ମଙ୍ଗଳବାର ବିଜେପିରେ ଯୋଗ ଦେବା ପୂର୍ବରୁ ଅପରାଜିତା ଷଡଙ୍ଗୀଙ୍କ ଭିଡିଓ ଭାଇରାଲ୍: ଖୋଲି କହିଲେ ମନକଥା !

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଆସନ୍ତା ମଙ୍ଗଳବାର ବିଜେପିରେ ଯୋଗଦେବେ । ଗେରୁଆ ଟୋପି ପିନ୍ଧିବା ପୂର୍ବରୁ ଏହି  ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଅପରାଜିତାଙ୍କ ବିଜେପି ଠାଣିରେ ଦେଖିବାକୁ ମିଳିଛି । ବିଜେପି ନେତାଙ୍କ ଅନ୍ଦାଜରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଅପରାଜିତା । ଆଉ ଏହାସହ ମୋଦିଙ୍କ ‘ସବକା ସାଥ୍‌ ସବକା ବିକାଶ’ର ନାରା ଦେବାକୁ ଭୁଲି ନାହାନ୍ତି ଅଫିସରରୁ ନେତା ହେବାକୁ ଯାଉଥିବା ଅପରାଜିତା ।

ରାଜନୈତିକ ମୈଦାନରେ ଏଣ୍ଟ୍ରି ମାରିବା ପୂର୍ବରୁ ଅପରାଜିତାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଏକ ଡକ୍ୟୁମେଣ୍ଟାରି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଆଇଏଏସ ଅଫିସର ଭାବେ ଅପରାଜିତାଙ୍କ ପୂରା ଯାତ୍ରାକୁ ଏଭଳି ଢଙ୍ଗରେ ଦେଖାଯାଇଛି ଯାହା ତାଙ୍କୁ ଆଗାମୀ ନିର୍ବାଚନରେ ମାଇଲେଜ ଦେବ । ଏପରିକି ଆଇଏଏସ ଅଫିସର ଭାବେ ପାଇଥିବା ସଫଳତାକୁ ରାଜନୀତି ମୈଦାନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି ଅପରାଜିତା ।

ବିଶେଷ କରି ଗଣଶିକ୍ଷା ବିଭାଗର ସଚିବ ବେଳେ ନେଇଥିବା ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଓ ବିଏମସି କମିସନର ଭାବେ ତାଙ୍କର କାର୍ଯ୍ୟାବଳୀକୁ ଏହି ଡକ୍ୟୁମେଂଟାରିରେ ଦର୍ଶାଯାଇଛି । ଡକ୍ୟୁମେଂଟାରିରେ ଥିବା ତାଙ୍କ ମନ୍ତବ୍ୟରୁ ଜଣାପଡୁଛି ରାଜ୍ୟର ଗରିବୀକୁ ନେଇ ରାଜନୀତିର କାର୍ଡ ଖେଳିବାକୁ ଯାଉଛନ୍ତି ଅପରାଜିତା । ଏପରିକି ଓଡିଶାର ଗରିବୀକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ତେଣୁ ଏହି ବାବଦରେ ଲୋକମାନଙ୍କ ସହ ଆଲୋଚନା କରି କାମ କରିବା ଆବଶ୍ୟକ ବୋଲି କହିଛନ୍ତି ଏହି ପୂର୍ବତନ ପ୍ରଶାସିକା ।

କେଉଁ ଭୂମିକାରେ ସେ ରାଜନୀତିର କ୍ୟାରିୟରକୁ ଆଗକୁ ନେବେ ଏ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିବା ବେଳେ ଏହି ଡକ୍ୟୁମେଂଟାରୀ ମାଧ୍ୟମରେ ନିଜ ଆଭିମୁଖ୍ୟ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ ।

ସମ୍ବନ୍ଧିତ ଖବର