କଳିଙ୍ଗ କୁରମା, ପ୍ରଶଂସକଙ୍କ ଗାଲରେ ପାକିସ୍ତାନୀ ପତାକା

ଭୁବନେଶ୍ବର: ବୁଧବାରର ମାଲେସିଆ-ପାକିସ୍ତାନ ମ୍ୟାଚ୍ ବେଳେ କଳିଙ୍ଗ ହକି କଂପ୍ଲେକ୍ସ ପ୍ରଶଂସକମାନେ ବିଭାଜିତ ଥିଲେ। ଉଭୟ ଦଳକୁ ସମର୍ଥନ କରୁଥିଲେ। ଏହି ଅବସରରେ କିନ୍ତୁ ଦର୍ଶକ ଗ୍ୟାଲେରିରେ ସାଧା ପୋଷାକରେ ବସିଥିବା କିଛି ପୁଲିସ୍ କର୍ମଚାରୀ ପାକିସ୍ତାନ ପତାକା ଧରି ବସିବା ଏବଂ ଲହରାଇବା ସେମାନଙ୍କ ମହାନତାକୁ ପ୍ରଦର୍ଶିତ କରିଥିଲା। ସୂଚନାଯୋଗ୍ୟ, ୨ ଦିନ ତଳେ କଳିଙ୍ଗ ଷ୍ଟାଡିୟମ୍‌ ପ୍ରଶଂସକ ଗାଁରେ ପାକିସ୍ତାନ ଦଳକୁ ଓଡ଼ିଶା ପୁଲିସ୍ ପକ୍ଷରୁ ଭବ୍ୟ ସ୍ବାଗତ ସମର୍ଧନା ଦିଆଯାଇଥିଲା।

ମ୍ୟାଚ୍ ଦେଖିଲେ ସ୍ବତନ୍ତ୍ର ଅଲିମ୍ପିକ୍ ପ୍ରତିଭା
ବୁଧବାରର ଉଭୟ ମ୍ୟାଚ୍‌କୁ ମନଭରି ଉପଭୋଗ କରିଥିଲେ ସ୍ବତନ୍ତ୍ର ଅଲିମ୍ପିକ୍ସ ପ୍ରତିଭା। ରାଜଧାନୀର ପୁରାତନ ନିଆରା ଅନୁଷ୍ଠାନ ‘ଓପନ୍ ଲର୍ଣ୍ଣିଂ ସ୍କୁଲ’ର ୪୦ ଜଣ ପିଲା ପାଇଥିଲେ ଏହି ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଖଣି ନିଗମ ସୌଜନ୍ୟରୁ ସେମାନଙ୍କୁ ବିଶ୍ବକପ୍ ମ୍ୟାଚ୍ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହାୟ କେନ୍ଦ୍ର ଭାବେ ପରିଚିତ ଏହି କ୍ରୀଡ଼ା ଓ ଶିକ୍ଷାନୁଷ୍ଠାନ ଏକାଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବାର ଉଦାହରଣ ମଧ୍ୟ ରଖିଛି।

ସମ୍ବନ୍ଧିତ ଖବର