ଆଜିଠୁ ଯାତ୍ରା ମହାକୁମ୍ଭ

ଭୁବନେଶ୍ବର: ଖଣ୍ଡଗିରି ମେଳାରେ ଆଜିଠୁ ଜମିବ ଅସଲ ଭିଡ଼। ମେଳାର ଯାତ୍ରା ମଇଦାନକୁ ଓହ୍ଲାଇବେ ଆଜି ୩ ଯାତ୍ରା ଦଳ। ନୂଆ ଓ ଚର୍ଚିତ ନାଟକ ଭେଟିଦେବେ ସ୍ବର୍ଣ୍ଣମହଲ, ଗୌରୀ ଓ ଧଉଳି ଗଣନାଟ୍ୟ। ପ୍ରଥମ ପର୍ଯ୍ୟାୟ ଲଢ଼େଇରେ ୩ ଦଳ ନାଟକ ମଂଚସ୍ଥ କରିବା ପରେ ୧୫ ତାରିଖରୁ ସାମିଲ୍ ହେବ ଶିବାନୀ ଗଣନାଟ୍ୟ। ମହତାବ ପେଣ୍ଡାଲ୍‌ରେ ଆଜି ମଂଚସ୍ଥ ହେବ ଏକ ଭିନ୍ନ ସ୍ବାଦର ନାଟକ ‘ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା’। ‘ସ୍ବର୍ଣ୍ଣମହଲ’ ପକ୍ଷରୁ ମଂଚସ୍ଥ ଏହି ଚର୍ଚ୍ଚିତ ନାଟକକୁ ଅରୁଣ ବାରିକ ରଚନା କରିଥିବା ବେଳେ ନିର୍ଦେଶନା ଦେଇଛନ୍ତି ତାପସ ସ୍ବାଇଁ। କଳିଙ୍ଗ ଶିବିର ଛାଡ଼ି ଏଥର ସ୍ବର୍ଣ୍ଣମହଲରେ ସାମିଲ୍ ହୋଇଥିବା ଯାତ୍ରା ଦୁନିଆର ଷ୍ଟାଇଲିସ୍‌ ନାୟକ ପ୍ରତାପଙ୍କୁ ଏଥିରେ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। କଳିଙ୍ଗ-ଜିତା ଯୋଡ଼ି ସହ ଦୁର୍ଗା ଭୂୟାଁ, ସଂଜୟ, ରାଧା, କାବେରୀ, ଜ୍ଞାନ, ଜଗା ପଣ୍ଡାଙ୍କ ସମେତ ଚର୍ଚିତ କମେଡି ଅଭିନେତା ରବି ଶତପଥୀ ଏବଂ ଧେଡ଼ିଆ ମୁନାଙ୍କୁ ମଂଚରେ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଯାତ୍ରା ଆୟୋଜନରେ ସମସ୍ତ ଦର୍ଶକ ସହଯୋଗ କରିବା ପାଇଁ ମହତାବ ଯାତ୍ରା ଆୟୋଜକ କମିଟିର ସଭାପତି କୃଷ୍ଣଚନ୍ଦ୍ର ଜେନା ଏବଂ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ ନିବେଦନ କରିଛନ୍ତି। କଳିଙ୍ଗ ପେଣ୍ଡାଲ୍‌ରେ ପ୍ରଥମ ପର୍ଯ୍ୟାୟରେ ନାଟକ ମଂଚସ୍ଥ କରିବ ଗୌରୀ ଗଣନାଟ୍ୟ। ‘ଗୌରୀ ନାନୀର ନୂଆ ଠିକଣା’ ନାଟକ ସହ ଆଜିଠୁ ଯାତ୍ରା ଆରମ୍ଭ କରିବ। ହର ବାରିକଙ୍କ ରଚିତ ଓ ନିର୍ଦେଶିତ ନାଟକ ଏଥର ନୂଆ ସ୍ବାଦ ଭେଟି ଦେବ ବୋଲି ଯାତ୍ରା କମିଟିର ରଘୁ ମହାନ୍ତି କହିଛନ୍ତି। ରୀନା ପଣ୍ଡା, ପ୍ରିୟ, ଦୀପୁ, କୁନା-ରଂଜି, ବାପୁନି, ଝୁନା, ବୁଦ୍ଧିଆନା, ନିଲୁଆ, ଜୟନ୍ତ ଓ ସଂଜୀବଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ‘କହ ଗୌର ଦାସ, କାହାର ଦୋଷ’ ଭଳି ଚର୍ଚ୍ଚିତ ନାଟକକୁ ନେଇ ଘାଟିକିଆ ପେଣ୍ଡାଲ୍‌ରେ ଧଉଳି ଗଣନାଟ୍ୟ ଯାତ୍ରା ଆରମ୍ଭ କରିବ। ନାଟ୍ୟ ଦୁନିଆର ନାମୀ ଅଭିନେତା ଗୌର ଦାସଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏଥିସହ ମୁନା-ନମିତା, ମହେନ୍ଦ୍ର ଦାସ (ଭିକୁ ସେଠ୍), ବୁଢ଼ା-କବିତା, ସାନମଣି ଓ ନରି ପଣ୍ଡାଙ୍କ ଭଳି ଜଣାଶୁଣା ଅଭିନେତାଙ୍କ ସଂଳାପରେ ଦର୍ଶକ ବିଭୋର ହେବାର ସୁଯୋଗ ପାଇବେ ବୋଲି ସନାତନ ସେବା ସଦନର ଚତୁରା ସୂଚନା ଦେଇଛନ୍ତି।

ମହତାବ ପେଣ୍ଡାଲ୍‌ ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା (ରଚନା: ଅରୁଣ ବାରିକ, ନିର୍ଦେଶନା: ତାପସ ସ୍ବାଇଁ)
କଳିଙ୍ଗ ପଡ଼ିଆ ପେଣ୍ଡାଲ୍‌ ଗୌରୀ ନାନୀର ନୂଆ ଠିକଣା (ରଚନା/ନିର୍ଦେଶନା: ହର ବାରିକ
ଘାଟିକିଆ ପେଣ୍ଡାଲ୍‌ କହ ଗୌର ଦାସ, କାହାର ଦୋଷ (ରଚନା-ଦୀପକ ଜେନା, ନିର୍ଦେଶନା-ଗୁରୁପ୍ରସାଦ ମିଶ୍ର

ସମ୍ବନ୍ଧିତ ଖବର