ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ର ୪ର୍ଥ ସନ୍ଧ୍ୟା, ମଞ୍ଚସ୍ଥ ହେଲା ‘ନାଗରବର’

ଭୁବନେଶ୍ବର: ରାଜ୍ୟର କୁଚକ୍ରୀ ବଡ଼ପଣ୍ଡାମାନେ ରାଜାଙ୍କୁ ପଥଭ୍ରଷ୍ଟ କରି ରାଜ୍ୟରେ ସ୍ବେଚ୍ଛାଚାରୀ ଶାସନ ଚଲାନ୍ତି। ହେଲେ ରାଜ୍ୟର ସଚ୍ଚୋଟ ହାବିଲଦାର ଏସବୁ ବିରୋଧରେ ଲଢ଼େ। ନିଜ ପ୍ରେମିକା ଫୁଲମତୀ ସହ ମିଶି କୁଚକ୍ରୀ ବ୍ୟକ୍ତିଗଣଙ୍କ ଷଡ଼୍‌ଯନ୍ତ୍ରକୁ ପଣ୍ଡ କରି ରାଜ୍ୟ ତଥା ରାଜାଙ୍କୁ ବିପଦରୁ ଉଦ୍ଧାର କରିଛନ୍ତି। ଏଥିସହ ଖାମଖିଆଲି ରାଜାଙ୍କୁ ପୁଣି କର୍ତ୍ତବ୍ୟ ପରାୟଣ କରିପାରନ୍ତି।

ଏଭଳି ଏକ ଅନ୍ୟାୟ ବିରୋଧରେ ନ୍ୟାୟର ଜୟ ଓ ଅସତ୍‌ ଉପରେ ସତ୍ୟର ବିଜୟ କାହାଣୀକୁ ନେଇ ଭଞ୍ଜକଳା ମଣ୍ଡପରେ ପରିବେଷିତ ହୋଇଥିଲା ନାଟକ ‘ନାଗରବର’। ନାଟକର ମୂଳ ରଚନା ବସନ୍ତ ସବନୀସ କରିଥିବା ବେଳେ ଏହାର ହିନ୍ଦୀ ରୂପାନ୍ତର କରିଛନ୍ତି ଉଷା ବାନାର୍ଜୀ। ନ‌ାଟକର ନିର୍ଦ୍ଦେଶନା‌ ଦେଇଥିଲେ ରାମଚନ୍ଦ୍ର ସାହୁ ଓ ଚିତ୍ତରଞ୍ଜନ ଦାଶ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ର ଆଜି ଥିଲା ୪ର୍ଥ ସନ୍ଧ୍ୟା। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ଓ ନାଟ୍ୟ ନିର୍ଦ୍ଦେଶକ ଗଦାଧର ବାରିକ ଉପସ୍ଥିତ ଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର