ବିରାଜିଲେ ଦେବଶିଳ୍ପୀ ବିଶ୍ୱକର୍ମା

ଭୁବନେଶ୍ୱର : ବର୍ଷକ ପରେ ପୁଣି ଥିରେ ଥମିଥିଲା ମେସିନ୍‌ ଓ ଯନ୍ତ୍ର ଆଦିର ବିକଟାଳ ଶବ୍ଦ। କାନ ଫଟା କର୍କଶ ଶବ୍ଦ ନୁହେଁ, ବୈଦିକ ଉଚ୍ଚାରଣରେ ପରିବେଶରେ ଭକ୍ତି ଓ ଶାନ୍ତିର ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ଧରାପୃଷ୍ଠରେ ବିରାଜିଥିଲେ ଦେବଶିଳ୍ପୀ ବିଶ୍ୱକର୍ମା। ଶିଳ୍ପାନୁଷ୍ଠାନଠାରୁ ଆରମ୍ଭ କରି ବୈଷୟିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ତଥା ଗ୍ୟାରେଜ୍‌ଗୁଡ଼ିକ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା। ବିଶ୍ୱକର୍ମା ପୂଜା ଅବସରରେ କାର୍ଯ୍ୟାଳୟ, ଗ୍ୟାରେଜ୍‌ ଓ ଦୋକାନରେ ପୂର୍ବାହ୍ଣରେ ପୂଜା ହୋଇଥିବା ବେଳେ ଅଧିକାଂଶ ମଣ୍ଡପରେ ଅପରାହ୍ଣରେ ପୂଜା ହେଉଥିବା ଦେଖିବାକୁ ମିଳିଥିଲା। ଜୟଦେବ ବିହାର ଅଟୋଚାଳକ ସଂଘ, କଳ୍ପନା ଛକ, ରାଜମହଲ ଅଟୋ ଆସୋସିଏସନ୍‌, ୟୁନିଟ୍‌-୨, ଖାରବେଳ ନଗର, ଇନ୍ଦ୍ରଧନୁ ଅଟୋ ମାଲିକ ସଂଘ, ରସୁଲଗଡ଼ ଇଲେକ୍ଟ୍ରି ଅଫିସ୍‌, ବୁଦ୍ଧନଗରସ୍ଥିତ ସେସୁ କାର୍ଯ୍ୟାଳୟ, ଚନ୍ଦ୍ରଶେଖରପୁର ସେସୁ କାର୍ଯ୍ୟାଳୟ, ଓମ୍‌ଫେଡ୍‌ କାର୍ଯ୍ୟାଳୟ ଓ ରେଳ ଡବା ମରାମତି କାରଖାନାରେ ପାଳିତ ହୋଇଯାଇଛି ବିଶ୍ୱକର୍ମା ପୂଜା। କଳିଙ୍ଗ ଷ୍ଟାଡିୟମ୍‌ ନିକଟସ୍ଥ ବିଶ୍ୱକର୍ମା ମନ୍ଦିର ପରିସରରେ ବିଶ୍ୱକର୍ମା ସମିତି ପକ୍ଷରୁ ୪୬ତମ ଶ୍ରୀ ବିଶ୍ୱକର୍ମା ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାରେ ଗାଡ଼ି ପୂଜା ପାଇଁ ଲୋକଙ୍କର ଲମ୍ବା ଲାଇନ୍‌ ଲାଗିଥିଲା। ଏହା ସହିତ ପ୍ରସାଦସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପୁରୁଣା ଭୁବନେଶ୍ୱରର ମୂଳା ପଡ଼ିଆ ପିଏଚ୍‌ଡି କାର୍ଯ୍ୟାଳୟ, ଇଲେକ୍ଟି୍ର ଅଫିସ୍‌, ବଢ଼େଇବାଙ୍କ ଛକ ଅଟୋ ଆସୋସିଏସନ୍‌, ବଜାର ଅଟୋ ଆସୋସିଏସନ୍‌ ଆଦି ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା।

ଝଲସୁଛି ମଞ୍ଚେଶ୍ୱର, ଚନ୍ଦକା ଶିଳ୍ପାଞ୍ଚଳ

ମଞ୍ଚେଶ୍ୱର ଓ ଚନ୍ଦକା ଶିଳ୍ପାଞ୍ଚଳର ଦେଢ଼ ଶହରୁ ଅଧିକ ଶିଳ୍ପାନୁଷ୍ଠାନରେ ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। ଚନ୍ଦ୍ରଶେଖରପୁର ବିଦ୍ୟୁତ୍‌ ସେକ୍ସନ୍‌-୧ରେ ମଧ୍ୟ ଜାକଜମକର ସହ ପୂଜା ପାଳିତ ହେଉଛି। ରଙ୍ଗିନ ଆଲୋକମାଳାରେ ସମ୍ପୂର୍ଣ୍ଣ ପରିବେଶ ଝଲସୁଛି। ଆସନ୍ତାକାଲିଠାରୁ ୩ ଦିନ ଧରି ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଭାଇଚାରା ବଜାୟ ରଖିବା ଉଦ୍ଦେଶ୍ୟରେ ଶୈଳଶ୍ରୀ ବିହାରରେ ମୈତ୍ରୀମେଳାର ଆୟୋଜନ କରାଯାଇଛି। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାର ସଂସ୍ଥା ଦ୍ୱାରା ଦୋଳି ଓ ମୀନାବଜାର ଲାଗିଛି। ୭ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିଏସ୍‌ଏସ୍‌ ନଗରଠାରୁ ଚକେଇସିଆଣି, ପୁରୁଣା ଥାନା ଛକ, ଆଲଫା ରାସ୍ତାପାର୍ଶ୍ୱରେ ଏଲ୍‌ଇଡି ତୋରଣ ସାଙ୍ଗକୁ ଲାଇଟ୍‌ କଣ୍ଢେଇ ନୃତ୍ୟ କରାଯାଉଛି। କେତେକ କମ୍ପାନି ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କୌଣସି କଟକଣା ରଖାଯାଇ ନଥିବାରୁ ଜନସମାଗମ ହୋଇଛି।

ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶ୍ୱକର୍ମା ପୂଜା

ଧଉଳି : ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ଚାରୁକଳା ମହାବିଦ୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ରାସାୟନିକ ରଙ୍ଗ, ଜରିମାଳ, ପ୍ଲାଷ୍ଟିକ ତଥା ସିନ୍ଥେଟିକ୍‌ ପଦାର୍ଥକୁ ବାଦଦେଇ ଜୈବିକ ସାମଗ୍ରୀରେ ନିର୍ମାଣ କରିଛନ୍ତ ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତି। ୭ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ପ୍ରତିମୂର୍ତ୍ତି ନିର୍ମାଣରେ ମସିଣା କାଠି, ଶାଳପତ୍ର, ଘାସ ଓ ଝୋଟ ସୂତୁଲି ଭଳି ସାମଗ୍ରୀ ବ୍ୟବାହାର ହୋଇଛି। କଲେଜ ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ତତ୍ତ୍ୱାବଧାନରେ ସାରଥୀ ପଲାଇ, ରାଜାରାମ ସ୍ୱାଇଁ, ମନୋଜିତ ତ୍ରିପାଠୀ, ପ୍ରଶାନ୍ତ ମାଝୀ, ସ୍ମୃତିରଞ୍ଜନ ରୟ, ଅଶ୍ୱନୀ ସାହୁ, ଶିବରାମ ସାହୁ, ନିରଞ୍ଜନ ନାୟକ, ସୌମ୍ୟରଂଜନ ସାମନ୍ତ ଓ ରାଜେଶ୍ୱର ମହାପାତ୍ରଙ୍କ ସମେତ ଅନ୍ୟ ଛାତ୍ରମାନଙ୍କୁ ମୂର୍ତ୍ତି ନିର୍ମାଣ କରିବା ପାଇଁ ୧୮ ଦିନ ସମୟ ଲାଗିଥିଲା। ପୂଜାମଣ୍ଡପର ଉଭୟ ପାର୍ଶ୍ୱରେ ୯ଫୁଟ ଉଚ୍ଚତାର ଦୁଇଟି ପୂର୍ଣ୍ଣକୁମ୍ଭ ବି ନିର୍ମାଣ ହୋଇଛି। ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ. ହୃଷୀକେଶ ମିଶ୍ର, ସଂପାଦକ ମିହିରକାନ୍ତ ପ୍ରହରାଜ, ସଦସ୍ୟ ରବିଶଙ୍କର ଦାଶ, କମଳିନୀ ରଥ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବିଶ୍ୱକର୍ମା ସମିତି ପକ୍ଷରୁ ବିଶ୍ୱକର୍ମା ପୂଜା

ଭୁବନେଶ୍ୱର : ବିଶ୍ୱକର୍ମା ସମିତି ପକ୍ଷରୁ ବିଶ୍ୱକର୍ମା ପୂଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭୋର ୪ଟା ୩୦ରୁ ପୂଜା ପାଠ ଆରମ୍ଭ ହୋଇ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ପରେ ଓଡ଼ିଆ ସିନେ କଳାକାରଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କୁଳଭାଇମାନଙ୍କ ଅଭାବ ଅସୁବିଧାକୁ ନେଇ ଏକ କୁଳସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା, ବକ୍ତା ଭାବେ ସଦାଶିବ ମହାପାତ୍ର, ଦିଲ୍ଲୀପ ଓଝା ଓ ରବୀନ୍ଦ୍ର କୁମାର ଓଝା ପ୍ରମୁଖ ଉପସ୍ଥିତ ରହି ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଏହାପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର୍‌ ନବକିଶୋର ବେହେରା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଅତିଥିମାନଙ୍କ ଦ୍ୱାରା ବିଶ୍ୱକର୍ମା ସମିତିର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ୭ଜଣଙ୍କୁ ବିଶ୍ୱକର୍ମା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା। ବିଶ୍ୱକର୍ମା ସମିତିର ସଭାପତି ପର୍ଶୁରାମ ମହାରଣା, କାଳନ୍ଦୀ ଚରଣ ମହାରଣା ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର