ମଣିଷ ପୂର୍ବରୁ ଶବ ପୋତୁଥିଲା ସମ୍ପର୍କୀୟ ପ୍ରଜାତି!

ଦକ୍ଷିଣ ଆଫ୍ରିକାରେ ଆବିଷ୍କୃତ କିଛି ଜୀବାଶ୍ମରୁ ‘ହୋମୋ ନାଲେଡି’ ନାମକ ବିଲୁପ୍ତ ହୋଇ ଯାଇଥିବା ମଣିଷର ସମ୍ପର୍କୀୟ ପ୍ରଜାତିର କେତେକ ଆଶ୍ଚର୍ଯ୍ୟଜନକ ଚଳଣି ସମ୍ପର୍କରେ ନୂତନ ତଥ୍ୟ ଜାଣିବାକୁ ମିଳିଛି। ସେମାନେ ମଣିଷ ଭଳି ମୃତକମାନଙ୍କୁ କବର ଦେଉଥିଲେ ବୋଲି ଜଣାଯାଇଛି। ତାଙ୍କର ଶବ ପୋତିବାର ପ୍ରଥା ଆଧୁନିକ ମଣିଷଙ୍କ ଠାରୁ ୧ ଲକ୍ଷ ବର୍ଷ ପୁରୁଣା। ଦକ୍ଷିଣ ଆଫ୍ରିକାର ଵିଟଵାଟରସ୍ରାଣ୍ଡ ବିଶ୍ବବିଦ୍ୟାଳୟର ଦଳେ ନୃତତ୍ତ୍ବବିତ୍‌ ଦକ୍ଷିଣ ଆଫ୍ରିକାର ରାଇଜିଂ ଷ୍ଟାର ଗୁମ୍ଫା ପ୍ରଣାଳୀ ଭିତରୁ ଆବିଷ୍କୃତ ୧୫ ପ୍ରକାର ‘ହୋମୋ ନାଲେଡି’ ପ୍ରଜାତିର ୧୫୦୦ ଜୀବାଶ୍ମକୁ ଅନୁଧ୍ୟାନ କରି ଏପରି ନିର୍ଯାସରେ ପହଞ୍ଚିଛନ୍ତି। ଏହି ପ୍ରଜାତି ଦୁଇ ଲକ୍ଷରୁ ତିନି ଲକ୍ଷ ବର୍ଷ ଯାଏ ବସତି ସ୍ଥାପନ କରିଥିବା ଅନୁମାନ କରାଯାଏ। ତେବେ ସେମାନଙ୍କ ଆଚରଣ ଉଭୟ ପୁରାତନ ଓ ଆଧୁନିକ ମନୁଷ୍ୟ ପ୍ରଜାତିର ଏକ ସମ୍ମିଶ୍ରଣ ଥିଲା।

ଆମ ପରି ସେମାନଙ୍କର ହାତଗୋଡ଼ ଥିଲା ଏବଂ ସେମାନେ ସିଧା ହୋଇ ଚାଲୁଥିଲେ। ତେବେ ସେମାନଙ୍କ କାନ୍ଧର ଗଠନ ସେମାନଙ୍କୁ ଚଢ଼ିବା ପାଇଁ ସହାୟକ ହେଉଥିଲା ଏବଂ ପୁରାତନ ବଣମଣିଷ ପରି ସେମାନଙ୍କର ଦାନ୍ତର ଆକୃତି ଥିଲା। ସେମାନଙ୍କ ମସ୍ତିଷ୍କ ଆକାର ଆଧୁନିକ ମନୁଷ୍ୟ ମସ୍ତିଷ୍କର ଏକ-ତୃତୀୟାଂଶ ଥିଲା। ମଣିଷର ଅନ୍ୟ କୌଣସି ସମ୍ପର୍କୀୟ ପ୍ରଜାତିରେ ଶବକୁ କବର ଦେବା ପୂର୍ବରୁ କେବେ ଦେଖାଯାଇନଥିଲା। ଶବ ସତ୍କାର ପରି ସାମାଜିକ ଆଚରଣ ଆମକୁ ଅନ୍ୟ ପ୍ରାଣୀଙ୍କ ଠାରୁ ପୃଥକ୍‌ କରୁଥିବା ବେଳେ ‘ହୋମୋ ନାଲେଡି’ମାନେ ମଧ୍ୟ ମୃତ୍ୟୁର ମହତ୍ତ୍ବ ବୁଝିଥିଲେ। ସେହିପରି ଗୁମ୍ଫା ଭିତରୁ ମିଳିଥିବା ଛବିରୁ ସେମାନେ ତ୍ରିଭୁଜ, ବର୍ଗକ୍ଷେତ୍ର, ଛକି ଓ ସିଡ଼ି ପରି ଜ୍ୟାମିତିକ ଚିତ୍ର ଆଙ୍କୁଥିବା ଜଣାଯାଇଛି ଏବଂ ସେଗୁଡ଼ିକର କ୍ରମାନ୍ବୟ ବ୍ୟବହାର କିଛି ଅର୍ଥକୁ ବୁଝାଉଥିଲା ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର