ଦୁର୍ନୀତି ସାବାଡ୍‌ ପାଇଁ ଅଭିଯାନ : ବଡ଼ ପଦରେ ରହି କେଳେଙ୍କାରୀ କରୁଥିଲେ ଫସିବେ

ଟାର୍ଗେଟରେ ଅଧ୍ୟାପକ, ଯନ୍ତ୍ରୀ, ବଡ଼ ବାବୁ, ତହସିଲ, ବ୍ଲକ୍‌

ରବୀନ୍ଦ୍ର ଜେଲ୍‌ ଗଲେ, ଜାଲରେ ଆଉ ଜଣେ କୋଟିପତି
୫ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି
ଭିଜିଲାନ୍ସ ଇତିହାସରେ ରବୀନ୍ଦ୍ରଙ୍କ ରେକର୍ଡ ସମ୍ପତ୍ତି

ଭୁବନେଶ୍ୱର : ଦୁର୍ନୀତିଖୋରଙ୍କୁ ଆଉ ନିସ୍ତାର ନାହିଁ। ପୁଳା ପୁଳା ଟଙ୍କା ରୋଜଗାର ନିଶାରେ ଦୁର୍ନୀତିର ସବୁ ସୀମା ଡେଇଁଯାଇଥିବା ବାବୁଙ୍କୁ ଧରପଗଡ଼ ଲାଗି ରାଜ୍ୟ ସରକାରଙ୍କ ସଙ୍କେତ ପରେ ଏବେ ଭିଜିଲାନ୍ସ ସକ୍ରିୟ ହୋଇ ଉଠିଛି। ସ୍କାନରରେ ରହିଛନ୍ତି ଯନ୍ତ୍ରୀ, ଅଧ୍ୟାପକ, ଆଇଏଏସ୍, ଓଏଏସ୍‌ଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ ବାବୁ। ଏସବୁ ପଦପଦବିରେ ଥିବା ଦୁର୍ନୀତିଗ୍ରସ୍ତଙ୍କ ତାଲିକା ତିଆରି କରି ତନାଘନା ଆରମ୍ଭ କରିଛି ଭିଜିଲାନ୍ସ। ଗଜପତି ଜିଲ୍ଲାର ଜଣେ ଅଧ୍ୟାପକଙ୍କୁ ବାନ୍ଧିବା ପରେ ମଙ୍ଗଳବାର ରାଜଧାନୀରେ ଜଣେ କୋଟିପତି ଯନ୍ତ୍ରୀ ଧରାପଡ଼ି ଜେଲ୍ ଯାଇଥିଲେ। ଆଜି ଆଉ ଜଣେ ପୂର୍ତ୍ତ ବିଭାଗର କୋଟିପତି ଯନ୍ତ୍ରୀ ଜାଲରେ ପଡ଼ିଛନ୍ତି। ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଗତକାଲି ପଡ଼ିଥିବା ଜେନେରାଲ ପବ୍ଲିକ ହେଲଥର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନ ଜେଲ୍ ଯାଇଛନ୍ତି। ଆଜି ଅପରାହ୍ନରେ ରବୀନ୍ଦ୍ରଙ୍କୁ ଭିଜିଲାନ୍ସ ସେଲ୍ ପକ୍ଷରୁ କୋର୍ଟଚାଲାଣ କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରବୀନ୍ଦ୍ରଙ୍କର ସାଢ଼େ ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଯାହା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା ବୋଲି ଆଜି ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ. ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି। ସେଥିରୁ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଜଣାପଡ଼ିଛି। ଆୟ ବ୍ୟୟର ହିସାବ ପରେ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୨୪୧ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି।

ରବୀନ୍ଦ୍ରନାଥ, ଶାରଦା ପ୍ରସାଦ

ମିଳିଥିବା ସୂଚନା ଅନୁସାରେ, ଗତକାଲି ରବୀନ୍ଦ୍ରଙ୍କର ଶାସ୍ତ୍ରୀନଗରରେ ଦୁଇ ମହଲା କୋଠା, ନୟାପଲ୍ଲୀ ବେହେରା ସାହିରେ ତିନି ମହଲା କୋଠା, ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଦୁଇଟି କାର, ସୁନା ଅଳଙ୍କାର ଠାବ ହୋଇଥିଲା। ବାଲିଅନ୍ତାର କଞ୍ଚିଲୋ-ନୂଆଗାଁ ରାସ୍ତାରେ ରବୀନ୍ଦ୍ରଙ୍କ ପୁଅ ରଶ୍ମିତ ରଞ୍ଜନ ପ୍ରଧାନଙ୍କ ଆଫାୟାର ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ବିଲ୍ଡର ସଂସ୍ଥାର ଆପାର୍ଟମେଣ୍ଟ ଠାବ ହୋଇଥିଲା। ସେହି ଜମି ରବୀନ୍ଦ୍ର ଓ ତାଙ୍କର ଅନ୍ୟ ସମ୍ପର୍କୀୟଙ୍କ ନାଁରେ ଥିବା ତଦନ୍ତରୁ ଜାଣିବାକୁ ପାଇଛି ଭିଜିଲାନ୍ସ। ଏହି ଆପାର୍ଟମେଣ୍ଟରେ ଗୋଟିଏ ବେଡରୁମ୍ ଥିବା ୪୮ଟି ଫ୍ଲାଟ୍ ଥିଲା। ଯାହାର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକ​ଳନ କରାଯାଇଥିଲା। ରବୀନ୍ଦ୍ରଙ୍କ ପୁଅ ରଶ୍ମିତଙ୍କର ଆଉ ଦୁଇଟି କମ୍ପାନି ମଧ୍ୟ ରହିଛି। ସେ ଦୁଇଟି ହେଲା ଅନ୍ୟ ଏକ ବିଲ୍ଡର ସଂସ୍ଥା ଆରପି କନଡେଭ୍ ପ୍ରାଇଭେଟ୍ ଲିମିଟେଡ୍। ଯାହା ଗତ ସେପ୍ଟେମ୍ବର ୯ ତାରିଖରେ ରେଜିଷ୍ଟ୍ରେସନ ହୋଇଥିବା ଜଣାପଡ଼ିଛି। ରଶ୍ମିତ ରଞ୍ଜନ ଏହି ସଂସ୍ଥାର ଏମ୍‌ଡି। ଅନ୍ୟ ଏକ କମ୍ପାନି ଆଫାୟାର ମଲ୍ଟି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ବୋଲି ଜଣାପଡ଼ିଛି। ୨୦୧୮ ଜୁନ୍ ୪ ତାରିଖରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ରଶ୍ମିରଞ୍ଜନ ଏହାର ନିର୍ଦ୍ଦେଶକ ଅଛନ୍ତି। ଏହି କମ୍ପାନି ମାଛ, ମାଂସ, ଫଳ, ପନିପରିବା, ତେଲର ଉତ୍ପାଦନ, ତିଆରି, ସଂରକ୍ଷିତ ଓ ଟ୍ରାନ୍ସପୋର୍ଟ କରୁଥିବା ଜଣାପଡ଼ିଛି। କିନ୍ତୁ ଭିଜିଲାନ୍ସ ଏହି ଦୁଇଟି କମ୍ପାନି ସମ୍ପର୍କରେ କୌଣସି ତଥ୍ୟ ହାସଲ କରିପାରିନାହିଁ। ଏ ନେଇ ଭିଜିଲାନ୍ସ ତଦନ୍ତ କଲେ ଆହୁରି ସମ୍ପତ୍ତି ମିଳିପାରିବ ବୋଲି ଅନୁମାନ କରାଯାଉଛି।

ସେହିପରି ଆଜି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ପୂର୍ତ୍ତ ବିଭାଗ ଡିଭିଜନ୍-୫ର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦଙ୍କର ଘର, ଅଫିସ ସମେତ ୬ଟି ସ୍ଥାନରେ ଚଢ଼ଉ ହୋଇଛି। ଗଙ୍ଗନଗରରେ ତିନି ମହଲା କୋଠାର ମୂଲ୍ୟ ୪୭ ଲକ୍ଷ ୮୫ ହଜାର ହୋଇଥିବା ବେଳେ ବ୍ରହ୍ମପୁରରେ ଠାବ ହୋଇଥିବା ଫ୍ଲାଟର ମୂଲ୍ୟ ୩୬ ଲକ୍ଷ ୧୧ ହଜାର ଟଙ୍କା ବୋଲି ଜଣାପଡ଼ିଛି। ବ୍ରହ୍ମପୁର, ସୋରଡ଼ା, ଚିକିଟି, କୁକୁଡ଼ାଖଣ୍ଡି, ଗଞ୍ଜାମରେ ୩୬ ଲକ୍ଷ ଟଙ୍କାର ୧୯ଟି ପ୍ଲଟ୍ ଠାବ ହୋଇଛି। ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫୦ ହଜାର ଟଙ୍କା, ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୫୫ ଲକ୍ଷ ୪୮ ହଜାର ୫୧୭ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଶ୍ରୀ ଗୌଡ଼ଙ୍କୁ ଭିଜିଲାନ୍ସ ପଚରାଉଚରା ଜାରି ରଖିଛି। ମାମଲା ରୁଜୁ ପାଇଁ ଆଇନଗତ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି। ଆଜି ଭିଜିଲାନ୍ସର ୫ଟି ଟିମ୍ ଭୁବନେଶ୍ବର, ବ୍ରହ୍ମପୁର, ଗଞ୍ଜାମ ବଡ଼ଗଡ଼, ସୋରଡ଼ା, ବ୍ରହ୍ମପୁରର ଗାନ୍ଧୀନଗର, ଗୋଳନ୍ଥରାରେ ଫାର୍ମ ହାଉସ୍, ନିର୍ମାଣ ସୌଧ ଅଫିସରେ ଚଢ଼ଉ କରିଥିଲା।

ସେହିପରି ଦେବଗଡ ଆଉ ଏକ ଭିଜିଲାନ୍ସ ମାମଲା ହୋଇଛି। ମିଳିଥିବି ସୂଚନା ଅନୁଯାୟୀ, ନୋ ଡିୟୁଜ ସାର୍ଟିଫିକେଟ୍‌ ପ୍ରଦାନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦେବଗଡ଼ ପୌର ପରିଷଦର ସହକାରୀ ଟ୍ୟାକ୍ସ କଲେକ୍ଟରଙ୍କ ସମେତ ୨ ଜଣ କର୍ମଚାରୀ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଶିବଶଙ୍କର ନାୟକ ତାଙ୍କ ଘର ନିର୍ମାଣରେ ଆବଶ୍ୟକ ଟାଉନ୍‌ପ୍ଲାନିଂ ଅନୁମୋଦନ ନିମନ୍ତେ ନୋ ଡିୟୁଜ ସାର୍ଟିଫିକେଟ୍‌ ପାଇଁ ଦେବଗଡ଼ ପୌର କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ଶିବଶଙ୍କରଙ୍କୁ ପୌର ପରିଷଦର ସହକାରୀ ଟ୍ୟାକ୍ସ କଲେକ୍ଟର ରାଜେନ୍ଦ୍ର ନାଏକ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶିବଶଙ୍କର ଏ ନେଇ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର