ଘରୋଇ ସଂସ୍ଥାରେ ବି ଦିବ୍ୟାଙ୍ଗଙ୍କୁ ୫% ଚାକିରି ସଂରକ୍ଷଣ

ରାଉରକେଲା : ସରକାରୀ ଚାକିରି ଭଳି ଘରୋଇ ଶିଳ୍ପ ସଂସ୍ଥାରେ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ପ୍ରାର୍ଥୀଙ୍କ ପାଇଁ ୫% ନିଯୁକ୍ତି ସଂରକ୍ଷଣ କାର୍ଯ୍ୟକାରୀ ହେବ। କର୍ମଶାଳା ଓ ଆଲୋଚନାଚକ୍ର ଜରିଆରେ ଏହାକୁ ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶିଳ୍ପ ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହାଛଡ଼ା ସେମାନଙ୍କ ଆତ୍ମନିଯୁକ୍ତି ଓ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ତ୍ୱରାନ୍ଵିତ ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ସହାୟତା ଦେବାକୁ ସରକାର ଅନୁରୋଧ କରିବେ। ସୁପ୍ରିମ୍‌ କୋର୍ଟଙ୍କ ତଦାରଖରେ ରୂପାୟନ ହେଉଥିବା ‘ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬’ର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଏଭଳି ପର୍ଯ୍ୟାୟବ୍ୟାପୀ ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ଭୂମିହୀନମାନଙ୍କୁ ସରକାର ଆବଣ୍ଟନ କରୁଥିବା ଘରଡିହ ଓ ଚାଷ ଜମିର ୫% ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ହେବ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ମଧ୍ୟ ସେମାନଙ୍କ ପାଇଁ ଅନୁରୂପ ସଂରକ୍ଷଣ ଲାଗୁ ହେବ। ଏପରିକି ଗୃହନିର୍ମାଣ, ବ୍ୟବସାୟ ଓ ପ୍ରମୋଦ କେନ୍ଦ୍ର ପାଇଁ ରିହାତି ଦରରେ ଆବଣ୍ଟନ କରାଯାଉଥିବା ଜମି କ୍ଷେତ୍ରରେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ୫% ସଂରକ୍ଷଣ ରହିବ। ‘ସୁଗମ୍ୟ ଭାରତ’ ଯୋଜନାରେ ସରକାରୀ କୋଠାକୁ ଦିବ୍ୟାଙ୍ଗଙ୍କ ସହଜ ପହଞ୍ଚ ପାଇଁ ରାଜଧାନୀରେ ଥିବା ଦପ୍ତରଗୁଡ଼ିକରେ ଆନୁସଙ୍ଗୀକ ନିର୍ମାଣ (ରେଟ୍ରୋ ଫିଟିଂସ୍‌) ଚାଲିଛି। ପରବର୍ତ୍ତୀ ପର୍ଯ୍ୟାୟରେ ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ବାରିପଦା ଓ ଜୟପୁର ସହରରେ ଥିବା ସରକାରୀ ଦପ୍ତରଗୁଡ଼ିକୁ ଏହି ବ୍ୟବସ୍ଥା ସମ୍ପ୍ରସାରଣ କରାଯିବ। ଭିନ୍ନକ୍ଷମମାନଙ୍କ ସହଜ ଯାତ୍ରା ପାଇଁ ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରରେ ଆବଶ୍ୟକ ସହଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ଭିନ୍ନକ୍ଷମ ଶିଶୁ ତଥା ଛାତ୍ରଛାତ୍ରୀଙ୍କ ସବୁ ସ୍କୁଲରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯିବ। ଏଥି ସହ ଉଚ୍ଚ ଶିକ୍ଷାନୁଷ୍ଠାନରେ ସେମାନଙ୍କ ନାମଲେଖା ପାଇଁ ୫% ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ସହଜ ଶିକ୍ଷା ଦାନ ନିମନ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷକ/ଅଧ୍ୟାପକମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ। ଆଇନର ସଠିକ ରୂପାୟନ ସାଙ୍ଗକୁ ଭିନ୍ନକ୍ଷମଙ୍କୁ ସମସ୍ତ ବୈଧାନିକ ସୁବିଧା-ସୁଯୋଗ ନିଶ୍ଚିତ କରିବାକୁ ଜିଲ୍ଲା ସ୍ତରୀୟ କମିଟି ଗଠନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ କେତେ ଅଗ୍ରଗତି ଘଟିଛି, ସେ ସମ୍ପର୍କରେ ପ୍ରତ୍ୟେକ ବିଭାଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ପ୍ରତି ମାସ ରିପୋର୍ଟ ଦେବେ।

ସମ୍ବନ୍ଧିତ ଖବର