ଘଣ୍ଟିକିଆ ଆନ୍ଦୋଳନକୁ ଓହ୍ଲାଇଲେ ବିଶ୍ବବିଦ୍ୟାଳୟ ଶିକ୍ଷକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ କ୍ଷେତ୍ରରେ ୭ମ ବେତନ କମିସନ ଲାଗୁ, ବିଶ୍ବବିଦ୍ୟାଳୟ ପ୍ରଫେସରଙ୍କ ଅବସର ବୟସ ସୀମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ବ୍ୟାପକ କରିଛି ଓଡ଼ିଶା‌ ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘ। ଗତ ନଭେମ୍ବର ୧ରୁ ୯ ତାରିଖ ଯା‌ଏ କଳାବ୍ୟାଜ୍‌ ପିନ୍ଧି ପ୍ରଫେସର, ପ୍ରାଧ୍ୟାପକ ଓ ଅଧ୍ୟାପକମାନେ କାମ କରିଥିଲେ। ଏହାପରେ ବି ଦାବି ପୂରଣ ନ ହେବାରୁ ଆଜିଠାରୁ ଘଣ୍ଟିକିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନରେ ଘଣ୍ଟାଏ ଲେଖାଏଁ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣାରେ ବସିବେ। ଏହାପରେ ବି ଯଦି ଦାବି ପୂରଣ ନ ହୁଏ ତେବେ ୧୯ ତାରିଖରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରୁ ଶିକ୍ଷକମାନଙ୍କ ଏକ ପଦଯାତ୍ରା ବାହାରି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କୁ ଦାବିପତ୍ର ଦିଆଯିବ। ନଭେମ୍ବର ୨୬ରେ ଭୁବନେଶ୍ବର ରାମମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଏକ ମହମବତି ଶୋଭାଯାତ୍ରା କରାଯିବ। ଏଥିରେ ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ, ଉତ୍ତର ଓଡ଼ିଶା, ଓୟୁଏଟି, ବିପିୟୁଟି, ରେଭେନ୍ସା ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେବେ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର