ମାସ୍କରେନହାସ୍ ଓଡ଼ିଶା ହକି ଦଳର ପ୍ରଶିକ୍ଷକ ନିଯୁକ୍ତ

ଭୁବନେଶ୍ବର: ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ଖେଳାଳି ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଲେବୁଲ-୨ ପ୍ରଶିକ୍ଷକ ଏଡଗାର ମାସ୍କରେନହାସ ଓଡ଼ିଶା ହକି ଦଳ (ଉଭୟ ବରିଷ୍ଠ ମହିଳା ଓ ପୁରୁଷ)ର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ମାସ୍କରେନହାସଙ୍କର ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମହାରାଷ୍ଟ୍ର, ଏୟାର ଇଣ୍ଡିଆ ଏବଂ ଭାରତୀୟ ଦଳରୁ ଖେଳିବାର ଅଭିଜ୍ଞତା ରହିଛି। ୧୯୯୫ ମସିହାରେ ସାଫ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ସେ। ସେହିଭଳି ୧୯୯୬ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଜାତୀୟ ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ସହ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପ୍ ହକି ଭଳି ସମ୍ମାନଜନକ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ। ହକିରୁ ଅବସର ନେବା ପରେ ପ୍ରଶିକ୍ଷଣକୁ ପେସା କରିଥିବା ମାସ୍କରେନହାସ ୨୦୧୯ ମସିହାରେ ସଫଳତାର ସହ ଏଫଆଇଏଚ୍ ଲେବୁଲ-୨ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିଥିଲେ। ୨୦୧୭, ୨୦୧୯ ଏବଂ ୨୦୨୧ରେ ତାଙ୍କ ପ୍ରଶିକ୍ଷଣରେ ମହାରାଷ୍ଟ୍ର ହକି ଦଳ ଦୁଇଥର ଜାତୀୟ ହକିର କ୍ବାର୍ଟର ଫାଇନାଲ୍ ଖେଳିବା ସହ ଥରେ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା।

୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ମାସ୍କରେନହାସ ହକି ଇଣ୍ଡିଆ ଲିଗ୍‌ର ଦବଙ୍ଗ ମୁମ୍ବାଇ ଦଳର ଗୋଲ୍‌ରକ୍ଷଣ ପ୍ରଶିକ୍ଷକ ଥିଲେ। ‘‘ଓଡ଼ିଶା କ୍ରୀଡ଼ା ଦୃଶ୍ୟପଟ୍ଟରେ ହକିର ସ୍ବତନ୍ତ୍ର ସ୍ଥାନ ରହିଛି। ରାଜ୍ୟ କ୍ରୀଡ଼ା ଏବଂ ଯୁବସେବା ବିଭାଗ ମାସ୍କରେନହାସଙ୍କୁ ନୂଆ ଭୂମିକାକୁ ସ୍ବାଗତ କରୁଛି। ତାଙ୍କ ଅଭିଜ୍ଞତା ଏବଂ କ୍ରୀଡ଼ା କୌଶଳ ଓଡ଼ିଶା ହକିକୁ ନୂଆ ସ୍ତରକୁ ନେବ।’’ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଓଡ଼ିଶାକୁ ଜାତୀୟ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପହଞ୍ଚାଇବା ମୋର ପ୍ରଥମ ଲକ୍ଷ୍ୟ ହେବ। ଫିଟନେସ୍ ଏବଂ ଶାରୀରିକ ଦକ୍ଷତା ଉପରେ ମୋର ସ୍ବତନ୍ତ୍ର ନଜର ରହିବା’’ ବୋଲି କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ଅବସରରେ ମାସ୍କରେନହାସ କହିଛନ୍ତି।

ସମ୍ବନ୍ଧିତ ଖବର