ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୫ ତମ ପ୍ରତିଷ୍ଠା ଦିବସ ଗଞ୍ଜାମରାଜ୍ୟ By Sambad Digital Last updated Jan 3, 2021 ସେୟାର ବ୍ରହ୍ମପୁର/ଗୋପାଳପୁର : ‘ଭାଷାକୁ ନେଇ ସଂଗୀତ ସୃଷ୍ଟି। ବହୁ ସଂଘର୍ଷ ପରେ ‘ଓଡ଼ିଆ’ ଏକ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ସାରିଛି। ତେଣୁ ଏହି ଭାଷାକୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଶୀ ସଂଗୀତ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ଉଚିତ୍।’ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମ ବିଭୂଷଣ ଡ.ସୀତାକାନ୍ତ ମହାପାତ୍ର ଯୋଗ ଦେଇ ଏହି ମତ ଦେଇଛନ୍ତି। ଏଥିସହ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସମକକ୍ଷ କରାଇବାରେ କବି ସମ୍ରାଟଙ୍କ ଭୂମିକା ବର୍ଣ୍ଣନା କରି ତାଙ୍କର ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଭଞ୍ଜ ସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ସେ ପ୍ରକାଶ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଅବସରରେ ଡ.ମହାପାତ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ସମ୍ମାନିତ କରା ଯାଇଥିଲା। Sambad is now on WhatsApp Join and get latest news updates delivered to you via WhatsApp Join Now ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ସିନେ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ରଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବ୍ରହ୍ମପୁରରେ ନିଜର ବାଲ୍ୟ ଜୀବନର ସ୍ମୃତିଚାରଣ କରିବା ସହ ନିଜ ମାଟିରେ ସମ୍ବର୍ଦ୍ଧିତ ହୋଇଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ସିନେମା ଶିଳ୍ପ ଉପରେ କରୋନାର ପ୍ରଭାବ, ଏହି ସମୟରେ ଲୋକପ୍ରିୟ ହୋଇଥିବା ଓଟିଟି ପ୍ଲାଟ୍ଫର୍ମ କିପରି ବ୍ୟାବସାୟିକ ସିନେମାକୁ ଗୁରୁତ୍ବ ଦେଉଛି ଏବଂ ନିଜର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଭଂଜବିହାର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ୍ରେ ଆଜି ଅପରାହ୍ଣରେ ଆୟୋଜିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ପୌରୋହିତ୍ୟ କରିବା ସହ ନୂଆ ଶିକ୍ଷାନୀତି ଉପରେ ଆଲୋକପାତ କରି ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଚରିତ୍ର ଗଠନ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଓଡ଼ିଆ ସାହିତ୍ୟ ପ୍ରତି କବି ସମ୍ରାଟଙ୍କ ଅବଦାନ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ଓଡ଼ିଆ ଶବ୍ଦ କୋଷରେ ସେ ୩୨ହଜାର ନୂଆ ଶବ୍ଦ ଯୋଡ଼ିଥିବା ନେଇ ନିଜ ଗବେଷଣାଲବ୍ଧ ତଥ୍ୟ ପ୍ରକାଶ କରିଥିଲେ। କୁଳସଚିବ ରଞ୍ଜନ ବିଶ୍ବାଳ ବିବରଣୀ ପାଠ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡା.ଅଶୋକ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଶିକ୍ଷାବିତ୍ ଡ.କମ୍ବୁପାଣି ସାମନ୍ତ, ଦାଶକାଠିଆ ଗୁରୁ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ପାରଳାର ଶିଙ୍ଗ କାରିଗର କୃଷ୍ଣଚନ୍ଦ୍ର ମହାରଣାଙ୍କୁ ଦକ୍ଷିଣ ଓଡ଼ିଶା ସମ୍ମାନ ପ୍ରଦାନ କରା ଯାଇଥିଲା। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ପଣ୍ଡା ଏବଂ ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥବା ବେଳେ ଏକ ଛାତ୍ର ଆନ୍ଦୋଳନ କିପରି ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲା ସେ ସମ୍ପର୍କରେ ଦୁହେଁ ନିଜର ଅଭିଜ୍ଞତା ବଖାଣିଥିଲେ। କ୍ରୀଡ଼ା କ୍ଷେତ୍ରରେ ଜାତୀୟସ୍ତରର ସଫଳତା ହାସଲ କରିଥିବା ଭାରୋତ୍ତୋଳକ ମନୋଜ କୁମାର ସାହୁ, ବନିତା ଘଡ଼େଇ ଏବଂ ପ୍ରମିଳା କିର୍ସାନୀ, ଗବେଷଣାରେ ଉଲ୍ଲେଖନୀୟ କୃତିତ୍ବ ଲାଭ କରିଥିବା ଉଦ୍ଭିଦ ବିଜ୍ଞାନ ଛାତ୍ର ବିଶ୍ବଜିତ୍ ପ୍ରଧାନ, ନାରୀ ଗବେଷଣା ବିଭାଗର ଛାତ୍ରୀ ସୁନିତା ବେହେରା, ଶ୍ରେଷ୍ଠ ଶିକ୍ଷକ ଭାବେ ପ୍ରାଣୀ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ତପନ କୁମାର ପାଢ଼ୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏଥିସହ ଉଲ୍ଲେଖନୀୟ ଦାୟିତ୍ବ ନିର୍ବାହ ନିମନ୍ତେ ଅଣଶିକ୍ଷକ, କର୍ମଚାରୀଙ୍କୁ ମଧ୍ୟ ସମ୍ମାନୀତ କରା ଯାଇଥିଲା।