିଛନ୍ତି। ରାଜସ୍ଥାନ ବାଦାମ ବେପାର ଭଳି ଫାଇଦା ହେଲେ, ସେ ଆଉ କିଛି ଦିନ ଭୁବନେଶ୍ବରରେ ରହି ବେପାର କରିବେ। ବର୍ଷା ଦିନ ଆସିଲେ, ନିଜ ରାଜ୍ୟକୁ ଫେରିଯିବେ।

ଏକଦା ଓଡ଼ିଶାରେ ପ୍ରଚୁର ବାଦାମ ଚାଷ ହେଉଥିଲା। ବାଦାମ ତେଲର ଚାହିଦା ମଧ୍ୟ ବହୁତ ଥିଲା। କିନ୍ତୁ ଏବେ ଓଡ଼ିଶାରେ ବାଦାମ ଚାଷ ବହୁ ପରିମାଣରେ ହ୍ରାସ ପାଇଛି।ଳ ବଜାର ଓ ବିପଣନ ସୁବିଧା ନପାଇ ଚାଷୀମାନେ ଏହି ଚାଷରୁ ମୁହଁ ଫେରାଇ ନେଇଛନ୍ତି। ଅଥଚ ଏତିକିବେଳେ ଏଠାରେ ରାଜସ୍ଥାନ ବାଦାମ ବେପାର ଜମୁଛି। ପୁଣି ବିହାର ଓ ଉତ୍ତରପ୍ରଦେଶର ଯୁବକମାନେ ରାସ୍ତାକଡ଼ରେ ବସି ହଜାର ହଜାର ଟଙ୍କା କମାଇବାରେ ସକ୍ଷମ ହେଉଛନ୍ତି।

ସମ୍ବନ୍ଧିତ ଖବର