ଅବକାରୀ ବିଭାଗର ରେକର୍ଡ ସଂଖ୍ୟକ ମାମଲା ରୁଜୁ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ଦ୍ବାରା ରେକର୍ଡ ସଂଖ୍ୟକ ମାମଲା ରୁଜୁ ହୋଇଛି। ଆଜି ବିଭାଗ ପକ୍ଷରୁ ହୋଇଥିବା ବୈଠକରେ ଏଭଳି ତଥ୍ୟ ପଦାକୁ ଆସିଛି। ସୂଚନାନୁଯାୟୀ, ଆର୍ଥିକ ବର୍ଷ ୨୦୨୨-୨୩ ରେ ଅକ୍ଟୋବର ପର୍ଯ୍ୟନ୍ତ ୩୪,୪୮୮ଟି ରେକର୍ଡ ସଂଖ୍ୟକ ମାମଲା ରୁଜୁ କରାଯାଇଛି। ୨୦୨୧-୨୨ ମସିହାରେ ୨୧୯୬୦ଟି ମାମଲା ରୁଜୁ କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ୫୭% ଅଧିକ ମାମଲା ରୁଜୁ ହୋଇଛି। ଆର୍ଥିକ ବର୍ଷର ଅକ୍ଟୋବର (୨୦୨୨-୨୩) ପର୍ଯ୍ୟନ୍ତ, ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ଅନୁଯାୟୀ, ୧୦୩୨ଟି ମାମଲା ରେକର୍ଡ ହୋଇଛି। ଏଥିରେ ୧୧୯୧ଜଣଙ୍କୁ ଗିରଫ କରାଯାଇ ୩୯୪ଟି ମାମଲା ଏବଂ ଗତବର୍ଷ ୪୭୦ଜଣଙ୍କୁ ଗିରଫ କରାଯାଇଥିଲା। ଗତବର୍ଷ ତୁଳନାରେ ଏ ବର୍ଷ ୧୬୧.୯୩% ବୃଦ୍ଧି ହୋଇଛି। ଏ ବର୍ଷ ୧୮୩୦୬ ଗ୍ରାମ୍ ହିରୋଇନ୍ ଜବତ କରାଯାଇଥିବା ବେଳେ ଗତବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ୮୮୫୬ ଗ୍ରାମ ହିରୋଇନ୍ ଜବତ ହୋଇଥିଲା। ଗତବର୍ଷ ୧୫୯୩୭କେଜି ଗଞ୍ଜେଇ ଜବତ ହୋଇଥିଲା ବେଳେ ଏ ବର୍ଷ ୨୬୬୭୪ କେଜି ଗଞ୍ଜେଇ ଜବତ କରାଯାଇଛି।

ଭାରପ୍ରାପ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଡ. ଦିବ୍ୟଲୋଚନ ମହନ୍ତ, ଶରତ ଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମିଶ୍ର, ରଜତ ପ୍ରହରାଜ, ଦଣ୍ଡପାଣି ବେହେରା, ଡମ୍ବରୁଧର ଖଣ୍ଡା ଏବଂ ସମସ୍ତ ଅଧୀକ୍ଷକ ଉପସ୍ଥିତ ଥିଲେ। ଏହି ମାସିକ ବୈଠକରେ ନିରନ୍ତର ଚଢ଼ଉ କରିବା ନିମନ୍ତେ ତଥା ମଦ କାରବାରର ଅବୈଧ ବ୍ୟାପାରକୁ ପ୍ରତିହତ କରିବା ପାଇଁ ଜୋର୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର