ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ସବୁସ୍ତରରେ ଉଦ୍ୟମ ହେଉ

ଆରମ୍ଭ ହେଲା ଖୋର୍ଧା ଜିଲ୍ଲା ଲୋକଉତ୍ସବ

ଖୋର୍ଧା: ଉତ୍କଳର ଇତିହାସ ଓ ସଂସ୍କୃତି ଅତି ମହାନ। ବିଶ୍ୱବ୍ରହ୍ମାଣ୍ଡର ମାଲିକ ସ୍ୱୟଂ ଜଗନ୍ନାଥଙ୍କ ଘର ଉତ୍କଳରେ ହୋଇଥିବାରୁ ଏହାର ଇତିହାସ ଅତି ଗୌରବମୟ। ବିଟ୍ରିସ୍‌ ସରକାର ବିରୋଧରେ ୧୮୦୪ ମସିହାରେ ପାଇକ ବିଦ୍ରୋହର ଆରମ୍ଭ ହୋଇଥିଲା। ବିଟ୍ରିସ୍‌ ସରକାର ବିରୋଧରେ ଲଢ଼ି ଜୟୀ ରାଜଗୁରୁ ଏହି ଆନ୍ଦୋଳନରେ ପ୍ରଥମେ ସହିଦ୍‌ ହୋଇଥିଲେ। ପରେ ବକ୍ସି ଜଗବନ୍ଧୁ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ। ୧୮୧୭ ମସିହାରେ ଏହା ଚରମ ପର୍ଯ୍ୟାୟରେ ପହଞ୍ଚିଥିଲା। କିନ୍ତୁ ପାଇକ ସଂଗ୍ରାମର ଉପଯୁକ୍ତ ତଥ୍ୟ ଆଜି ପର୍ଯ୍ୟନ୍ତ ଉପସ୍ଥାପିତ ହୋଇନାହିଁ। ବ୍ରିଟିସ୍‌ ସରକାର ସମୟରେ ଲିଖିତ ଇତିହାସରେ ଏହାକୁ ଗୁରୁତ୍ଵ ଦିଆଯାଇନାହିଁ। ଏବେ ସମୟ ଆସିଛି, ପ୍ରକୃତ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରି ଏହି ମହାନ୍‌ ସଂଗ୍ରାମକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା। ଏଥିପାଇଁ ସବୁସ୍ତରରୁ ଉଦ୍ୟମ ହେବା ଉଚିତ। ଖୋର୍ଧାର ‘ଆଶ୍ୱାସନା’ ପରିବାର ପକ୍ଷରୁ ଗୁରୁଜଙ୍ଗ ଉତ୍ସବ ପଡ଼ିଆଠାରେ ଆଜିିଠାରୁ ଆରମ୍ଭ ହୋଇଥିବା ଖୋର୍ଧା ଜିଲ୍ଲା ଲୋକ ଉତ୍ସବକୁ ଉଦ୍‌ଘାଟନ କରି ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବ ଏପରି ମତବ୍ୟକ୍ତ କରିଛନ୍ତି। ଏହାସହ ପାଇକ ସଂଗ୍ରାମର ୨୦୦ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ବୀର ପାଇକମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାରେ ଆଶ୍ୱାସନା ପରିବାରର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଲେ ଯେ ଖୋର୍ଧାରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ବିଶେଷ କରି ଖୋର୍ଧାରେ ଏକ ପାଇକ ଭବନ ନିର୍ମାଣ କରାଯିବା ସହ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ପାଇକ ବିଦ୍ରୋହର ସ୍ମୃତିଚାରଣ କରିବା ସହ ସହିଦ ପାଇକମାନଙ୍କ ସ୍ମୃତି ରକ୍ଷା ପାଇଁ ଅଧିକ ଦୃଷ୍ଟି ଦେବାକୁ ମତ ରଖିଥିଲେ।

ଖୋର୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ପାଇକମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଆଶ୍ୱାସନା ପରିବାରରର ମୁଖ୍ୟ ସଂଯୋଜକ ଗୌରୀଶଙ୍କର ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ନାଲ୍‌କୋର ସିଏମଡି ତପନ କୁମାର ଚାନ୍ଦଙ୍କୁ ଜୟୀ ରାଜଗୁରୁ ସମ୍ମାନ ଓ ରାଜ୍ୟ ପର୍ଯ୍ୟଟନ ସଚିବ ମନୋରଂଜନ ପାଣିଗ୍ରାହୀଙ୍କୁ ବକ୍ସି ଜଗବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଆଶ୍ଵାସନା ପରିବାରର ରିତେଶ କୁମାର ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମଞ୍ଚକୁ ବାଗ୍ମୀ, ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ବିଧାନ ଚନ୍ଦ୍ର ମହାନ୍ତି, ଡ. ନିରଞ୍ଜନ ମହାନ୍ତି, ସୁକାନ୍ତ ମଙ୍ଗରାଜ, ଜୟକୃଷ୍ଣ ମହାପାତ୍ର, ଗୌରୀ ଶଙ୍କର ତ୍ରିପାଠୀ ଓ ଆଶ୍ଵାସନା ପରିବାରର ସଦସ୍ୟମାନେ ପରିଚାଳନା କରିଥିଲେ। ଆଜି ସାଂସ୍କୃତିକ ମଞ୍ଚରେ ପ୍ର୍ରଥମ ଅର୍ଘ୍ୟ ଭାବେ ଭୁବନେଶ୍ୱରର କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ୬ଟି ପାଇକ ଆଖଡ଼ା ଦଳର କଳାକାରମାନେ ପାଇକ ଆଖଡ଼ା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଜି ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ଶତାଧିକ ବ୍ୟବସାୟୀ ସେମାନଙ୍କ ଷ୍ଟଲ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର