ଆଜି ସରିବ ଖଣ୍ଡଗିରି ମେଳା ମଉଜ, ଦେୟ ନେଲେ, ସେବା ଦେଲେନି

ଦର୍ଶକଙ୍କ କାନ କାମୁଡ଼ିଦେଲେ ରାନୀ

ଭୁବନେଶ୍ବର: ଆଜି ସରିଯିବ ଖଣ୍ଡଗିରି ମେଳା ମଉଜ। ରାତି ଅଧରେ ଆଉ କୋଳାହଳ ଭରିବନି ଯାତ୍ରା ସଂଳାପ। ସୋମବାର ଶେଷ ଯାତ୍ରା ମଂଚସ୍ଥ କରି ବିଦାୟ ନେବେ ଯାତ୍ରା ଦଳ। ତେଣୁ ଯାତ୍ରା ସରିଯିବା ପୂର୍ବରୁ ଆଜି ବ୍ୟାପକ ଭିଡ଼ ଜମିଛି। ମେଳାରେ କିଣାବିକାଠୁ ନେଇ ଯାତ୍ରା ଦେଖିବା ପାଇଁ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଶନିବାରିଆ ଯାତ୍ରା ଦେଖିବା ପାଇଁ ଯେପରି ଭିଡ଼ ଜମିଥିଲା ଆଜି ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷକରି ରବିବାର ଛୁଟିଦିନ ଥିବାରୁ ଆଜି ଅପରାହ୍‌ଣରୁ ବୁଲାବୁଲି ଜମିଥିଲା।

ଖଣ୍ଡଗିରି ମେଳା ଅବସରରେ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରାଜଧାନୀ ଏବଂ ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତିବିଶେଷଙ୍କ ଭିଡ଼ ଜମୁଛି। ଯାତ୍ରା ଆୟୋଜନ ବେଳେ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଏମ୍‌ସି ଯାତ୍ରା କମିଟିମାନଙ୍କଠାରୁ ପ୍ରତିଦିନ ୬ ହଜାର ଟଙ୍କା ଲେଖାଏଁ ନେଲା। ଅଥଚ କୌଣସି ସେବା ଦେଲାନାହିଁ। ପ୍ରତିଦିନ ପାଖାପାଖି ୨୦ ହଜାର ଲୋକଙ୍କ ସମାଗମ ହେଉଛି। ଯାତ୍ରା ଯୋଗୁଁ ରାତି ଏଇଠି ବିତୁଛି। ମାତ୍ର ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ନାହିଁ। ଫଳରେ ଯିଏ ଯୋଉଠି ପାରୁଛି ସେଇଠି ଏକ-ଦୁଇ କରୁଛି। ଏହା ପ୍ରଭାବରେ‌ ମେଳା ସ୍ଥାନ ଗନ୍ଧରେ ଫାଟି ପଡ଼ୁଛି। ହେଲେ କାହାର ନଜର ନାହିଁ। ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପାଇଖାନା ମେଳା ସ୍ଥାନରେ ସ୍ଥାପନ କରାଯିବା କଥା। ମାତ୍ର ତାହା ହୋଇନାହିଁ। ମେଳା ଯୋଗୁଁ ଅପରିଷ୍କାର ହେଉଥିଲେ ହେଁ ସ୍ବଚ୍ଛତା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ବ୍ଲିଚିଂ ବି ପକାଯାଉ ନାହିଁ। ସଂପ୍ରତି ୭ଟି ସ୍ଥାନରେ ଯାତ୍ରା ଚାଲିଥିବା ବେଳେ ମୋଟ୍‌ ୬୫ ଦିନ ହିସାବରେ ପ୍ରଶାସନ ଯାତ୍ରା କମିଟିମାନଙ୍କଠାରୁ ୩ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରିଛି। ଦେୟ ନେଲା ବେଳକୁ ଥାନାକୁ ଡକାଇ କମିଟିମାନଙ୍କଠାରୁ ଟଙ୍କା କଷି ନେଉଛି। କିନ୍ତୁ ସେବା ଦେଲାବେଳକୁ କୁନ୍ଥକୁନ୍ଥ ହେଉଛି। ଏମିତିକି, ବାରମ୍ବାର ଅଭିଯୋଗ କଲେ ଯାତ୍ରା ବନ୍ଦ କରିଦେବା ପାଇଁ ଧମକ ଦେଉଛି। ଏନେଇ ଯାତ୍ରା ପରିବେଷଣ କରୁଥିବା କମିଟିମାନେ ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଭେଟି‌ଥିଲେ ହେଁ ଏ ବାବଦରେ ପଦକ୍ଷେପ ନିଆଯାଉନାହିଁ ବୋଲି ଖଣ୍ଡଗିରି ଯାତ୍ରା ଆୟୋଜନ କମିଟିର ସଦସ୍ୟମାନେ କହିଛନ୍ତି।

ଦର୍ଶକଙ୍କ କାନ କାମୁଡ଼ିଦେଲେ ରାନୀ
ଖଣ୍ଡଗିରି ଯାତ୍ରା ମଇଦାନରେ ଚାଲିଥିବା ଯାତ୍ରା ସଚ୍ଚିଦାନନ୍ଦମ୍‌ ପେଣ୍ଡାଲ୍‌ରେ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ର ଆଇଟମ୍‌ ଗାର୍ଲ ରାନୀ ନୃତ୍ୟ ପରିବେଷଣ ପରେ ମଂଚ ତଳକୁ ଆସି ଜଣେ ଦର୍ଶକଙ୍କ କାନକୁ କାମୁଡ଼ି ଦେଇଥି‌ଲେ। ଘଟଣାଟି ଘଟିଛି ଶନିବାର ରାତିରେ। ମିଳିଥିବା ସୂଚନା ମୁତାବକ ଯାତ୍ରା ମଂଚ ଉପରେ ରାନୀ ନୃତ୍ୟ ପ‌ରିବେଷଣ କରୁଥିଲେ। ଆଇଟମ୍‌ ନୃତ୍ୟ ଦେଖିବାକୁ ପ୍ରବଳ ସମାଗମ ହୋଇଥିଲା। ଏପରିକି ରାନୀ ମଂଚ ଉପରେ ନିଜର ପିଠିକୁ ଫୁଙ୍ଗୁଳା କରିଦେବା ଦେଖି ଅନେକ ହୋ ହଲା କରିଥିଲେ। ଯେବେ ନୃତ୍ୟ ସରିଗଲା, ରାନୀ ଦର୍ଶକଙ୍କ ମଧ୍ୟରେ ଆହୁରି ରୋମାଞ୍ଚ ଭଳିବା ପାଇଁ ମଂଚ ତଳକୁ ଓହ୍ଲାଇ ଆସିଲେ। ଦର୍ଶକଙ୍କ ମଝିରେ ଯାଉଥିବା ବେଳେ ହଠାତ୍‌ ରାଗିଗଲେ। ପଛକୁ ଫେରି ଜଣେ ଯୁବକଙ୍କ କାନକୁ କାମୁଡ଼ିଦେଲେ। ଏନେଇ ଯେବେ ତାଙ୍କୁ ଘଟଣା ବାବଦରେ ପଚାରିବାରୁ ସେ କହିଥିଲେ ଯେ, ଜଣେ ଦର୍ଶକ ମୋ ଶରୀରକୁ ସ୍ପର୍ଶ କରିବାକୁ ଉଦ୍ୟମ କରୁଥିଲା। ତେଣୁ ମୁଁ ରାଗି ତା’ କାନକୁ କାମୁଡ଼ିଦେଲି। ଖାଲି ସେତିକି ନୁହେଁ ମଂଚରେ ସେ ଉତ୍ତେଜକ ନୃତ୍ୟ ପରିବେଷଣ କରୁଥିବା ଏବଂ ପିଠି ଫୁଙ୍ଗୁଳା କରିଦେବା ଦୃଶ୍ୟ କାହିଁକି ଦେଖାଉଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ମୁଁ ଜଣେ ଆଇଟମ୍‌ ନୃତ୍ୟଶିଳ୍ପୀ। ମୋ କାମ ହେଉଛି ଦର୍ଶକଙ୍କ ମନୋରଂଜନ କରିବା। ତେଣୁ ମୁଁ ଯାହା କରୁଛି ଜଣେ କଳାକାର ଭାବେ ଦର୍ଶକଙ୍କ ମନୋରଂଜନ ପାଇଁ କରୁଛି ବୋଲି ସେ କହିଥିଲେ। ତେବେ ଏହାକୁ ନେଇ କିଛି ମହିଳା ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର