ଧର୍ମ ପରିବର୍ତ୍ତନକୁ କେନ୍ଦ୍ରକରି ଉତ୍ତେଜନା

ଚମ୍ପୁଆ : ଚମ୍ପୁଆ ଥାନା ଅଧୀନସ୍ଥ ଅମଲାନି ଗୋଡ଼ା ଗ୍ରାମର ହୁଡ଼ି ସାହିରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ହସ୍ତକ୍ଷେପ ଫଳରେ ଏହାର ଶାନ୍ତିପୂର୍ଣ୍ଣ ଆପୋସ ସମାଧାନ କରାଯାଇଛି।

ସୂଚନା ଅନୁସାରେ ଅମଲାନୀ ଗୋଡ଼ା ହୁଡ଼ିସାହିରେ କିଛି ବ୍ୟକ୍ତି ହିନ୍ଦୁ ଧର୍ମ ଛାଡ଼ି ଅନ୍ୟ ଏକ ଧର୍ମ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ହେଉଛି।

ଅନ୍ୟଧର୍ମର କିଛି ଯାଜକ  ଗ୍ରାମରେ ନିର୍ଦ୍ଦିଷ୍ଟ ଧର୍ମ ଗ୍ରହଣ କରି ଥିବା ଲୋକଙ୍କ ଘରେ ଆସି ପ୍ରାର୍ଥନା ସଭା କରିବା ସହିତ ଅନ୍ୟ ହିନ୍ଦୁ ଲୋକଙ୍କୁ ସେହି ଧର୍ମ ଗ୍ରହଣ କଲେ ମଙ୍ଗଳ ହେବ ବୋଲି କହିଥିଲେ। ଯେଉଁମାନେ ନିସନ୍ତାନ ସେମାନେ ସନ୍ତାନ ପ୍ରାପ୍ତ ହେବେ ଏବଂ ନିରୋଗ ରହିବେ ବୋଲି ସେମାନଙ୍କୁ ବୁଝାଉଥିଲେ।

ଏହି ଧର୍ମ ଯାଯକମାନେ କିଛି ହିନ୍ଦୁ ଲୋକଙ୍କୁ ଅର୍ଥର ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରିବାକୁ କହୁଥିବା ଅଭିଯୋଗ ମଧ୍ୟ ହୋଇଛି।  ଧର୍ମ ପରିବର୍ତ୍ତନ କରିଥିବା ଲୋକେ ସେମାନେ କାହାର ପ୍ରରୋଚନା ଓ ପ୍ରଲୋଭନରେ ଧର୍ମ ପରିବର୍ତ୍ତନ କରିଥିବା କଥାକୁ ଅସ୍ବୀକାର କରିବା ସହିତ ସେମାନେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଥିବା କହିଛନ୍ତି।

ଧର୍ମ ପରିବର୍ତ୍ତନକୁ ନେଇ କିଛି ଦିନ ହେଲା ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଉଭୟ ପକ୍ଷଙ୍କ ଅଭିଯୋଗ ପାଇ ରିମୁଲି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ନାୟକ ଦୁଇ ପକ୍ଷଙ୍କୁ ଥାନାକୁ ଡ଼କାଇ ‌କେତେକ ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିଛନ୍ତି।

ସମ୍ବନ୍ଧିତ ଖବର