ଗଞ୍ଜାମ, ଗଜପତିରେ ପୃଥକ୍ ଦୁର୍ଘଟଣା: ଜଣେ ମୃତ, ୭୦ ଆହତ

୨ ଘାଟିରେ ବରଯାତ୍ରୀ, କନ୍ୟାଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ରବିବାର ଗୋଟିଏ ଦିନରେ ପୃଥକ୍ ସଡ଼କ ଦୁର୍ଘଟଣାରେ ମୋଟ ୭୦ ଜଣ ଆହତ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି। ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା ଘାଟିରେ ଆଜି ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନେ ହେଲେ ପ୍ରଦୀପ କୁମାର (୩୧), ହରପ୍ରିୟା ଡାକୁଆ (୧୮), ଶଙ୍କର ଡାକୁଆ(୫୦), ସଂଜୀବ ରାଓ ଡାକୁଆ (୪୧) ଓ କୁନା ମାଝି (୪୦)।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ଚାନ୍ଦୁଲି ଗ୍ରାମରୁ ପାରଳାଖେମୁଣ୍ଡି ଅଭିମୁଖେ ଏହି ବସ୍‌ଟି ୫୦ ଜଣ କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିଲା। ମାର୍ଲବା ଘାଟିରେ ଭାରସାମ୍ୟ ହରାଇବା ସତ୍ତ୍ବେ ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପାହାଡ଼ ଉପରକୁ ଚଢ଼ି ବସ୍‌ଟି ଗୋଟିଏ କଡ଼କୁ ପିଟି ହୋଇଯାଇଥିଲା। ଫଳରେ ସମସ୍ତ ଯାତ୍ରୀ ସାମାନ୍ୟ ଖଣ୍ଡିଆଖାବରା ହୋଇଥିଲେ ହେଁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରାୟଗଡ଼ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ୧୨ ଜଣ ମହିଳାଙ୍କ ସମେତ ୩୫ ଜଣ ଆହତ ହୋଇଛନ୍ତି। ଗୁରୁତର ପାଞ୍ଚ ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡା.ଧନଞ୍ଜୟ ମାରାଣ୍ଡି ପ୍ରକାଶ କରିଛନ୍ତି।

ସେହିପରି ପାଟପୁର ଥାନା ଅଧୀନ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଆଜି ଅପରାହ୍‌ଣରେ ଏକ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁସାରେ, ଦିଗପହଣ୍ଡି ଥାନା ମେଘଝୋଳି ଗ୍ରାମ ନିକଟ ପେଣ୍ଠା ଗ୍ରାମରୁ ଗୁପ୍ତେଶ୍ୱର ନାମକ ଏକ ଘରୋଇ ବସ୍‌ରେ ୪୦ରୁ ଅଧିକ ବରଯାତ୍ରୀ ଗଜପତି ଜିଲ୍ଲା ଚାନ୍ଦିପୁଟ ଯାଇଥିଲେ। ଭୋଜି ଖାଇ ଫେରୁଥିବା ସମୟରେ ତପ୍ତପାଣି ଘାଟି ନିକଟରେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯିବାରୁ ତାହା ରାସ୍ତାକଡ଼ ପଥରରେ ପିଟି ହୋଇଯାଇଥିଲା। ଫଳରେ ୨୧ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସାନଖେମୁଣ୍ଡି ଅଗ୍ନିଶମବାହିନୀ ଓ ପାଟପୁର ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା। ସେମାନେ ହେଲେ ପାଟପୁର ଥାନା ବାରମୁଣ୍ଡୁଳି ଗ୍ରାମର ମମତା ପଣ୍ଡା, ପ୍ରଭାସିନୀ ବିଷୋୟୀ, ରାମହରି ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ଚିନ୍ମୟ ମହାନ୍ତି, ଲକ୍ଷ୍ମଣ ଦୀକ୍ଷିତ, ନିତ୍ୟାନନ୍ଦ ଦୀକ୍ଷିତ, ସନ୍ତୋଷ ରଥ, ଏସ.ଟିକରପଡ଼ା ଗ୍ରାମର କୁମାରୀ ପାତ୍ର, ବନିତା ପାତ୍ର ଏବଂ ପେଣ୍ଠା ଗ୍ରାମର ସୁରେଶ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ସୀମାଞ୍ଚଳ ପଣ୍ଡା, ଲଣ୍ଡା ଗୌଡ଼, ମହେଶ ବିଶ୍ୱାସରାୟ, ଲକ୍ଷ୍ମୀକାନ୍ତ ବିଶ୍ୱାସରାୟ, କିଶୋର ସାହୁ ଓ ଅନ୍ୟମାନେ। ଦିଗପହଣ୍ଡିରେ ପ୍ରାଥମିକ ଚିକିତ୍ସା ପରେ ୮ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆସିକା ଏସଡିପିଓ ସଞ୍ଜୟ ମହାପାତ୍ର ଓ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେହିପରି ପାଟପୁର ଥାନା ଅଧିନ ଖଲିଙ୍ଗି-ନିସ୍ତିପୁର ରାସ୍ତାର ମୁହାଣ ନିକଟରେ ଏକ ଅଟୋ ମୋପେଡ୍‌କୁ ଧକ୍କା ଦେବାରୁ ୪ ଜଣ ଆହତ ହୋଇଛନ୍ତି।
ସେମାନଙ୍କୁ ଆଡ଼ପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଭଞ୍ଜନଗର ଥାନା ଅଧୀନ ବାହାଡ଼ାପଦର ଗ୍ରାମ ନିକଟରେ ଆଜି ସକାଳେ ଏକ ପିକ୍‌ଅପ ଭ୍ୟାନ୍‌ ଓଲଟି ୨ ଜଣ ନାବାଳକଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ବଡ଼ପଥରା ଗ୍ରାମର କିଛି ‌ଲୋକ ଏକ ଭୋଜିରେ ଯୋଗ ଦେବା ପାଇଁ ଭଞ୍ଜନଗର ଆସୁଥିବା ବେଳେ ଭ୍ୟାନ୍‌ଟି ବାହାଡ଼ାପଦର ପୂର୍ବରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏ‌ଥିରେ ଗ୍ରାମର ରଘୁନାଥ ବିଶୋୟୀ(୭୦), ରାମନାଥ ବିଶୋୟୀ (୫୪), ସୁରେନ୍ଦ୍ର ବିଶୋୟୀ(୨୧), ରାଜା ସ୍ବାଇଁ(୪୫), ହରିହର ସ୍ବାଇଁ(୩୭), ତପନ କୁମାର ଗୌଡ଼(୧୮) ଓ ରାଜକୁମାର ବିଶୋୟୀଙ୍କ ସମେତ ଦୁଇ ଜଣ ନାବାଳକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ‌ବେଳେ ପ୍ରାଥମିକ ଚିକିତ୍ସା ପରେ ରଘୁନାଥ ଏବଂ ରାମନାଥଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ବୁଗୁଡ଼ା ଥାନା ଅଧୀନ ଡାକରାବାଡ଼ି ଗ୍ରାମ ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଜଣେ ବାଇକ୍‌ ଚାଳକ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକଜଣକ ହେଲେ ବୁଗୁଡ଼ା ଥାନା ଗୋଲାମୁଣ୍ଡୁଳା ଗ୍ରାମର ଭୀମସେନ ସ୍ବାଇଁ(୪୨) ଏବଂ ଆହତଜଣକ ଡାକରାବାଡ଼ି ଗ୍ରାମର ଫକୀର ବିଷୋୟୀ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଚାରିଟାରେ ଭୀମସେନ ଏବଂ ତାଙ୍କ ସଡ଼ୁ ଫକୀର ଡାକରାବାଡ଼ିରୁ ଗୋଲାମୁଣ୍ଡୁଳାକୁ ଆସୁଥିଲେ। ଏହି ସମୟରେ ବେଳେ ଚକ ସ୍ଲିପ୍ ହୋଇଯିବାରୁ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଭୀମସେନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଫକୀର ମଧ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଭୀମସେନଙ୍କୁ ମୃତ ଘୋଷଣା କରିଥିଲେ। ଭୀମସେନ କଟକରେ ଫାଷ୍ଟ୍‌ଫୁଡ୍‌ ବ୍ୟବସାୟ କରୁଥିଲେ ଏବଂ ଶାଳକଙ୍କ ବାହାଘର ଥିବାରୁ ୨ ଦିନ ତଳେ ଗାଁକୁ ଆସିଥିଲେ। ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର