କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ : ବୁଧବାର ସୁପ୍ରିମକୋର୍ଟ ଯିବେ ସରକାର!

କୋରାପୁଟ : କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ଆନ୍ଧ୍ର ସରକାର କିମ୍ବା ପ୍ରଶାସନ ସହ ଏହି ବିବାଦୀୟ ପ୍ରସଙ୍ଗରେ ଆଉ ଆଲୋଚନା କରିବେନାହିଁ। ବାରମ୍ବାର ଚୁକ୍ତି ଉଲ୍ଲଂଘନ କରି ଚାଲିଥିବା ଆନ୍ଧ୍ର ସରକାରଙ୍କ ମୁଖା ଖୋଲିବାକୁ ସୁପ୍ରିମକୋର୍ଟରେ କରିବେ ଆବେଦନ। ଆସନ୍ତା ବୁଧବାର ସୁଦ୍ଧା ସୁପ୍ରିମକୋର୍ଟରେ ସମସ୍ତ ତଥ୍ୟ ଓ ପ୍ରମାଣ ରଖିବେ ବୋଲି ସୂଚନା ମିଳିଛି। ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଆଡଭୋକେଟ୍ ଜେନେରାଲ ଆଇନର ବିଭିନ୍ନ ଦିଗ ଏବଂ ମହଜୁଦ୍ ଥିବା ଦସ୍ତାବିଜ୍ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। କୋରାପୁଟ ଜିଲ୍ଲା ପ୍ରଶାସନକୁ ବି ଆବଶ୍ୟକ ତଥ୍ୟ ସମ୍ବଳିତ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇଛି।

୧୯୬୮ ମସିହାରେ ଯେଉଁସବୁ ବିଷୟକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା କରିଥିଲେ ତାହାକୁ ନେଇ ଆଜି ପୁଣି ଆଲୋଚନା ହୋଇଥିଲା। ସେହିପରି ଗତ ୨୦ବର୍ଷର ତଥ୍ୟକୁ ନେଇ ମଧ୍ୟ ଅନୁଶୀଳନ କରାଯାଇଥିଲା। ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଆଡଭୋକେଟ୍ ଜେନେରାଲ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। କେବଳ ତୃତୀୟ ମହଲାର ଅନୁମତି ମିଳିବା ପରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ହାଇକୋର୍ଟସ୍ଥିତ ଚ୍ୟାମ୍ବରରେ ଏ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ମିଳିଛି। ଏଥିରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସହ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚଳନା ବିଭାଗର ବରିଷ୍ଠ ଅଧିକାରୀ, ସରକାରୀ ଓକିଲ ବିଷ୍ଣୁ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟତଃ ଦୁଇଟି ବିନ୍ଦୁ ଉପରେ ଚର୍ଚ୍ଚା ହୋଇଥିବା‌ ସୂଚନା ମିଳିଛି। ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ରଦ୍ଦ କରିବା ଏବଂ ଚୁକ୍ତି ଉଲ୍ଲଂଘନ କରି ବାରମ୍ବାର ହେଉଥିବା ଅନୁପ୍ରବେଶକୁ ଆଇନ ଦ୍ବାରା ରୋକ୍ ଲଗାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଅନ୍ୟପକ୍ଷରେ ରାଜ୍ୟ ସରକାର ବି ଏହି ପ୍ରସଙ୍ଗରେ ବହୁ ବରିଷ୍ଠ ଅଧିକାରୀ, ଆଇନଜୀବୀ ଓ ଏଜିଙ୍କ ପରାମର୍ଶ ଲୋଡ଼ିଛନ୍ତି। ସଚିବାଳୟରେ ଏନେଇ ଆଲୋଚନା ଜାରି ରହିଥିବାବେଳେ ବୁଧବାର ସୁଦ୍ଧା କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର