ବିଶ୍ୱ ବ୍ୟାଡମିଣ୍ଟନ: ଇତିହାସ ରଚିଲେ ପ୍ରଣୀତ

ସେମିରେ ସିନ୍ଧୁ, ପଞ୍ଚମ ପଦକ ପକ୍କା

ବାସେଲ: ଭାରତୀୟ ତାରକା ସାଇ ପ୍ରଣୀତ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଇତିହାସ ରଚିଛନ୍ତି। ବିଶ୍ୱ ମାନ୍ୟତାର ୧୯ ପ୍ରଣୀତ ପୁରୁଷ ଏକକ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ପରେ ପଦକ ସୁନିଶ୍ଚିତ କରିନେଇଛନ୍ତି। ଫଳରେ ଦୀର୍ଘ ୩୬ ବର୍ଷ ପରେ ପ୍ରଥମ ଭାରତୀୟ ପୁରୁଷ ଏକକ ଖେଳାଳି ଭାବେ ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ପଦକ ହାସଲ କରିଛନ୍ତି।

ଶେଷ ଥର ପାଇଁ କୌଣସି ଭାରତୀୟ ଭାବେ ୧୯୮୩ ମସିହାରେ ପ୍ରକାଶ ପାଦୁକୋନେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପଦକ (କାଂସ୍ୟ) ଜିତିବାର ଗୌରବ ବହନ କରିଥିଲେ। ଆଉ ଏବେ ପ୍ରଣୀତ ସେହି ସୌଭାଗ୍ୟ ହାସଲ କରିଛନ୍ତି। ପ୍ରଣୀତ ଶୁକ୍ରବାର ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ଚତୁର୍ଥ ଇଣ୍ଡୋନେସିଆର ଜୋନାଥନ୍‌ କ୍ରିଷ୍ଟିଙ୍କୁ ୨୪-୨୨ ଓ ୨୧-୧୪ ସିଧାସଳଖ ଗେମ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଏଥି ସହିତ ସେ ପଦକ ପକ୍କା କରିଛନ୍ତି।

ସପ୍ତାହକ ତଳେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଣୀତ ବିଶ୍ୱ ଚାମ୍ପିଅନ୍‌ସିପ୍‌ ପଦକ ହାସଲ କରି ଏହାକୁ ସ୍ମରଣୀୟ କରିଛନ୍ତି। ସେମିଫାଇନାଲରେ ୨୭ ବର୍ଷ ବୟସ୍କ ପ୍ରଣୀତଙ୍କ ମୁକାବିଲା ବିଶ୍ୱର ଶୀର୍ଷ ମାନ୍ୟତା ଜାପାନା ତାରକା କେଣ୍ଟୋ ମୋମୋଟାଙ୍କ ସହ ହେବ।

ଅନ୍ୟପକ୍ଷରେ ଭାରତୀୟ ମହିଳା ପିଭି ସିନ୍ଧୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରି ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ଗୁରୁବାର ମହିଳା ଏକକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଆମେରିକାର ବେଇୱେନ୍‌ ଝାଙ୍ଗ୍‌ଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିବା ପଞ୍ଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ଶୁକ୍ରବାର କ୍ୱାର୍ଟର ଫାଇନାଲ୍‌ରେ ୭୧ ମିନିଟ୍‌ ଧରି ଲିବା ପରେ ଦ୍ଵିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କୁ ୧୨-୨୧, ୨୩-୨୧ ଓ ୨୧-୧୯ରେ ପରାସ୍ତ କରିଦେଇଛନ୍ତି।

Zee News

ପୂର୍ବତନ ବିଶ୍ୱ ମାନ୍ୟତାର ଶୀର୍ଷ ଖେଳାଳି ୟିଙ୍ଗ୍‌ ପ୍ରଥମ ଗେମ୍‌କୁ ସହଜରେ ଜିତି ସିନ୍ଧୁଙ୍କ ଉପରେ ଚାପ ପକାଇଥିଲେ। ହେଲେ ଦୁଇ ଥର ବିଶ୍ୱ ଚାମ୍ପିଅନ୍‌ସିପ୍‌ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ଦୁଇ ଗେମ୍‌କୁ କବଜା କରିନେଇଥିଲେ। ଏଥି ସହିତ ସିନ୍ଧୁ ବିଶ୍ୱ ଚାମ୍ପିଅନ୍‌ସିପରେ ନିଜର ପଞ୍ଚମ ତଥା କ୍ରମାଗତ ତୃତୀୟ ପଦକ ପକ୍କା କରିଛନ୍ତି। ଏହା ପୂର୍ବରୁ ବିଶ୍ୱ ଚାମ୍ପିଅନ୍‌ସିପରେ ସିନ୍ଧୁ ୨୦୧୩ ଓ ୨୦୧୪ରେ କାଂସ୍ୟ ଜିତିଥିଲା ବେଳେ ୨୦୧୭ ଓ ୨୦୧୮ରେ ରୌପ୍ୟ ପଦକ କରାୟତ କରିଥିଲେ।

ସମ୍ବନ୍ଧିତ ଖବର