ଆଜିଠାରୁ ପ୍ଲାନେଟାରିୟମ୍‌ରେ ନୂତନ ସୋ’ ‘ମହାଜାଗତିକ ଜୀବ’

ଭୁବନେଶ୍ବର: ଭୁବେନଶ୍ବରର ପଠାଣି ସାମନ୍ତ ଓ ବୁର୍ଲାସ୍ଥିତ ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ରେ ଆସନ୍ତାକାଲିଠାରୁ ନୂତନ ସୋ’ ‘ମହାଜାଗତିକ ଜୀବ’ ପ୍ରଦର୍ଶିତ ହେବ। ୩୦ ମିନିଟ୍‌ ଅବଧିର ଏହି ସୋ’ରେ ବିଶ୍ବର ସୃଷ୍ଟି, ତାରାମାନଙ୍କ ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟା, ନୀହାରିକାର ସୃଷ୍ଟି, ବିଶ୍ବର ଆକାର ତଥା ଆମ ବିଶ୍ବରେ ଅନ୍ୟତ୍ର ଜୀବଜଗତ ରହିଛି କି ନାହିଁ ଆଦି ସଂପର୍କରେ ଅତି ସରଳ ଭାଷାରେ ଉପସ୍ଥାପନା କରାଯାଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଏହା ପ୍ରଦର୍ଶିତ ହେବ। ଏହାସହ ଖୁବଶୀଘ୍ର ବୁର୍ଲାସ୍ଥିତ ପ୍ଲାନେଟାରିୟମ୍‌ରେ ସମ୍ବଲପୁରୀ ଭାଷାରେ ଏକ ସୋ’ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି।

ଆଜି ଏହି ପରିପ୍ରେକ୍ଷୀରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ‘ମହାଜାଗତିକ ଜୀବ’ ସୋ’କୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ, ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଆଉ ୫ଟି ପ୍ଲାନେଟାରିୟମ୍‌ ଓ ୧୦ଟି ବିଜ୍ଞାନ ଉଦ୍ୟାନ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ କିଛି ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ନାସା’ ପଠାଇବା ପାଇଁ ଯୋଜନା କରାଯାଉଛି। ପଠାଣିସାମନ୍ତ ପ୍ଲାନେଟାରିୟମ୍‌ର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ପ୍ରତିଦିନ ପ୍ଲାନେଟାରିୟମ୍‌ରେ ୪ଟି ସୋ’ ପ୍ରଦର୍ଶିତ ହେଉଥିବା ବେଳେ ବୁର୍ଲାରେ ୩ଟି ସୋ’ ପ୍ରଦର୍ଶିତ ହେଉଛି। ଭୁବନେଶ୍ବରରେ ପ୍ରଦର୍ଶିତ ସୋ’ ମଧ୍ୟରୁ ୨ଟି ଓଡ଼ିଆ ସୋ’ରେ ‘ରାତି ଆକାଶର ଅସରନ୍ତି କଥା’ ପ୍ରଦର୍ଶିତ ହେଉଥିଲା। ମାତ୍ର ଏବେ ତହିଁରୁ ଗୋଟିଏ ସୋ’ ‘ମହାଜାଗତିକ ଜୀବ’ ପ୍ରଦର୍ଶିତ ହେବ। ସେହିପରି ବୁର୍ଲାରେ ପ୍ରଦର୍ଶିତ ହେଉଥିବା ‘କସମିକ୍ ହେରିଟେଜ୍’ସୋ’କୁ ପରୀକ୍ଷାମୂଳକ ଭାବେ ପ୍ରଦର୍ଶିତ କରାଯିବ। ଏହାସହ ଗତ ୧୦ବର୍ଷ ଧରି ସରକାରଙ୍କ ପକ୍ଷରୁ ଟାଟା ଷ୍ଟିଲ ସହାୟତାରେ ୨୦ଜଣ ଲେଖାଏ ଛାତ୍ରଛାତୀ/ଶିକ୍ଷକଙ୍କୁ ଇସ୍ରୋକୁ ପଠାଯାଉଛି। ତେଣୁ ଏହି ଭିତ୍ତିରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ ନାସା ପଠାଯିବା ପାଇଁ ଯୋଜନା ହୋଇଛି। ମାତ୍ର ଏଥିପାଇଁ କେତେ ଟଙ୍କା ଖର୍ଚ ହେବ ଓ କିଭଳି ଚିହ୍ନଟ ହେବ ଖୁବଶୀଘ୍ର ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର