ବାଳକାଟି-ଝିଣ୍ଟି କେନାଲ ବନ୍ଧରେ ମାଟି ଧସୁଛି, ରାସ୍ତାସାରା ଦେଢ଼ଫୁଟିଆ ଖାଲ

ବାଲିଅନ୍ତା: ବାଳକାଟି-ପୁରୀ ମୁଖ୍ୟ କେନାଲ ବନ୍ଧ ଦେଇ ଝିଣ୍ଟିଶାସନ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ଲଗାତାର ମାଟି ଧସୁଥିବାରୁ ରାସ୍ତା ସାରା ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଶହ ଶହ ଲୋକେ ଏବ‌େ ଯାତାୟାତ‌ରେ ବହୁ ସମସ୍ୟା‌ର ସମ୍ମୁଖୀନ ହେଉଛନ୍ତି। ଦିନରେ ଗାଡ଼ି ଚଳାଚଳ କରିବା ସମ୍ଭବ ହେଉନଥିବା ଏହି ରାସ୍ତା ରାତିରେ ଏକପ୍ରକାର ବନ୍ଦ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୫ ଜଣ ଏହି ରାସ୍ତାରେ ପଡ଼ି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସ୍ଥାନୀୟ ଝିଣ୍ଟିଶାସନ, ବାୟାଁପଦା, ମଲ୍ଲିକ ସାହି, ଚଢ଼େଇବର (ଖରିଜା) ଆଦି ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦିନ ହେବ ଏହି ରାସ୍ତା ମରାମତି ହେଉନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୫ କିଲୋମିଟର ଲମ୍ବର ଏହି ରାସ୍ତାରେ ବହୁ ଅଂଶରେ ଦୁଇ ଫୁଟିଆ ଖାଲ ସବୁ ସୃଷ୍ଟି ହୋଇଛି। କିଛି ସ୍ଥାନରେ ରାସ୍ତା କଡ଼ରୁ ମାଟି ଧସେଇ ଯାଇଥିବାରୁ ପଚୁ ଗଳି ପଡ଼ିଲାଣି ଓ ଉକ୍ତ ସ୍ଥାନରେ ରାସ୍ତାର ଚଉଡ଼ା କମି ଯାଇଛି। ପୁଣି କିଛି ସ୍ଥାନରେ ମଝି ରାସ୍ତାରେ ମାଟି ଦବି ଯାଉଥିବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଏହି ସବୁ ଖାଲରେ ବର୍ଷା ପାଣି ଜମି ରହିବା ଦ୍ବାରା ଲୋକମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଝିଣ୍ଟିଶାସନ, ବାୟାଁପଦା ମଲ୍ଲିକ ସାହି, ଚଢ଼େଇବର (ଖରିଜା)ଠାରେ ରାସ୍ତା ଅବସ୍ଥା ଅଧିକ ବିପଜ୍ଜନକ ହୋଇପଡ଼ିଛି। ପିଚୁ ତଳୁ ମାଟି ଦବି ଯାଇଥିବାରୁ ଲୋକେ ଜାଣିନପାରି ଗାତରେ ଗଳି ପଡ଼ୁଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଏହି ରାସ୍ତାରେ ୫ ଜଣ ଆହାତ ହୋଇଥିବା ସୂଚନା ମିଳିଛି। ପୂରଣପଧାନ ପଞ୍ଚାୟତ ବାୟାଁପଦା ଗ୍ରାମର ମଧୁସୁଦନ ବେହେରା (୩୮) ବାଇକ୍‌ରୁ ପଡ଼ି ଓ କାହ୍ନୁ ଚରଣ ମଲ୍ଲିକ (୪୦) ସାଇକେଲରୁ ପଡ଼ି ଆହତ ହୋଇଛନ୍ତି। ଗତକାଲି ଝିଣ୍ଟିପାଟଣାର ଶୁକଦେବ ମହାନ୍ତି ଓ ସୁକାନ୍ତ ମହାନ୍ତି ବାଇକ୍‌ରୁ ପଡ଼ି ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର