ସରିଲା ମାଟ୍ରିକ୍‌ ପରୀକ୍ଷା ପରୀକ୍ଷାର୍ଥୀ ଆଶ୍ୱସ୍ତ

ଭୁବନେଶ୍ୱର: ପ୍ରଶ୍ନପତ୍ର ଭାଇରାଲ୍‌ ବିବାଦ ମଧ୍ୟରେ ସରିଛି ମାଟ୍ରିକ୍‌ ପରୀକ୍ଷା। ଏହାର କୌଣସି ପ୍ରଭାବ ପରୀକ୍ଷାର୍ଥୀଙ୍କ ଉପରେ ପଡ଼ି ନ ଥିବା ଆଜି ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କିଏ ଖୁସି ମନରେ ପରୀକ୍ଷା ସମ୍ପର୍କରେ କହିଥିଲେ ତ ଆଉ କିଏ ଛୁଟି ମନେଇବାକୁ କିଭଳି ଯୋଜନା କରିଛନ୍ତି ସେନେଇ ମତବ୍ୟକ୍ତ କରିଥିଲେ। ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଢେଙ୍କାନାଳ, କେନ୍ଦୁଝର ପରି ଜିଲ୍ଲାରୁ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଖୋର୍ଧା ଜିଲ୍ଲାରେ ପଡ଼ି ନ ଥିଲା। ଶାନ୍ତିଶୃଙ୍ଖଳା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥରକ ଭୁବନେଶ୍ୱର ଜୋନ୍‌ରେ ରେଗୁଲାରରେ ୬୭,୩୯୦ ଓ ଏକ୍ସ-ରେଗୁଲାରରେ ୩୦୭୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଖୋର୍ଧା ଜିଲ୍ଲାର ୩୪୦ଟି ହାଇସ୍କୁଲର ୩୦ରୁ ଅଧିକ ଛାତ୍ରଛାତ୍ରୀ ଶାନ୍ତିଶୃଙ୍ଖଳା ମଧ୍ୟରେ ପରୀକ୍ଷା ଦେଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ହୋଇଥିବା ୧୨୪ଟି ପରୀକ୍ଷା କେନ୍ଦ୍ର ଓ ୧୨ଟି ନୋଡାଲ ସେଣ୍ଟରରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିଲା। ଭୁବନେଶ୍ୱରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଜୋନ୍‌ ଅଧିକାରୀ ଓ ଅଧ୍ୟାପକଙ୍କ ସ୍ୱତନ୍ତ୍ର ସ୍କ୍ଵାଡ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ଵାଡ୍‌, ଜିଲ୍ଲାପାଳ, ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସ୍କ୍ଵାଡ୍‌ ଓ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଡେପୁଟି ସଚିବ ଓ ଅଧ୍ୟାପକଙ୍କୁ ନେଇ ଜୋନାଲ୍‌ ସ୍କ୍ଵାଡ୍‌ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବ ବିଭିନ୍ନ ସମୟରେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ପରିଚାଳନାର ଯାଞ୍ଚ କରିଥିଲେ। ଅନ୍ୟ ଜୋନ୍‌ ତୁଳନାରେ ଭୁବନେଶ୍ୱର ଜୋନ୍‌ରେ କମ୍‌ କପି ଧରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର