୨ ଜଣଙ୍କ ଜୀବନ ନେଲା ହାତୀ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନର ଗଡ଼ପୋଷ ଅଞ୍ଚଳରେ ହାତୀ ୨ ଜଣଙ୍କୁ ମାରି ଦେଇଥିବାବେଳେ ଏହାର ତିନିଦିନ ପରେ ପୁଣି ରେଢ଼ାଖୋଲ ମୋତିବାହାଲ ରେଞ୍ଜର ମାକରକେନ୍ଦା ଗାଁରେ ଜଣେ ମହିଳାଙ୍କ ସମେତ ୨ ଗ୍ରାମବାସୀ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ସେବତୀ ଭୋଇ (୭୦) ଓ ଶମ୍ଭୁ ଭୋଇ (୬୦)। ହାତୀ ଉପଦ୍ରବକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଆତଂକ ଖେଳି ଯାଇଛି।

ପ୍ରକାଶ ଯେ, ଜଙ୍ଗଲ ମଧ୍ୟରେ ହରିଥିବା ମାକରକେନ୍ଦା ଗାଁରେ ସେବତୀ ଓ ଶମ୍ଭୁଙ୍କ ପରିବାରର କେବଳ ଦୁଇଟି ଘର ରହିଛି। ପ୍ରବଳ ଗରମ ଯୋଗୁଁ ଶୁକ୍ରବାର ଉଭୟ ପରିବାର ଲୋକେ ରାତିରେ ଖାଇପିଇ ସାରି ପରେ ପ୍ରବଳ ଗରମ ହେଉଥିବାରୁ ଶମ୍ଭୁଙ୍କ ପରିବାର ସହ ସେବତୀ ତାଙ୍କ ବାରଣ୍ଡାରେ ଶୋଇଥିଲେ। ରାତି ପ୍ରାୟ ୩ର ୪ଟା ମଧ୍ୟରେ ଏକ ଦନ୍ତା ହାତୀ ଶମ୍ଭୁଙ୍କ ଘରେ ପଶି ଧାନ ଚାଉଳ ଖାଇବା ସହ ଭଙ୍ଗାରୁଜା କରିଥିଲା। ପରେ ବାରଣ୍ଡାରେ ଶୋଇଥିବା ସେବତୀଙ୍କୁ ଟେକି ନେଇ ଏକ ଜମି ହିଡ଼ ତଳେ କଚାଡ଼ି ମାରି ଦେଇଥିଲା। ଏତିକିରେ ହାତୀଟି ଶାନ୍ତ ହୋଇନଥିଲା। ପୁଣି ସେଠାକୁ ଫେରି ଘର ଦୁଆରୁ ଶମ୍ଭୁଙ୍କୁ ମଧ୍ୟ ଟେକି ନେଇ ନିକଟସ୍ଥ ଅନ୍ୟ ଏକ ଜମିରେ ପକାଇ ଦଳି ଚକଟି ମାରି ଦେଇଥିଲା। ଦଳା ଚକଟରେ ଶମ୍ଭୁଙ୍କ ମୁଣ୍ଡ, ଗଣ୍ଡି ସବୁ ଅଲଗା ହୋଇ ଯାଇଥିଲା। ଏ ଦୃଶ୍ୟ ଦେଖି ଭୟଭୀତ ଶମ୍ଭୁଙ୍କ ପତ୍ନୀ ପ୍ରାଣ ବିକଳରେ ଦୁଇ ନାତି ନାତୁଣୀଙ୍କୁ ଧରି ଦୌଡ଼ି ଦୌଡ଼ି ମୋଚିବାହାଲରେ ପହଞ୍ଚିଥିଲେ। ଅନ୍ୟପଟେ ଗତ ରାତିରେ ଶମ୍ଭୁଙ୍କ ଘରେ ଆଶ୍ରୟ ନେଇଥିବା ଅନ୍ୟ ଜଣେ ବାଇକ୍‌ ଆରୋହୀ ମଧ୍ୟ ନିକଟସ୍ଥ ଏକ ଆମ୍ବ ଗଛକୁ ଚଢ଼ି ଯାଇ ନିଜକୁ ରକ୍ଷା କରିଥିଲେ। ଘଟଣା ସଂପର୍କରେ ଖବର ପାଇ ଏସିଏଫ୍‌ ମାୟାଧର ମହାପାତ୍ର, ରେଞ୍ଜ ଅଧିକାରୀ ରମେଶ କର୍ଣ୍ଣ, ରେଢ଼ାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, ଚାରମାଲ ଥାନା ଅଧିକାରୀ ବସନ୍ତ ଦଳେଇ, ମୋଚିବାହାଲ ସରପଞ୍ଚ ସୁଶାନ୍ତ ପ୍ରଧାନ, ବିଜେଡି ବ୍ଲକ୍‌ ସଭାପତି ଉଦିତ ତ୍ରିପାଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶବ ଦୁଇଟିକୁ ଜବତ କରି ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଧାନ ଖାଇବାକୁ ଆସି ମାଈ ହାତୀର ମୃତ୍ୟୁ

ବେତନଟୀ/ରାସଗୋବିନ୍ଦପୁର/ମାଣିଦା : ଶିମିଳିପାଳରୁ ଖରାଟିଆ ଧାନ ଖାଇବାକୁ ଆସି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରର ବଇଁଚା ଠାରେ ଗୋଟିଏ ୬ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଛି। ହାତୀଟି ମୃତ୍ୟୁ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ଦଳି ଚକଟି ଦେଇଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ଥିଲେ ମଧ୍ୟ ବନ ବିଭାଗ ତିନୋଟି ଦୃଷ୍ଟିକୋଣରୁ ତଦନ୍ତ ଆରମ୍ଭ କରିଛି ବୋଲି ବାରିପଦା ଡିଏଫଓ ସ୍ୱୟମ୍‌ ମଲ୍ଲିକ ମତ ଦେଇଛନ୍ତି । ବିଦ୍ୟୁତ ଆଘାତ, ବିଷକ୍ରିୟା କିମ୍ବା ଶିକାରୀର କୌଶଳ ପ୍ରୟୋଗ ଦିଗକୁ ପ୍ରଥମେ ତଦନ୍ତ ପରିସରକୁ ଅଣାଯାଇଛି ।

ସମ୍ବନ୍ଧିତ ଖବର