କ୍ୟାପିଟାଲ ହସ୍ପିଟାଲରେ ହେବ ବହୁତଳ ପାର୍କିଂ! ହସ୍ପିଟାଲ କ୍ୟାମ୍ପସ ମାଷ୍ଟରପ୍ଲାନ୍ ପାଇଁ ଆର ଏଣ୍ଡ ବି କୁ ଚିଠି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନିର୍ମାଣ ହେବ ବହୁତଳ ପାର୍କିଂ। ହସ୍ପିଟାଲରେ ଦିନକୁ ଦିନ ପାର୍କିଂ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାର ସମାଧାନ ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ହସ୍ପିଟାଲ ନିର୍ଦେଶକ ପ୍ରସ୍ତାବ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ, ତାହେଲେ ହସ୍ପିଟାଲର ପାର୍କିଂ ସମସ୍ୟା ଦୂର କରିବାରେ ଏହା ବେଶ୍ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଏଥିପାଇଁ ହସ୍ପିଟାଲର କ୍ୟାମ୍ପସ୍ ମାଷ୍ଟରପ୍ଲାନ୍‌ର ଆକଳନ ଓ ପରାମର୍ଶଦାତା ନିଯୁକ୍ତ ପାଇଁ ଆରଏଫ୍‌ପି ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ଆରଏଣ୍ଡବି)ଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ(କୋଠା)। ପୂର୍ବରୁ ଯଦିଓ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ(କୋଠା)ଙ୍କ ପକ୍ଷରୁ କେନ୍ଦ୍ରୀୟ ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ଆରଏଣ୍ଡବି)ଙ୍କୁ ଚିଠି ଦିଆଯାଇଥିଲା, ହେଲେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।’

ରାଜ୍ୟ ସରକାର ମାଗଣା ଚିକିତ୍ସା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ସରକାର ମଧ୍ୟ ହସ୍ପିଟାଲକୁ ପିଜିଆଇ(ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍‌) ପାଇଁ ଅନୁମୋଦନ ଦେଇଛନ୍ତି। ଏହାସହ ଟ୍ରମାକେୟାର, କର୍କଟ ୱିଙ୍ଗ(ଲେଭଲ-୨), ରାଜ୍ୟ ରେଫରାଲ ଲାବୋରେଟାରି, ଏମ୍‌ସିଏଚ୍‌ ବିଲ୍ଡିଂର ସଂପ୍ରସାରଣ ସହିତ ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ସେଡ୍‌ ନିର୍ମାଣ ପାଇଁ ଯୋଜନା ହୋଇଛି। ତେଣୁ ହସ୍ପିଟାଲରେ ସଂପ୍ରସାରଣ ପାଇଁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ଲାଗି ହସ୍ପିଟାଲ ନିର୍ଦ୍ଦେଶକ ଗତ ମାସରେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ(କୋଠା)ଙ୍କୁ ଚିଠି ଲେଖିଥିଲେ। ହେଲେ ଏ ଦିଗରେ ବିଶେଷ ଅଗ୍ରଗତି ହୋଇପାରିନାହିଁ। ମାଷ୍ଟରପ୍ଲାନ୍‌ରେ ହସ୍ପିଟାଲର କାଜୁଆଲ୍‌ଟି କମ୍ପ୍ଲେକ୍ସର ସଂପ୍ରସାରଣ ପ୍ରସ୍ତାବ ରହିଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା କାଜୁଆଲଟି କମ୍ପ୍ଲେକ୍ସରେ ଜରୁରୀକାଳୀନ ପରିସ୍ଥିତିରେ ଆସୁଥିବା ବହୁସଂଖ୍ୟାରେ ରୋଗୀଙ୍କ ପରିଚାଳନା କଷ୍ଟକର ହୋଇପଡ଼ୁଛି। ଅନେକ ସମୟରେ ରୋଗୀମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ଲାଗି ଏହାର ସଂପ୍ରସାରଣ ସହିତ ଅତ୍ୟାଧୁନିକ କରାଯିବା ଜରୁରୀ ହୋଇପଡ଼ିଛି। ସେହିପରି ହସ୍ପିଟାଲରେ ଥିବା ୩୦ଟି ଜେନେରାଲ ଓ ଏମ୍‌ସିଏଚ୍‌ରେ ଥିବା ୯ଟି ରୁମ୍‌କୁ ମିଶାଇ ନର୍ସିଂହୋମ୍, ‌ସ୍ପେସାଲ କ୍ୟାବିନ୍ ଓ କ୍ୟାବିନ୍ କାର୍ଯ୍ୟକ୍ଷମ ରହିଛି। ଏସବୁ କ୍ୟାବିନ୍ ପାଇଁ ଦିନକୁ ଦିନ ଚାହିଦା ବଢ଼ୁଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ। ତେଣୁ ଅତିରିକ୍ତ ସ୍ପେସାଲ କ୍ୟାବିନ୍ ନିର୍ମାଣ କରାଗଲେ ରୋଗୀଙ୍କ ସମେତ ହସ୍ପିଟାଲର ରାଜସ୍ବ ବଢ଼ାଇବାରେ ଏହା ସାହାଯ୍ୟ କରିବ।

ଆଗାମୀ ଦିନରେ କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର୍‌ କାର୍ଯ୍ୟକ୍ଷମ ହେବ। ତେଣୁ ଏହାକୁ ନଜରରେ ରଖି ରକ୍ତ ଭଣ୍ଡାର ପାଇଁ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ନିର୍ଦେଶକ ପ୍ରସ୍ତାବ ଦେଇଛନ୍ତି। ଫଳରେ ସ୍ବେଚ୍ଛାକୃତ ରକ୍ତଦାନ ସୁରୁଖୁରୁରେ ହେବା ସହ କନଫରେନ୍ସ/ବୈଠକ ଗୃହ ଓ ଷ୍ଟାଫ୍‌ଙ୍କ ପାଇଁ ରୁମ୍‌ ରହିପାରିବ। ହସ୍ପିଟାଲର ପୁରୁଣା ବିଲ୍ଡିଂରେ ଥିବା ମଡ୍ୟୁଲାର କିଚେନ୍ ପୁରୁଣା ହୋଇଗଲାଣି। ଯେହେତୁ ହସ୍ପିଟାଲରେ କର୍କଟ ୱିଙ୍ଗ୍, ଟ୍ରମା କେୟାର ସୁବିଧା ରହିବ, ତେଣୁ ଅତ୍ୟାଧୁନିକ ଟେକ୍ନୋଲୋଜି ଥିବା କିଚେନ୍ ବ୍ଲକ୍ ନିର୍ମାଣ ଉପରେ ହସ୍ପିଟାଲ କର୍ତ୍ତୃପକ୍ଷ ଫୋକସ୍‌ କରିଛନ୍ତି। ଏହାସହ ରେକର୍ଡ ରୁମ୍‌ ଓ ହସ୍ପିଟାଲର ବିଭିନ୍ନ ୱାର୍ଡ ଓ ବହିର୍ବିଭାଗରେ ଔଷଧ ବିତରଣରେ ସହାୟତା ପାଇଁ ଅଲଗା ବ୍ଲକ୍ ନିର୍ମାଣ ଉପରେ ମଧ୍ୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର