ସୁଭାଷିତ: ଶରୀରର ବିକାର ଅଛି, କିନ୍ତୁ ଆତ୍ମା ନିର୍ବିକାର

ଜନ୍ମାଦ୍ୟାଃ ଷଡ଼ିମେ ଭାବା ଦୃଷ୍ଟ୍ୱା ଦେହସ୍ୟ ନାତ୍ମନଃ।
ଫଳାନାମିବ ବୃକ୍ଷସ୍ୟ କାଳେନେଶ୍ୱର ମୂର୍ତ୍ତିନା।
-ଶ୍ରୀମଦ୍ଭାଗବତ, ୭-୭-୧୮
ବ୍ୟାସଦେବକୃତ ‘ଶ୍ରୀମଦ୍ଭାଗବତ’ରେ ଦୁର୍ଲଭ ମନୁଷ୍ୟ ଶରୀର ପ୍ରସଙ୍ଗରେ ଅନେକ ମୂଲ୍ୟବାନ କଥା କୁହାଯାଇଛି। ଏହି ଶରୀର ଅନିତ୍ୟ। ଏହାର ବିକାର ଅଛି। କିନ୍ତୁ ଏହି ଶରୀର ମଧ୍ୟରେ ଯେଉଁ ଆତ୍ମା ବିରାଜମାନ ସେ ନିତ୍ୟ, ତାହାର ବିକାର ନାହିଁ। ଏଣୁ ଏହି ଅସ୍ଥିର ଓ ନଶ୍ୱର ଶରୀର ଦ୍ୱାରା ଅବିନାଶୀ ଫଳ ପାଇବା ପାଇଁ କର୍ମ କରିବା ନିମନ୍ତେ ସେଥିରେ କୁହାଯାଇଛି।
ଏହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତ। ଏଥିରେ ଯାହା କୁହାଯାଇଛି, ତାହା ହେଉଛି- କାଳରୂପୀ ଈଶ୍ୱରଙ୍କର ପ୍ରେରଣାରେ ବୃକ୍ଷରେ ଯେପରି ଫଳ ଧରେ, ରହେ, ବଢ଼େ, ପାଚେ, ଶୁଖେ ଏବଂ ନଷ୍ଟ ହୋଇଯାଏ, ସେହିପରି ଏହି ଶରୀରର ଛଅଟି ବିକାର ଅଛି। ଏହି ଛଅ ବିକାର ହେଉଛି- ଜନ୍ମ, ପୌଗଣ୍ଡ, କୈଶୋର, ତାରୁଣ୍ୟ, ଜରା ଓ ମୃତ୍ୟୁ। କିନ୍ତୁ ଏହି ଶରୀର ମଧ୍ୟରେ ଅବସ୍ଥାନ କରୁଥିବା ଆତ୍ମା ସହିତ ଏହିସବୁ ବିକାରର କୌଣସି ସମ୍ବନ୍ଧ ନାହିଁ। ଏହି ଆତ୍ମା ନିର୍ବିକାର।
ଜଗନ୍ନାଥ ଦାସ, ନବାକ୍ଷରୀ ଓଡ଼ିଆ ଭାଗବତରେ ଏ ସଂପର୍କରେ କହିଛନ୍ତି-
ସ୍ୱଭାବେ ମନୁଷ୍ୟ ଶରୀରେ। ଜନ୍ମଇ ଏ ଷଡ଼ ବିକାରେ।ା
ଆତ୍ମାର ନୁହଇ ସ୍ୱଭାବ। ଶୁଣ କହିବା ଜ୍ଞାନ ଭାବ।ା
ବୃକ୍ଷର ଫଳ ଯେହ୍ନେ କାଳେ। ପାଚି ପଡ଼ଇ ମହୀତଳେ।ା
ଷଡ଼ ବିକାରେ ନାଶ ଯାଇ। ଶରୀର ସ୍ୱଭାବଟି ଏହି।ା
ଗର୍ଭୁ ଶରୀର ଜନ୍ମ ହୋଇ। ବାଳକ ରୂପେଣ ବଢ଼ଇ।ା
ପୌଗଣ୍ଡ କିଶୋର ତରୁଣ। ଜରାନ୍ତେ ଲଭଇ ମରଣ।ା
ଏ ଷଡ଼ ବିକାରେ ଶରୀର। ଆତ୍ମା ସ୍ୱଭାବେ ନିର୍ବିକାର।ା
ଏଣୁ ଏହି ବିକାରପୂର୍ଣ୍ଣ ଶରୀରରେ ବିରାଜମାନ କରୁଥିବା ଆତ୍ମା ସତତ ଆମର ଧ୍ୟେୟ ବୋଲି ଏଥିରେ ସୂଚିତ ହୋଇଛି।

ସମ୍ବନ୍ଧିତ ଖବର