ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ ‘ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୁବ୍‌ ଶୀଘ୍ର ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ହେବ। ଆଜି ଏନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍କଳ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ର ସଂଘ ପକ୍ଷରୁ ବିଏମ୍‌ସି ସହାୟତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ମୁକ୍ତ ଉତ୍କଳ ବିଶ୍ବବିଦ୍ୟାଳୟ ଅଭିଯାନକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ର ସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ବିଶ୍ବବିଦ୍ୟାଳୟରେ ଯେପରି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ହେବନି, କ୍ୟାମ୍ପସକୁ ସ୍ବଚ୍ଛ ଓ ସବୁଜ ହେବ ସେନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେବ।

ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ତଥା ସହିଦ ଦିବସ ଉପଲକ୍ଷେ ବିଶ୍ବବିଦ୍ୟାଳୟର ଅହିଂସା ସ୍ଥଳୀ ନିକଟରେ ପ୍ଲାଷ୍ଟିକ୍ ମୁକ୍ତ କ୍ୟାମ୍ପସ୍‌ ପାଇଁ ସମୂହ ଶପଥ ପାଠ ହେବା ସହ କ୍ୟାମ୍ପସରେ ସଫେଇ ହୋଇଥିଲା। ଏଥିରେ ବିଶ୍ବବିଦ୍ୟାଳୟର କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ ସାମିଲ୍‌ ହୋଇଥିଲେ। ବିଏମ୍‌ସି ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୧୦ଟି ବଡ଼ ଡଷ୍ଟବିନ୍, କପଡ଼ା ବ୍ୟାଗ୍‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାସ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, କୁଳସଚିବ ଅଭୟ କୁମାର ନାୟକ, ସୂଚନା କମିସନର ଦିଲ୍ଲୀପ ବିଶୋଇ, ବିଏମ୍‌ସିର ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର