ଟିକି ହାତରେ ବିରାଟ ଦାନ

କଥା କାହାଣୀ - ମହେନ୍ଦ୍ର କୁମାର ଘଡ଼େଇ

ଚିକୁର ମାଆ ମନଦୁଃଖ କରି କହିଲେ, କି କରୋନା ଆଇଲା!ପିଲାଟିର ଜନ୍ମଦିନ ପାଳି ହେଲାନି।

ତାଲାବନ୍ଦ କରି ଘର ଭିତରେ ରହିବ। ସାମାଜିକ ଦୂରତା ମାନି ମିଳାମିଶା ବନ୍ଦ। ବାହାରେ ବୁଲାବୁଲିକୁ ମନା। ସାବୁନପାଣିରେ ହାତକୁ ବାରମ୍ବାର ଧୋଇ ପରିଷ୍କାର ରଖିବ। କଟକଣାରେ କରୋନା ଛାଡ଼ିଯିବ ଯେତେବେଳେ ଆମେ ଅମାନିଆ ହେବା ଠିକ୍‌ ହେବନି।

ଚିକୁର ଜନ୍ମଦିନ ପାଳନ ପାଇଁ ମାମୁ, ମଉସା, ଦାଦା ଓ ପିଉସାଙ୍କ ପାଖରୁ ଟଙ୍କା ଆସିଥିଲା। ସେ ଟଙ୍କା ସହିତ ବାପା ନିଜ ଭାଗ ଚିକୁ ହାତରେ ଧରାଇ ଦେଲେ। କରୋନା ଛାଡ଼ିଗଲେ ସାଙ୍ଗମାନଙ୍କୁ ଡକାଯାଇ ଭୋଜିଭାତ ହେବ।

ଚିକୁ ସେଦିନ ସକାଳୁ ଉଠି ସଅଳ ନିତ୍ୟକର୍ମ ସାରିଦେଲା। ବାପା, ମାଆଙ୍କୁ ଜୁହାର ହେଲା। ନିଜ କଥା ନ କହି ଦୁନିଆର ମଙ୍ଗଳ ପାଇଁ ଠାକୁରଙ୍କୁ ପ୍ରାର୍ଥନା କଲା।

ତା’ପରେ ମାଆ କରିଥିବା ଖିରି ପିଠାକୁ ପାଖ ବସ୍ତିରେ ବାଣ୍ଟି ଦେଲା। ଆଉ କିଛି ନେଇ ବୁଲୁଥିବା ପଶୁପକ୍ଷୀଙ୍କୁ ଦେଲା।

ଏତିକିବେଳେ ତାଙ୍କ ଘର ଆଗ ଦେଇ ସରକାରୀ ଗାଡ଼ିଟିଏ ଯାଉଥିଲା। ଗାଡ଼ିରେ ବସିଥିବା ବାବୁଙ୍କ ଭିତରୁ ଜଣେ ମାଇକ୍‌ରେ କହୁଥାନ୍ତି;‘‘ କେହି ଡରିଯାଅ ନାହିଁ। ସାହାସ କରି ନିୟମ ମାନି ଚଳ। ଦେଖିବ କରୋନା ଡରି କୁଆଡ଼େ ଛୁ’ ମାରିବ।’’

ଚିକୁ ହାତ ଦେଖାଇ ଗାଡ଼ିଟିକୁ ଅଟକେଇଲା। ଘର ଭିତରକୁ ଦୌଡ଼ିଯାଇ ମୁଣିଟିଏ ଆଣି ଧରାଇଦେଲା। ଗାଡ଼ିର ଆଗ ସିଟ୍‌ରେ ବସିଥିବା ବାବୁଜଣକ ନିଜେ ତହସିଲଦାର ବୋଲି ପରିଚୟ ଦେଇ କହିଲେ; ଇଏ କ’ଣ?

ଚିକୁ ଜୁହାର ହୋଇ କହିଲା, ଆଜି ମୋ ଜନ୍ମଦିନ। ଦୁନିଆର ଏମିତି ଦୁଃଖବେଳେ ଜନ୍ମଦିନ ପାଳିବା ଠିକ୍‌ ହେବନି। ବାପା ଏହି ପଇସାତକ ମତେ ଦେଇ କହିଥିଲେ ଯେ କରୋନା ଛାଡ଼ିଗଲେ ଆମେ ଜନ୍ମଦିନ ପାଳିବା। ସାରା ଦୁନିଆ ଆଖିର ଲୁହ ଦେଖି ମୁଁ କି ଖୁସି ମନେଇବି? ତେଣୁ ଏ ବର୍ଷ ସେ କଥା ମୁଁ ମୋ’ ମନରୁ ପୋଛି ଦେଇଛି।

ଔଷଧଟିକେ କି ଖାଇବାକୁ ମୁଠାଏ ପାଇଁ ବିକଳ ହେଉଥିବା ଲୋକଙ୍କ ପାଖରେ ମୋର ଏଇ ପଇସା ପହଞ୍ଚିଗଲେ ମୁଁ ବେଶି ଖୁସି ହେବି। କରୋନାର ହିରୋ ସାଜିଥିବା ଡାକ୍ତର, ନର୍ସ, ପୋଲିସ୍‌, ଅଗ୍ନିଶମ ବିଭାଗର ଭାଇ, ସ୍ବେଚ୍ଛାସେବୀ, ସାମ୍ବାଦିକମାନଙ୍କୁ ମୋ’ ଜୁହାର ଜଣାଇ ଦେଇ ଏ ମୁଣିକୁ ଆପଣ ଦୟାକରି କରୋନା ସହାୟତା ପାଣ୍ଠିରେ ମିଶାଇ ଦେବେ।

ତହସିଲଦାର ଚିକୁକୁ ଆଶୀର୍ବାଦ ଦେଇ ନିଜ ସହଯୋଗୀଙ୍କୁ କହିଲେ,‘‘ଟିକି ହାତର ଏ ବିରାଟ ଦାନକୁ ଦେଖିଲ ତ! ଏହିଭଳି ଟିକିଟିକି କାମ ଅନେକ ବଡ଼ କାମକୁ ସହଜରେ ଉଠାଇ ନିଏ।’’

କ୍ଷେତ୍ରମୋହନ ବିଦ୍ୟାପୀଠ, କଟରପଡ଼ା, କଟକ

ସମ୍ବନ୍ଧିତ ଖବର