ନୂଆ ରୂପରେ ଆସିଲା ସର୍ବକ୍ଷମା

ପୁରୁଣା ନିୟମକୁ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ ପାଇଲା, ଆବେଦନ କରିବାକୁ ୬ମାସର ମହଲତ

ଭୁବନେଶ୍ବର: ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮ ବା ସର୍ବକ୍ଷମା ଯୋଜନା ୨୦୧୮ ଏକରକମ ଫେଲ୍‌ ମାରିବା ପରେ ରାଜ୍ୟ ସରକାର ଏଥିରେ ବହୁ ମାତ୍ରାରେ ସଂଶୋଧନ ଆଣି ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୯ ବା ନୂଆ ସର୍ବକ୍ଷମା ଯୋଜନା ଆଣିଛନ୍ତି। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୬ମାସ ମଧ୍ୟରେ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ଲୋକମାନେ ଏହି ଯୋଜନାରେ ଆବେଦନ କରିପାରିବେ।

ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୨୦, ୨୦୧୮ରେ ଘୋଷଣା ହୋଇଥିବା ସର୍ବକ୍ଷମା ଯୋଜନାକୁ ନଗର ଉନ୍ନୟନ ବିଭାଗ ସଂଶୋଧନ କରି ଏହି ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଉନ୍ନୟନ କର୍ତ୍ତୃପକ୍ଷ, ବିଏମ୍‌ସି ଠାରୁ ପ୍ଲାନ୍ ନେଇ ଘର ନିର୍ମାଣ କରିଥିବା ଲୋକଙ୍କ ଉପରେ ମାତ୍ରାଧିକ ଜରିମାନା ଲଦି ଦିଆଯାଇଥିବାରୁ ‘ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮’ ଏକରକମ ଫେଲ୍‌ ମାରିଥିଲା। ଏପରିକି ଏହି ଯୋଜନା ଘୋଷଣା ହେବାର ବର୍ଷକ ମଧ୍ୟରେ ବି ଆଶାନୁରୂପ ଆବେଦନ ହେଲାନି। ଦୁଇ ଥର ୬ମାସ ଲେଖାଏଁ ଏହାର ଅବଧି ବଢ଼ାଇବା ସତ୍ତ୍ବେ ବି ସାରା ରାଜ୍ୟ‌େର ଆବେଦନ ୩ହଜାର ଟପିଲାନି। ଏପଟେ ସରକାରଙ୍କ ମାତ୍ରାଧିକ ଜରିମାନାକୁ ବିରୋଧ କରି କିଛି ଲୋକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ନଗର ଉନ୍ନୟନ ବିଭାଗ ଜରିମାନା ହ୍ରାସ କରିବା ସହ ପୂର୍ବ ନିୟମରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଅଧିକରୁ ଅଧିକ ଲୋକ ଯେପରି ସର୍ବକ୍ଷମା ଯୋଜନାରେ ସାମିଲ୍‌ ହେବେ ସେହିଭଳି ଏହାକୁ ପ୍ରସ୍ତୁତ କରାଯାଇଛି। ଆବାସିକ ଘର, ବ୍ୟବସାୟିକ ଘର ଆଦିର ସେଟ୍‌ବ୍ୟାକ୍, ପାର୍କିଂ, କମ୍ପାଉଣ୍ଡିଂ ଚାର୍ଜ ଆଦିରେ କୋହଳ କରି ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯେତିକି ଫି’ ଧାର୍ଯ୍ୟ ହୋଇଥିଲା ତାହା ପ୍ରାୟ ଅଧା କରାଯାଇଥିବାବେଳେ ଯେତିକି ଖୋଲା ସ୍ଥାନ ଛାଡ଼ିବାର ଥିଲା ତାହାକୁ ବି କୋହଳ କରାଯାଇଛି।

ସମ୍ବନ୍ଧିତ ଖବର